ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ଓ ମା’ ପାର୍ବତୀଙ୍କ ବିବାହ ଉତ୍ସବ ପାଇଁ ଏକାମ୍ର କ୍ଷେତ୍ର ଚଳଚଞ୍ଚଳ ହୋଇଉଠିଛି। ଶୁକ୍ରବାର ଦେବଦମ୍ପତିଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ। ଏଥିପୂର୍ବରୁ ଗୁରୁବାର ମଙ୍ଗଳକୃତ୍ୟ ସମ୍ପନ୍ନ ହୋଇଛି। ବିବାହ ଉତ୍ସବ ସହିତ ଶୀତଳଷଷ୍ଠୀ ଯାତ୍ରାକୁ ଧୁମ୍ଧାମ୍ରେ ପାଳନ କରିବାକୁ ଭୁବନେଶ୍ବର ଶୀତଳଷଷ୍ଠୀ କମିଟି ନିଷ୍ପତ୍ତି ନେଇଛି। ଉତ୍ତରପ୍ରଦେଶର ଅଘୋରୀ ନୃତ୍ୟ, ଓଡ଼ିଶାର ଗୋଟିପୁଅ, ଘଣ୍ଟ, ବାରିପଦାର ଛଉ, ସମ୍ୱଲପୁରୀ, ଦୁଲ୍ଦୁଲି, ଗଞ୍ଜାମର ଯୋଡ଼ିଶଙ୍ଖ, ଢୋଲ ମହୁରି, ବନ୍ୟଜନ୍ତୁ ବେଶ, କଣ୍ଢେଇ, ଘୋଡ଼ା ନାଚ, ମୟୁରଭଞ୍ଜର ଛଉ, ଢୋଲ ମାଦଳ, ମହିଳା କଳସ ନୃତ୍ୟ, ଦେବଦେବୀ ବେଶ, ବନାଟି ଆଦି ପାରମ୍ପରିକ ବାଦ୍ୟ, ନୃତ୍ୟ ସହ ସଂଗୀତ ପରିବେଷଣ କରାଯାଇ ଶୋଭାଯାତ୍ରା ଆୟୋଜିତ ହେବ। ଏହି ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର ଶୀତଳଷଷ୍ଠୀ କମିଟିର ସଭାପତି ତଥା ପୂର୍ବତନ ବିଧାୟକ ସୁରେଶ କୁମାର ରାଉତରାୟ, ଉପସଭାପତି ବିଧାୟକ ବାବୁ ସିଂହ, ବରିଷ୍ଠ ବିଜେପି ନେତା ସମୀର ମହାନ୍ତି, ମିଡିଆ କମିଟି ଅଧ୍ୟକ୍ଷ ସାମ୍ବାଦିକ ସନତ ମିଶ୍ର, ସମ୍ପାଦକ ପୃଥିବୀକାନ୍ତ ମହାପାତ୍ର, ଶିବାନନ୍ଦ ରାୟ, ରଶ୍ମି ମହାପାତ୍ର, ଆର୍ଥିକ ସଚିବ ନାରାୟଣ ମହାପାତ୍ର, ହେମାଦ୍ରୀ ମହାପାତ୍ର, ବାବନ ଚନ୍ଦ୍ର ମହାପାତ୍ର, ରମେଶ ମହାପାତ୍ର, ଶ୍ରୀବତ୍ସ ପତି, ବିଜୟ ଦ୍ବିବେଦୀ ସମେତ ବହୁ ସଭ୍ୟ ଉପସ୍ଥିତ ଥିଲେ।
ଏକାମ୍ର କ୍ଷେତ୍ର ଚଳଚଞ୍ଚଳ
ପୁରୁଣା ଭୁବନେଶ୍ବର: ଏକାମ୍ର କ୍ଷେତ୍ରରେ ଶିବ ବିବାହ ପାଇଁ ମଙ୍ଗନ ନୀତି ସମ୍ପନ୍ନ ହୋଇଛି। ରାତି ପ୍ରାୟ ସାଢ଼େ ୮ଟାରେ ସନ୍ଧ୍ୟା ଧୂପ ପରେ ଅଷ୍ଟଚଣ୍ଡୀଙ୍କୁ ନିମନ୍ତ୍ରଣ ପାଇଁ ସେବାୟତଗଣ ବାହାରିଥିଲେ। ଏକାମ୍ର କ୍ଷେତ୍ରର ବିଭିନ୍ନ ସ୍ଥାନରେ ଥିବା ଅଷ୍ଟ ଦେବୀ ଯଥା ମଠ କପଳୀ, ମହନୀ, ଆଖଡ଼ା ଚଣ୍ଡୀ, ରାମାୟଣୀ, କପାଳୀ, ଉତ୍ତରାୟଣୀ, ଗୌରୀ, ଅମ୍ୱିକେ ଓ ଦ୍ୱାରବାସୀନୀ ଠାକୁରାଣୀଙ୍କୁ ବିବାହରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରାଯାଇଥିଲା। ସେବାୟତମାନେ ଫୁଲ, ଚନ୍ଦନ, ବେଲପତ୍ର, ଠାକୁରଙ୍କ ମହାପ୍ରସାଦକୁ ସମର୍ପଣ କରି ନିମନ୍ତ୍ରଣ କରିଥିଲେ। ଶୁକ୍ରବାର ମହାପ୍ରଭୁଙ୍କ ବିବାହ ଉତ୍ସବ। ଏଥିପାଇଁ ଶ୍ରୀଲିଙ୍ଗରାଜ ମନ୍ଦିରକୁ ସୁସଜ୍ଜିତ କରାଯାଇଛି। ମନ୍ଦିର ସିଂହଦ୍ବାର ନିକଟରେ ଛାମୁଣ୍ଡିଆ କରାଯିବା ସହ ରାସ୍ତାରେ ତୋରଣ କରାଯାଇଛି। ମନ୍ଦିର ପାଚେରି ଓ ରାସ୍ତା ଲାଇଟ୍ରେ ଝଲସୁଛି।