ଭୁବନେଶ୍ୱର: ବନ୍ୟଜନ୍ତୁ ସଂରକ୍ଷଣ ଆଇନ ମୁତାବକ ସାପ ଶିକାର କରିବା ବେଆଇନ୍। ମାତ୍ର ଏକ ଘରୋଇ ଚ୍ୟାନେଲ୍ରେ ପ୍ରସାରିତ ଧାରାବାହିକରେ ସାପକୁ ଏକ ଚରିତ୍ର ଭାବେ ନେଇ ସତ ସାପକୁ ଚିତ୍ରିତ କରାଯାଇଛି। କେବଳ ସେତିକି ନୁହେଁ ପ୍ରୋଟୋକଲ୍ ଓ ସରକାରଙ୍କ ଗାଇଡ୍ଲାଇନ୍ ମୁତାବକ ସାପ କାମୁଡ଼ିଥିବା ସ୍ଥାନରୁ ପାଟିରେ ବିଷ ବାହାର ନକରିବାକୁ ନିର୍ଦେଶ ଥିବା ବେଳେ ଏହାକୁ ମଧ୍ୟ ଧାରାବାହିକର ଏକ ଦୃଶ୍ୟରେ ଦେଖାଯାଇଛି। ଯେବେଠୁ ଆଇନ କଡ଼ାକଡ଼ି ହୋଇଛି ସେବେଠୁ ଚଳଚ୍ଚିତ୍ର ଓ ଧାରାବାହିକରେ ସାପକୁ ଆନିମେସନ୍ କରି ଦେଖାଯାଉଛି। ଆଇନ ଲାଗୁ ହେବା ପରେ ଏହା ଉପରେ ରୋକ୍ ଲଗାଯାଇପାରିଛି। ତଥାପି ବେଳେବେଳେ ସତ ସାପକୁ ବ୍ୟବହାର କରାଯିବା ସାମ୍ନାକୁ ଆସୁଛି। ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ମଧ୍ୟ ହେଉଛି। ସ୍ନେକ୍ ହେଲ୍ପ ଲାଇନ୍ର ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କ କହିବା ମୁତାବକ, ସାପକୁ ଉକ୍ତ ଧାରାବାହିକର ଦୃଶ୍ୟରେ ଦେଖାଯିବା ସମୟରେ ‘ସୁଟିଂ ସମୟରେ ଜନ୍ତୁଙ୍କୁ ଆଘାତ ପହଞ୍ଚାଯାଇନି’ ବୋଲି ଲେଖାଯାଇଥିବାରୁ ଏହା ଯେ ସତ ସାପ ତାହା କେହି ଅସ୍ୱୀକାର କରିପାରିବେ ନାହିଁ। ମାତ୍ର ୧୯୭୨ ବନ୍ୟଜନ୍ତୁ ସଂରକ୍ଷଣ ଆଇନ୍ ସେକ୍ସନ୍ ୯ ଅନୁଯାୟୀ ସାପ ଶିକାର କରିବା ଏକ ଅପରାଧ ହୋଇଥିବା ବେଳେ କିଭଳି ଏକ ତମ୍ପ ସାପକୁ ଧରି ସୁଟିଂରେ ନିୟୋଜିତ କରାଗଲା ତାହାକୁ ନେଇ ପ୍ରଶ୍ନ ଉଠିଛି। ତମ୍ପ ବିଷାକ୍ତ ସାପ ହୋଇଥିବା ବେଳେ ତାକୁ ସୁଟିଂରେ ବ୍ୟବହାର କରାଯାଇଥିବାରୁ ହୁଏତ ତା’ର ବିଷ ଦାନ୍ତ ଭାଙ୍ଗି ଦିଆଯାଇଛି ନଚେତ ବିଷ ଗ୍ରନ୍ଥିକୁ କାଢ଼ି ଦିଆଯାଇଥାଇ ପାରେ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି। ଗତବର୍ଷ ଏକ ସାପ ସହ ଭିଡିଓ ପୋଷ୍ଟ୍ କରିବା ପରେ ଅଭିନେତ୍ରୀ ଶୃତି ଉଲ୍୍ଫତ ଗିରଫ ହୋଇଥିବା ବେଳେ ସାପଙ୍କୁ ନିୟୋଜିତ କରିଥିବା ଟିମ୍ ବିରୋଧରେ ମଧ୍ୟ ପଦକ୍ଷେପ ନିଆଯାଇଥିଲା। ତେଣୁ ଆଇନ ଉଲ୍ଲଘଂନ କରିଥିବାରୁ ସମ୍ପୃକ୍ତ ଧାରାବାହିକକୁ ନୋଟିସ୍ କରାଯିବ ଏବଂ ଆବଶ୍ୟକ ଦଣ୍ଡବିଧାନ କରାଯିବ ବୋଲି ବନ୍ୟଜନ୍ତୁ ଅପରାଧ ନିୟନ୍ତ୍ରଣ ବ୍ୟୁରୋର ଉପନିର୍ଦେଶକ ଅଭିଜିତ ରାୟ ଚୌଧୁରୀ କହିଛନ୍ତି। ସେହିପରି ସାପ କାମୁଡ଼ିଥିବା ଅଂଶରେ ପାଟି ଲଗେଇ ଚୁଚୁମି ବିଷ କାଢ଼ିବା ଦ୍ୱାରା ଏହା ବିଷ କାଢ଼ୁଥିବା ଲୋକଙ୍କୁ ମଧ୍ୟ ହାନି ପହଞ୍ଚାଉଥିବା ବେଳେ ଏଭଳି ଦୃଶ୍ୟ ଧାରାବାହିକରେ ଦେଖାଇ ଦର୍ଶକଙ୍କୁ ବିଭ୍ରାନ୍ତ କରାଯିବା ଉଚିତ୍ ନୁହେଁ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି।
ଧାରାବାହିକରେ ସତ ସାପ, ହସ୍ତକ୍ଷେପ କରିବ ବନ୍ୟଜନ୍ତୁ ଅପରାଧ ନିୟନ୍ତ୍ରଣ ବୋର୍ଡ
/sambad/media/post_attachments/wp-content/uploads/2018/06/snake.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)