ବାସ୍ତବବାଦୀ ଚିନ୍ତାଧାରା ସତ୍ୟଜିତ ରାୟଙ୍କ ସଫଳତାର ରହସ୍ୟ

ଟାଟା ଷ୍ଟିଲ ଭୁବନେଶ୍ବର ସାହିତ୍ୟ ଉତ୍ସବ ଉଦ୍‌ଯାପିତ

ଭୁବନେଶ୍ବର: ଚଳଚ୍ଚିତ୍ର ନିର୍ମାତା ସତ୍ୟଜିତ ରାୟଙ୍କ ସଫଳତାର ରହସ୍ୟ ହେଉଛି ତାଙ୍କ ବାସ୍ତବବାଦୀ ଚିନ୍ତାଧାରା। ସେ ଏକାଧାରାରେ ଜଣେ ଚଳଚ୍ଚିତ୍ର ନିର୍ମାତା, ଲେଖକ, ସଂଗୀତଜ୍ଞ ଥିଲେ। ଶେଷ ଅଧିବେଶନର ଶୀର୍ଷକ ‘ସତ୍ୟଜିତ ରାୟ ଶତବାର୍ଷିକୀ’ ଆଲୋଚନାରେ ଯୋଗଦେଇ ଏହା କହିଛନ୍ତି ବର୍ଷିଆନ୍‌ ଅଭିନେତା ଧ୍ରୁତିମାନ ଚାଟାର୍ଜୀ। ସୁଜାନ୍‌ ମୁଖାର୍ଜୀଙ୍କ ସହ ଆଲୋଚନାରେ ଶ୍ରୀ ଚାଟାର୍ଜୀ କହିଥିଲେ, କମ୍‌ ଟଙ୍କାରେ କିପରି ସଫଳ ଏବଂ ଗ୍ରହଣୀୟ ଚଳଚ୍ଚିତ୍ର ନିର୍ମାଣ ହୋଇପାରିବ, ତାହାର କଳା ସତ୍ୟଜିତ୍‌ ରାୟଙ୍କଠାରୁ ଶିଖିବାକୁ ମିଳେ।

ଚଳଚ୍ଚିତ୍ର ନିର୍ମାତା କପିଳାସ ଭୂୟାଁ କହିଥିଲେ, ସତ୍ୟଜିତ ରାୟ ନିଜର ସୃଜନଶୀଳତା ପାଇଁ ସର୍ବଦା ଚିରସ୍ମରଣୀୟ ରହିବେ। ବିଶିଷ୍ଟ ସିନେ ସମୀକ୍ଷକ ସୂର୍ଯ୍ୟ ଦେଓ କହିଥିଲେ, ୧୯୭୨ ମସିହାରେ ସତ୍ୟଜିତ ରାୟ ଜେ.ପି ଦାସଙ୍କ ‘ପ୍ରଥମ ପୁରୁଷ’ ପାଇଁ ଏକ ପୁସ୍ତକର ପ୍ରଚ୍ଛଦ ପୃଷ୍ଠା ତିଆରି କରିଥିଲେ। ଅନନ୍ତ ମହାପାତ୍ରଙ୍କ ଦ୍ବାରା ପ୍ରକାଶିତ ଏହି ବହିର ପ୍ରଚ୍ଛଦ ପୃଷ୍ଠା ପାଇଁ ସେ ଶ୍ରୀ ମହାପାତ୍ରଙ୍କୁ ଏକ ଚିଠି ମଧ୍ୟ ଲେଖିଥିଲେ। ଏହି ଛୋଟିଆ କଥାରୁ ଶ୍ରୀ ରାୟଙ୍କ କାମ ପ୍ରତି ଥିବା ଉତ୍ସର୍ଗୀକୃତ ମନୋଭାବର ପରିଚୟ ମିଳେ।

ସମ୍ବନ୍ଧିତ ଖବର