ସାଧାରଣତନ୍ତ୍ର ଦିବସ ପରେଡ୍‌ ପାଇଁ ଗାନ୍ଧୀ ମାର୍ଗରେ ରିହରସାଲ୍‌ ଆରମ୍ଭ

ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସ ଲାଗି ଆଜିଠାରୁ ଗାନ୍ଧୀମାର୍ଗରେ ପରେଡ୍‌ ଅଭ୍ୟାସ ଆରମ୍ଭ ହୋଇଛି। ଏ ନେଇ କମିସନରେଟ ପୁଲିସ ପକ୍ଷରୁ ଗାନ୍ଧୀମାର୍ଗକୁ ଲାଗି କରିଥିବା ବିଭିନ୍ନ ଛକ ଉପରେ ଟ୍ରାଫିକ୍‌ କଟକଣା ଜାରି ହୋଇଛି। ଆଜିଠାରୁ ଆରମ୍ଭ ହୋଇଥିବା ରିହରସାଲ ଆସନ୍ତା ୨୩ ତାରିଖ ପର୍ଯନ୍ତ ଚାଲିବ। ଏହି ତିନି ଦିନ, ଅପରାହ୍ଣ ୨ଟାରୁ ସଂଧ୍ୟା ୫ଟା ଓ ୨୪ ତାରିଖରେ ସକାଳ ୭ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ଗାନ୍ଧୀମାର୍ଗକୁ ଲାଗି କରିଥିବା ରାସ୍ତାରେ କଟକଣା ଜାରି କରାଯିବ। କୌଣସି ଭାରୀଯାନ ରାଜମହଲରୁ ମାଷ୍ଟରକ୍ୟାଣ୍ଟିନ କିମ୍ବା ରାମମନ୍ଦିର ପଟୁ ମାଷ୍ଟରକ୍ୟାଣ୍ଟିନ୍‌ ଆସି ପାରିବ ନାହିଁ। ପରେଡ୍‌କୁ ସ୍ଥଳକୁ ସଂଲଗ୍ନ କରୁଥିବା ୟୁନିଟ-୨ ଏବଂ ୟୁନିଟ-୩ ଅଞ୍ଚଳର ସମସ୍ତ ରାସ୍ତା ସିଲ୍‌ ରହିବ। ସେହିପରି ଏଜି ଛକରୁ ପିଏମ୍‌ଜି, ଏବଂ ହାଉସିଂବୋର୍ଡ ଛକରୁ ପିଏମ୍‌ଜି ଛକକୁ କୌଣସି ଗାଡି ଆସି ପାରିବ ନାହିଁ। ପରେଡ୍‌ ଅଭ୍ୟାସରେ ସାମିଲ ହେବାକୁ ଆସୁଥିବା ଛାତ୍ରଛାତ୍ରୀ ଓ ଅନୁଷ୍ଠାନର ବ୍ୟକ୍ତିବିଶେଷମାନେ ସେମାନଙ୍କ କାର, ବାଇକ୍‌ ଓ ସାଇକେଲ୍‌ ମାଷ୍ଟରକ୍ୟାଣ୍ଟିନ କଂଗ୍ରେସ ଭବନ ନିକଟ, ବସଷ୍ଟାଣ୍ଡ୍‌, ହୋଟେଲ ଯଯାତି ନିକଟ, ଜୟଦେବ ଭବନ, ଇଡକଲ ଅଡିଟୋରିୟମ ନିକଟ, ୟୁନିଟ-୨ ଏବଂ ୟୁନିଟ-୩ରେ ଥିବା ହାଇସ୍କୁଲ ପଡିଆରେ ପାର୍କିଂ କରିବେ। ଗାନ୍ଧୀମାର୍ଗରେ ଗ୍ୟାସ ବେଲୁନ୍‌ ବିକ୍ରୟ ବାରଣ କରାଯିବ।
ଚଳିତ ବର୍ଷ ପାଖାପାଖି ୨୩ ପ୍ଲାଟୁନ୍‌ ଫୋର୍ସ ପରେଡ୍‌ ଉତ୍ସବରେ ନିୟୋଜିତ ହେବେ। ଦୁଇ ୟୁନିଟ୍‌ ଏସ୍‌ଓଜି, କ୍ୟୁଆର୍‌ଟି, ସନ୍ଧାନୀ କୁକୁର ଓ ସାଦା ପୋଷାକଧାରୀ ପୁଲିସ ନିୟୋଜିତ ହେବେ ବୋଲି ସୂଚନା ମିଳିଛି। ପରେଡ଼ ସ୍ଥଳରେ ସିସି ଟିଭି କ୍ୟାମେରା ସହ ୧୦୦ରୁ ଅଧିକ ଏସ୍‌ଆଇ, ଏଏସ୍‌ଆଇ ଏବଂ ଇନ୍ସପେକ୍ଟରଙ୍କ ସହ ୧୯ ଜଣ ଡିଏସ୍‌ପି , ୯ ଅତିରିକ୍ତ ଡିସିପି ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ରହିବେ। ପରେଡ୍‌ ପାଇଁ ୨ଶହ ଟ୍ରାଫିକ୍‌ କର୍ମଚାରୀ ଓ ୧୫ ଜଣ ପୁଲିସ ଅଫିସର ନିଯୁକ୍ତ ହେବେ। ଡିସିପି ଟ୍ରାଫିକ୍‌ ଓ ଏସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଟ୍ରାଫିକ ପରିଚାଳିତ ହେବ।

ସମ୍ବନ୍ଧିତ ଖବର