ଭୁବନେଶ୍ବର: କଳ୍ପନା ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ବା ୟୁପିଏଚ୍ସିରେ ଜଣେ କର୍ମଚାରୀଙ୍କ ବେପରୁଆ କାମ ପାଇଁ ସ୍ବାସ୍ଥ୍ୟ ବିଭାଗ ଅଡ଼ୁଆରେ ପଡ଼ିଛି। କର୍ମଚାରୀଜଣକ କାହାକୁ ନ ଜଣାଇ ଛୁଟିରେ ପଳାଇବା କାରଣରୁ ହସ୍ପିଟାଲ ଉନ୍ନତୀକରଣ କାର୍ଯ୍ୟ ଠପ୍ ହୋଇଯାଇଛି। କେବଳ ସେତିକି ନୁହେଁ, ହସ୍ପିଟାଲରେ କାର୍ଯ୍ୟ କରୁଥିବା ଅନେକ ଅସ୍ଥାୟୀ କର୍ମଚାରୀଙ୍କ ଦରମା ମଧ୍ୟ ବନ୍ଦ ରହିଛି। ଏହାକୁ ନେଇ ଆଜି ଜାତୀୟ ସ୍ବାସ୍ଥ୍ୟ ମିସନ୍ ପକ୍ଷରୁ ଘଟଣାର ତଦନ୍ତ କରାଯାଇଛି।
ସୂଚନା ଅନୁସାରେ, ଜାତୀୟ ସ୍ବାସ୍ଥ୍ୟ ମିସନ୍ ପକ୍ଷରୁ ସଂପୃକ୍ତ ଅସ୍ଥାୟୀ କର୍ମଚାରୀଙ୍କୁ କଳ୍ପନା ୟୁପିଏଚ୍ସିରେ କ୍ଲର୍କ ଭାବେ ନିଯୁକ୍ତି ଦିଆଯାଇଥିଲା। ମାତ୍ର କିଛି ମାସ ହେବ ସେ କାହାକୁ ସୂଚନା ନ ଦେଇ ଛୁଟିରେ ପଳାଇଥିଲେ। କର୍ମଚାରୀଙ୍କ ଏଭଳି କାର୍ଯ୍ୟ ବିରୋଧରେ ହସ୍ପିଟାଲର ଭାରପ୍ରାପ୍ତ ଅଧିକାରୀ ସ୍ବାସ୍ଥ୍ୟ ବିଭାଗକୁ ଚିଠି ଲେଖିଥିଲେ। ଏକାଧିକବାର ଏଥିପାଇଁ ହସ୍ପିଟାଲ ପକ୍ଷରୁ ଚିଠି ଲେଖାଯାଇଥିବା ସୂଚନା ମିଳିଛି। କର୍ମଚାରୀଜଣକ ମନଇଚ୍ଛା ଛୁଟିରେ ପଳାଇଥିବାରୁ ହସ୍ପିଟାଲ ଅଧୀନରେ କାର୍ଯ୍ୟ କରୁଥିବା ୧୦ରୁ ଅଧିକ ଆଶାକର୍ମୀ ଓ ଅସ୍ଥାୟୀ କର୍ମଚାରୀଙ୍କୁ ମାସାଧିକ କାଳ ଦରମା ମିଳି ପାରିନାହିଁ। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଗତ ଆର୍ଥିକ ବର୍ଷରେ ହସ୍ପିଟାଲର ନବୀକରଣ, ଔଷଧ ବାବଦ ଓ ଅନ୍ୟାନ୍ୟ ଖର୍ଚ ପାଇଁ ଲକ୍ଷାଧିକ ଟଙ୍କା ହସ୍ପିଟାଲକୁ ଆସିଥିଲା। ମାତ୍ର ସଂପୃକ୍ତ କର୍ମଚାରୀଙ୍କ ପାଖରେ ସମସ୍ତ କାଗଜପତ୍ର ରହିଥିବା କାରଣରୁ କାମ ଆଗେଇ ପାରି ନାହିଁ। ଶେଷରେ ହସ୍ପିଟାଲକୁ ଆସିଥିବା ଅର୍ଥ ଫେରିଯାଇଥିବା ସୂଚନା ମିଳିଛି।
ଜାତୀୟ ସ୍ବାସ୍ଥ୍ୟ ମିସନ୍ ଅଧିକାରୀଙ୍କ ତଦନ୍ତ
ଅନ୍ୟ ଜଣେ କର୍ମଚାରୀଙ୍କୁ ଦାୟିତ୍ବ ଦିଆଯାଇଛି: ଏଡିୟୁପିଏଚ୍ଓ
ଆଜି ଏନ୍ଏଚ୍ଏମ୍ ଅଧିକାରୀଙ୍କ ସମେତ ଜନସ୍ବାସ୍ଥ୍ୟ ଅଧିକାରୀ ଓ ଏଡିୟୁପିଏଚ୍ଓ କଳ୍ପନା ୟୁପିଏଚ୍ସିକୁ ଆସି ଘଟଣାର ତଦନ୍ତ କରିଥିଲେ। ସଂପୃକ୍ତ କର୍ମଚାରୀଜଣକ ହସ୍ପିଟାଲକୁ ଆସିବା ସହ ଆବଶ୍ୟକ କାଗଜପତ୍ର କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଥିଲେ। ଏବେ ହସ୍ପିଟାଲର ଅନ୍ୟ ଜଣେ କର୍ମଚାରୀଙ୍କୁ ଏହି ଦାୟିତ୍ବ ଦିଆଯାଇଛି। ଏଡିୟୁପିଏଚ୍ଓ ଡା. ଅନ୍ତର୍ଯ୍ୟାମୀ ମିଶ୍ର କହିଛନ୍ତି, ସଂପୃକ୍ତ କର୍ମଚାରୀଜଣକ କାହାକୁ ନ ଜଣାଇ ଛୁଟିରେ ପଳାଇ ଥିବାରୁ ଏଭଳି ସମସ୍ୟା ଉପୁଜିଛି। ଯେହେତୁ ତାଙ୍କୁ ଏନ୍ଏଚ୍ଏମ୍ ପକ୍ଷରୁ ନିଯୁକ୍ତି ଦିଆଯାଇଥିଲା, ଏନ୍ଏଚ୍ଏମ୍ ଅଧିକାରୀମାନେ ଆଜି ହସ୍ପିଟାଲକୁ ଆସି ଘଟଣାର ତଦନ୍ତ କରିଛନ୍ତି। କର୍ମଚାରୀଙ୍କ ଦରମା ଓ ଅନ୍ୟାନ୍ୟ କାର୍ଯ୍ୟ ଯେପରି ସୁରୁଖୁରୁରେ ହୋଇପାରିବ, ସେଥିଲାଗି ଅନ୍ୟ କର୍ମଚାରୀଙ୍କୁ ଦାୟିତ୍ବ ଦିଆଯାଇଛି। ଘଟଣାର ତଦନ୍ତ ହୋଇଥିବାରୁ ଏନ୍ଏଚ୍ଏମ୍ ପକ୍ଷରୁ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡା. ମିଶ୍ର ସୂଚନା ଦେଇଛନ୍ତି।