ଭୁବନେଶ୍ବର: ରିୟଲ ଇଷ୍ଟେଟ୍ ପ୍ରକଳ୍ପ ଅନୁମୋଦନରେ ହେଉଛି ବ୍ୟାପକ ଜାଲିଆତି। ଭିତ୍ତିଭୂମି ନ ଥାଇ ମିଳୁଛି ପ୍ରକଳ୍ପକୁ ମଞ୍ଜୁରି। ଓଡ଼ିଶା ଉନ୍ନୟନ ଆଇନ-୧୯୮୨କୁ ପାଦରେ ଦଳି ଦିଆଯାଇଛି। କୌଣସି ରିୟଲ ଇଷ୍ଟେଟ୍ ପ୍ରକଳ୍ପ ଅନୁମୋଦନ ପୂର୍ବରୁ ରାସ୍ତା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଭିତ୍ତିଭୂମି ବାଧ୍ୟତାମୂଳକ ହୋଇଥିବାବେଳେ ଏହା ନ ଥାଇ ବି ଅନେକ ପ୍ରକଳ୍ପକୁ ମିଳିଛି ମଞ୍ଜୁରି। ଏପରିକି ସାଧାରଣ ପ୍ରଶାସନ ବିଭାଗ, ବନବିଭାଗ, ରେଳ ବିଭାଗର ଜମିକୁ ବି ରାସ୍ତା ଦର୍ଶାଇ ପ୍ରକଳ୍ପକୁ ମଞ୍ଜୁର କରାଯାଇଛି। କାହାରିଠାରୁ ଏନ୍ଓସି ଆଣିନାହାନ୍ତି। ଜଳାଶୟ, ପାଣିନାଳ, ଗୋଚର ଜମିରେ ବି ଏମାନେ ପ୍ରକଳ୍ପ କରିବାକୁ ଅନୁମତିପତ୍ର ଦେଇଥିବା ଅଭିଯୋଗ ଉଠିଛି। ବିନା ଘରବାରି ପଟ୍ଟାରେ ବି ପ୍ରକଳ୍ପକୁ ମଞ୍ଜୁରି ମିଳିଛି। ଏଭଳି ଅନିୟମିତତା ନେଇ ଅଭିଯୋଗ ଆସିଲା ପରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ବିଡିଏ, ବିଏମ୍ସି, ସିଡିଏ ଓ ସିଏମ୍ସିକୁ ୫ ବର୍ଷର ତଥ୍ୟ ମାଗିଛନ୍ତି। ୨୦୨୦ ଏପ୍ରିଲ ୧ରୁ ୨୦୨୫ ମାର୍ଚ୍ଚ ୩୧ ଭିତରେ କିଏ କେତେ ପ୍ରକଳ୍ପର ପ୍ଲାନ କାହାକୁ ମଞ୍ଜୁର କରିଛନ୍ତି ଓ ସେଥିରୁ ଆନୁଷଙ୍ଗିକ ଭିତ୍ତିଭୂମି ନଥାଇ ମଞ୍ଜୁର ହୋଇଥିବା ପ୍ରକଳ୍ପର ତାଲିକା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜୁନ ୨୫ ତାରିଖ ଭିତରେ ସବିଶେଷ ତଥ୍ୟ ପ୍ରଦାନ କରିବାକୁ କୁହାଯାଇଛି।
୫ ବର୍ଷର ତଥ୍ୟ ମାଗିଲେ ମନ୍ତ୍ରୀ
ଭିତ୍ତିଭୂମି ନ ଥାଇ ମିଳିଛି ମଞ୍ଜୁରି
ବିଡିଏ, ବିଏମ୍ସି, ସିଡିଏ ଓ ସିଏମ୍ସିକୁ ଚିଠି
ଜୁନ ୨୫ ସୁଦ୍ଧା ଦେବେ ତାଲିକା
ଦୁର୍ନୀତି ଧରାପଡ଼ିଲେ କଡ଼ା କାର୍ଯ୍ୟାନୁଷ୍ଠାନ
ଓଡ଼ିଶା ଉନ୍ନୟନ ଆଇନ-୧୯୮୨ ନିୟମ କହୁଛି, କୌଣସି ରିୟଲ ଇଷ୍ଟେଟ୍ ପ୍ରକଳ୍ପ ଅନୁମୋଦନ ପୂର୍ବରୁ ଚିହ୍ନଟ ଜମିରେ ମୌଳିକ ଭିତ୍ତିଭୂମି ଥିବା ଆବଶ୍ୟକ। ମୁଖ୍ୟ ରାସ୍ତାରୁ ପ୍ରକଳ୍ପ ସ୍ଥଳକୁ ଅତିକମ୍ରେ ୯ ମିଟର ଚଉଡ଼ା ରାସ୍ତା, ମଧୁର ପାଣି, ବିଜୁଳି ଆଦିର ସୁବିଧା ଥିବ। ଜମି କିସମ ମଧ୍ୟ ଘରବାରି ହୋଇଥିବା ଜରୁରୀ। ବିକ୍ରୟ କବଲାରେ ପ୍ରକଳ୍ପ ଅନୁମୋଦନ ମିଳିପାରିବନି। ଜଙ୍ଗଲ ଜମିରେ କୌଣସି ପରିସ୍ଥିତିରେ ରିୟଲ ଇଷ୍ଟେଟ୍ ପ୍ରକଳ୍ପକୁ ମଞ୍ଜୁରି ମିଳିପାରିବନି। ଏହାର ଯାଞ୍ଚ ଓ ପ୍ଲାନିଂ ମଞ୍ଜୁରି ପାଇଁ ବିଡିଏ, ବିଏମ୍ସି, ସିଡିଏ, ସିଏମ୍ସିର ସ୍ବତନ୍ତ୍ର ପ୍ଲାନିଂ କମିଟି ରହିଛି। ୧୫ ମିଟରରୁ ଅଧିକ ଉଚ୍ଚ ରିୟଲ ଇଷ୍ଟେଟ୍ ପ୍ରକଳ୍ପ ପାଇଁ ବିଡିଏର ସ୍ବତନ୍ତ୍ର ଡିପି ଆଣ୍ଡ ବିପି କମିଟି ରହିଛି। କିନ୍ତୁ କମିଟି କେବଳ ଧର୍ମକୁ ଆଖିଠାର। ପ୍ରକଳ୍ପ ଅନୁମୋଦନ ଅସମ୍ଭବ ଥିଲେ ବି ଟଙ୍କା ଦେଲେ ସବୁକିଛି ସମ୍ଭବ ହୋଇଯାଉଛି ଏଠି। ବଡ଼କଥା ହେଉଛି, ପ୍ଲାନିଂ କମିଟିର ଅଧିକାରୀମାନେ ଅନେକ ରିୟଲ ଇଷ୍ଟେଟ୍ ପ୍ରକଳ୍ପ ସହ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଅଂଶୀଦାର ଥିବା ଅଭିଯୋଗ ଉଠୁଛି। ଯଦି କୌଣସିଠାରେ ଜାଲିଆତି ଧରାପଡ଼ୁଛି, ଆଇନର ଆଳ ଦେଖାଇ ଖସି ଯାଉଛନ୍ତି ରିୟଲ ଇଷ୍ଟେଟ୍ ମାଲିକମାନେ। ଏଥିରେ ପ୍ଲାନିଂ କମିଟିର ଅଧିକାରୀମାନେ ‘ଡାଆଣୀ ଓ ଗୁଣିଆ’ ଭଳି କାମ କରୁଛନ୍ତି।
ଭୁବନେଶ୍ବରରେ ଏକ ରିୟଲ ଇଷ୍ଟେଟ୍ ପ୍ରକଳ୍ପକୁ ଯା’ଆସ ରାସ୍ତା ରେଳ ବିଭାଗର ଜମିରେ ହୋଇଥିବା ବେଳେ ରେଳ ବିଭାଗଠାରୁ ଏନ୍ଓସି ନ ଆଣି ପ୍ରକଳ୍ପକୁ ମଞ୍ଜୁରି ମିଳିଛି। ବିଏମ୍ସି ପ୍ଲାନିଂ କମିଟି ଏହି ମଞ୍ଜୁରି ଦେଇଛି। ଓରେରା ଆପତ୍ତି ଉଠାଇବା ସହ ଏଥିପାଇଁ ପଞ୍ଜୀକରଣ ପ୍ରମାଣପତ୍ର ଦେବାକୁ ମନା କରି ଦେଇଛନ୍ତି। ଏସମ୍ପର୍କରେ ମନ୍ତ୍ରୀ ଡ. ମହାପାତ୍ର କହିଛନ୍ତି, ଏହି ବିବାଦ ପରେ ରାସ୍ତା ପାଇଁ ବିନା ଏନ୍ଓସିରେ କେଉଁ କେଉଁ ରିୟଲ ଇଷ୍ଟେଟ୍ ପ୍ରକଳ୍ପକୁ ମଞ୍ଜୁରି ମିଳିଛି, ଜାଣିବା ଜରୁରୀ ହୋଇପଡ଼ିଛି। ରେଳ ବିଭାଗ, ସାଧାରଣ ପ୍ରଶାସନ ବିଭାଗ, ରାଜସ୍ବ ବିଭାଗ, ବିଡିଏ, ରାଜ୍ୟ ଗୃହ ନିର୍ମାଣ ବୋର୍ଡ, ବିଏମ୍ସି ଆଦିର ଜମିରେ ବିନା ଏନ୍ଓସିରେ କେଉଁ ରିୟଲ ଇଷ୍ଟେଟ୍ ପ୍ରକଳ୍ପକୁ ମଞ୍ଜୁରି ମିଳିଛି, ତାର ତାଲିକା ମଗାଯାଇଛି। ବ୍ୟକ୍ତିଗତ ଜମି, ଅନୁସୂଚିତ ଜାତି ଓ ଜନଜାତିଙ୍କ ଜମିରେ ବି କେଉଁଠି ପ୍ରକଳ୍ପ ହୋଇଛି, ତାଲିକା ମଗାଯାଇଛି। ଯଦ୍ବାରା ଭବିଷ୍ୟତରେ ସରକାରୀ ଜମିର ସୁରକ୍ଷା ହୋଇପାରିବ ଓ ସାଧାରଣ ଲୋକେ ରିୟଲ ଇଷ୍ଟେଟ୍ କମ୍ପାନି ଦ୍ବାରା ଠକାମିର ଶିକାର ହେବେନି ବୋଲି ମନ୍ତ୍ରୀ କହିଛନ୍ତି।