ପୁନରୁଦ୍ଧାର ହେଉଛି ‘ଭକ୍ତ ସାଲବେଗ’

ଭୁବନେଶ୍ବର: ଭକ୍ତ ସାଲବେଗଙ୍କୁ ଦର୍ଶନ ଦେବା ନିମନ୍ତେ ଏକଦା ୩ ଠାକୁରଙ୍କ ରଥ ବଡ଼ଦାଣ୍ଡରେ ଅଟକି ଯାଇଥିଲା। ସୁଦୂର ବୃନ୍ଦାବନରୁ ସାଲବେଗ ଆସି ପହଞ୍ଚିବା ପରେ ଗଡ଼ିଥିଲା ୩ ରଥ। ଭକ୍ତି ଓ ଭାବ ରସର ଏହି ଅବିସ୍ମୃତ କଥାବସ୍ତୁକୁ ନେଇ ୧୯୮୩ରେ ମୁକ୍ତିଲାଭ କରିଥିଲା ଓଡ଼ିଆ ଚଳଚ୍ଚିତ୍ର ‘ଭକ୍ତ ସାଲବେଗ’। ଜୟ ଜଗନ୍ନାଥ ଫିଲ୍ମସ୍‌ ନିବେଦିତ ଏହି ଚଳଚ୍ଚିତ୍ରଟି ବହୁତ ଖରାପ ସ୍ଥିତିରେ ଥିବା ବେଳେ ଏହାକୁ ପୁନରୁଦ୍ଧାର କରିବାକୁ ଅଣ୍ଟା ଭିଡ଼ିଛନ୍ତି ‘ଫିଲ୍ମ ଜର୍ଣ୍ଣାଲିଷ୍ଟ ଫୋରମ୍‌’ ଏବଂ ‘କୌସ୍ତୁଭ ଡ୍ରିମ୍‌ ୱାର୍କ ପ୍ରାଇଭେଟ୍‌ ଲିମିଟେଡ୍‌ର ଭିଡିଓ ଷ୍ଟ୍ରିମିଙ୍ଗ୍‌ ପ୍ଲାଟ୍‌ଫର୍ମ’।

ଫଳରେ ଦୀର୍ଘ ୨୫ ବର୍ଷ ପରେ ପୁଣି ଏହି ଚଳଚ୍ଚିତ୍ରର ଭକ୍ତି ରସରେ ଭିଜି ପାରିବେ ଦର୍ଶକ। ଚଳଚ୍ଚିତ୍ରର ଅନ୍ୟତମ ପ୍ରଯୋଜକ ସୂର୍ଯ୍ୟ ନାରାୟଣ ମହାନ୍ତିଙ୍କଠାରୁ ଏହି ଚଳଚ୍ଚିତ୍ରର ‘ଇଣ୍ଟରନାସ୍‌ନାଲ୍‌ ଟ୍ରାକ୍‌’ ସଂଗୃହୀତ ହୋଇଥିଲା। ଏଥିରେ କେବଳ ଇଫେକ୍ଟ ଓ ସଂଗୀତ ଥିଲା କିନ୍ତୁ ସଂଳାପ ନଥିଲା। ଭିଡିଓ ଭଲ ଥିଲେ ହେଁ ସଂଳାପ ନଷ୍ଟ ହୋଇଯାଇଥିଲା। ତେଣୁ ପରବର୍ତୀ ସମୟରେ ଏହାର ଅଡିଓ ତଥା ଭିଏଚ୍‌ଏସ୍‌ କ୍ୟାସେଟ୍‌ ବାପୁ ଲେଙ୍କାଙ୍କଠାରୁ ସଂଗ୍ରହ କରାଯାଇଥିଲା। ଏବେ ଉଭୟ ଅଡିଓ ଓ ଭିଡିଓକୁ ଏକାଠି କରି ସମ୍ପାଦନା କାମ ଚାଲୁ ରହିଛି। ତେବେ ଏହି ଚଳଚ୍ଚିତ୍ରରେ ବିଶିଷ୍ଟ ଗୀତିକାର ଗୁଲ୍‌ଜାରଙ୍କ ରଚିତ ଏବଂ ମାନା ଦେ ଓ ଅନୁରାଧା ପୌଡୱାଲ୍‌ଙ୍କ କଣ୍ଠରେ ପ୍ରସ୍ତୁତ ଊର୍ଦୁ ଗୀତଟି ପୁନରୁଦ୍ଧାର କରାଯାଇପାରିନାହିଁ। ମାତ୍ର ‘ଆହେ ନୀଳ ଶଇଳ.., ଜଗବନ୍ଧୁ ହେ ଗୋସାଇଁ.., ତାରିବା ଶକତି ଅଛି ବୋଲି.., ଚାଲ ସଖୀ ଆମ୍ଭେ ଦର୍ଶନ କରିବା.., ଏକା ତୋ ଭକତ ଜୀବନ..ଭଳି କାଳଜୟୀ ଗୀତଗୁଡ଼ିକୁ ଚଳଚ୍ଚିତ୍ର ମଧ୍ୟରେ ଶୁଣିବାର ସୁଯୋଗ ମିଳିବ। ଏଥିସହ ଉତ୍ତମ ମହାନ୍ତି, ଅପରାଜିତା, ଅନିତା ଦାସ, ଦୁଃଖୀରାମ ସ୍ବାଇଁ, ବୀରେନ ରାଉତରାୟ, ବ୍ୟୋମକେଶ ତ୍ରିପାଠୀ ପ୍ରମୁଖଙ୍କ ଅଭିନୟ ମଧ୍ୟ ଦେଖିବାର ସୁଯୋଗ ମିଳିବ। ଅଗଷ୍ଟ ଶେଷ ସପ୍ତାହରେ ଏହି ଚଳଚ୍ଚିତ୍ରଟି ପ୍ରଦର୍ଶିତ ହେବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର