ଭୁବନେଶ୍ବର : ବାତ୍ୟା ‘ଫନି’ ମାଡ଼ରେ ଛାରଖାର୍‌ ହୋଇଥିବା ଭୁବ‌ନେଶ୍ବର ଏବେ ସ୍ବାଭାବିକ ସ୍ଥିତିକୁ ଫେରୁଛି। ଗମନାଗମନ ସୁଗମ ହେବା ସହ ପରିବହନ ସେବା ବି ଟ୍ରାକ୍‌କୁ ଫେରିଛି। ପ୍ରଥମେ ବିମାନ ସେବା ସ୍ବାଭାବିକ ଅବସ୍ଥାକୁ ଫେରିଥିଲା। ଆଉ ଏବେ ଟ୍ରେନ୍‌ ଓ ବସ୍‌ ସେବା ବି ସ୍ବାଭାବିକ ସ୍ଥିତିକୁ ଆସିଛି। ବରମୁଣ୍ଡା ବସ୍‌ଷ୍ଟାଣ୍ଡ ପୁଣିଥରେ ପୂର୍ବ ସ୍ଥିତିକୁ ଫେରିଛି। ସିଟି ବସ୍‌ ସେବା ବି ସ୍ବାଭାବିକ ହୋଇଛି। ୧୯ଟି ରୁଟ୍‌ରେ୧୭୦ଟି ବସ୍‌ ଚଳାଚଳ ଆରମ୍ଭ କରିଛି। କେବଳ ୩୧ ନମ୍ବର ରୁଟ୍‌(ହାଇଟେକ୍‌ ମେଡିକାଲ କଲେଜ-ମାଷ୍ଟରକ୍ୟାଣ୍ଟିନ୍‌)ର ୮ଟି ବସ୍‌ ବ୍ୟତୀତ ଅନ୍ୟ ସବୁ ଅଞ୍ଚଳରେ ଚଳାଚଳ ସ୍ବାଭାବିକ ହୋଇଛି। ବାକି ୧୨ଟି ବସ୍‌ ଆସନ୍ତା ଦୁଇରୁ ତିନି ଦିନ ମଧ୍ୟରେ ଚଳାଚଳ କରି। ‘ମୋ ସାଇକେଲ’ ବି ପୁଣିଥରେ ଟ୍ରାକ୍‌କୁ ଫେରିଛି। ସହରର ୩୦୦ ଷ୍ଟେସନ୍‌ରେ ଲୋକଙ୍କୁ ସେବା ଯୋଗାଉଥିବା ୧୮୦୦ ସାଇକେଲ୍‌ ମଧ୍ୟରୁ ୪୦୦ ଏବେ ଟ୍ରାକ୍‌କୁ ଲେଉଟିଛି। ଯାହାକି ସହରବାସୀଙ୍କୁ କିଛି ମାତ୍ରାରେ ଖୁସି ଦେଇଛି।

Advertisment

publive-image

କେବଳ ପରିବହନ କି ଗମନାଗମନ ନୁହେଁ। ପାର୍କ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ପେଟ୍ରୋଲ୍‌ ପମ୍ପ, ପର୍ଯ୍ୟଟନସ୍ଥଳୀ ବି ପୁଣିଥରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ପ୍ରସ୍ତୁତ ହେଉଛି। ଇତି ମଧ୍ୟରେ ସହରର ଅର୍ଧାଧିକ ପାର୍କ କାମ ଶେଷ ହୋଇଛି। ପୁନରୁଦ୍ଧାର ହେବା ସହ ସହରବାସୀଙ୍କ ଲାଗି ଖୋଲିଛି। ସକାଳେ ଓ ସନ୍ଧ୍ୟାରେ ଲୋକେ ପାର୍କରେ ଭ୍ରମଣର ମଜା ଉଠାଉଛନ୍ତି। ତଥାପି ଯେଉଁ ପାର୍କ ରହିଛି ତାହାର କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ଆଇଜି ପାର୍କରେ ସୌନ୍ଦର୍ଯ୍ୟ ଫେରାଇ ଆଣିବାକୁ ପ୍ରୟାସ ହେଉଛି। ନୀଳାଦ୍ରିବିହାରସ୍ଥିତ ବୁଦ୍ଧ ଜୟନ୍ତୀ ପାର୍କରେ ସଫେଇ ଜୋରଦାର ଚାଲିଛି। କେତେକ ପାର୍କରେ ଥିବା ମୁକ୍ତାକାଶ ଜିମ୍‌ ବି ପ୍ରସ୍ତୁତ ହେଉଛି। ଯେଉଁଠି ଭାଙ୍ଗିଯାଇଥିଲା ତାହାର ମରାମତି ଚାଲିଛି।

publive-image

ଏକାମ୍ରକ୍ଷେତ୍ର ତଥା ପୁରୁଣା ଭୁବନେଶ୍ବରର ପୂର୍ବ ସ୍ଥିତି ଫେରାଇ ଆଣିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଦିନରାତି ଏକକରି ଶତାଧିକ କର୍ମଚାରୀ ସଫେଇ ଜାରି ରଖିଛନ୍ତି। ମନ୍ଦିର ପରିସର ସହ ରାସ୍ତାଘାଟ ସଫେଇ ହେଉଛି। ବିନ୍ଦୁସାଗର, ଲିଙ୍ଗରାଜ ମନ୍ଦିର, ମୁକ୍ତେଶ୍ବର ଓ ରାଜାରାଣୀ ମନ୍ଦିରକୁ ପ୍ରାଥମିକତା ଦିଆଯାଇ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ନଷ୍ଟ ହୋଇଯାଇଥିବା ବିନ୍ଦୁସାଗରର ସୌନ୍ଦର୍ଯ୍ୟକୁ ଫେରାଇ ଆଣିବାକୁ ସମସ୍ତେ ଲାଗିପଡ଼ିଛନ୍ତି। ସହରରେ ଥିବା ସାଂସ୍କୃତିକ ମଣ୍ଡପ ଯଥା, ଜୟଦେବ ଭବନ, ରବୀନ୍ଦ୍ର ମଣ୍ଡପ, ଭଞ୍ଜକଳା ମଣ୍ଡପକୁ ସ୍ବାଭାବିକ କରିବା ଲାଗି ସମସ୍ତ ପ୍ରକାର ପ୍ରୟାସ ଜାରି ରହିଛି। ଓଡ଼ିଶା ସମେତ ଆନ୍ଧ୍ର ଓ ପଶ୍ଚିମବଙ୍ଗରୁ ଆସିଥିବା କୁଶଳୀ କାରିଗରଙ୍କ ସହଯୋଗ ପାଇଁ ଆଜି ରାଜଧାନୀର ଅଧିକାଂଶ ସ୍ଥାନରେ ପୁଣିଥରେ ବିଜୁଳି ଜଳିପାରିଛି। ଆଉ ଯେତିକି ବାକି ରହିଛି ଆସନ୍ତା ୨ରୁ ୩ ଦିନ ମଧ୍ୟରେ ସ୍ଥିତି ସ୍ବାଭାବିକ ହୋଇଯିବ ବୋଲି କୁହାଯାଇଛି।

publive-image

ସହରର ସବୁଜିମାକୁ ପୁଣିଥରେ ଫେରି ଆସିବାକୁ ବହୁ ବର୍ଷ ଲାଗିବ। ତେବେ ବି ଯେଉଁ ସବୁଜିମା ରହିଛି ତାହାକୁ କିଭଳି ବଞ୍ଚାଇ ରଖାଯାଇ ପାରିବ ସେଥିପ୍ରତି ଗୁରୁତ୍ବ ଦିଆଯାଇଛି। ରାସ୍ତାପାର୍ଶ୍ବରେ ପଡ଼ିରହିଥିବା ଗଛ ଗଣ୍ଡିକୁ ସ୍ଥାନାନ୍ତର କରାଯାଉଛି। ରାତିରେ ବି ମେସିନ୍‌ ଲଗାଇ ଉଠାଯାଉଛି। ଏନ୍‌ଡିଆରଏଫ୍‌, ଓଡ୍ରାଫ୍‌ ଟିମ୍‌ ମଧ୍ୟ ଦିନରାତି ଏକ କରି ସହରବାସୀଙ୍କ ସେବାରେ ଲାଗିପଡ଼ିଛନ୍ତି। ଲୋକେ ମଧ୍ୟ ନିଜ ଘର ସଜାଡ଼ିବାରେ ଲାଗିପଡ଼ିଛନ୍ତି। ଏଭଳି ଦୃଶ୍ୟଗୁଡ଼ିକ ଦେଖିଲେ ଲାଗୁଛି ଆଉ ବେଶି ଦିନ ନୁହେଁ। ଖୁବ୍‌ଶୀଘ୍ର ସ୍ବାଭାବିକ ସ୍ଥିତିକୁ ଫେରିବ ସବୁଜ ସୁନ୍ଦର ରାଜଧାନୀ ଭୁବନେଶ୍ବର।