ଭରତପୁରରେ ନୂଆ ଥାନାକୁ ସ୍ବୀକୃତି

ସହିଦନଗର ଓ ମଞ୍ଚେଶ୍ବର ଥାନା ଅଡ଼ୁଆ ରହିଲା

ଭୁବନେଶ୍ବର : ଭୁବନେଶ୍ବର ମହାନଗର ନିଗମ ୨୨ ନମ୍ବର ୱାର୍ଡ ଭରତପୁରରେ ଏକ ନୂଆ ଥାନା ପ୍ରତିଷ୍ଠା ପାଇଁ ଆଜି ମୁଖ୍ୟମନ୍ତ୍ରୀଙ୍କ ସ୍ବୀକୃତି ମିଳି ଯାଇଛି। ଖଣ୍ଡଗିରି ଥାନା ଅନ୍ତର୍ଗତ ଅଞ୍ଚଳର କିଛି ଅଂଶକୁ ନେଇ ଏହି ନୂଆ ଥାନାର ସୀମା ନିର୍ଦ୍ଧାରଣ ହେବ। ଫଳରେ ଖଣ୍ଡଗିରି ଥାନା ଉପରୁ ଚାପ କମିବା ସହ ଅପରାଧ ନିୟନ୍ତ୍ରଣ ସହଜ ହେବ। ଏଥିସହ ଅନ୍ୟ କେତେକ ଥାନାଗୁଡ଼ିକରେ ମଧ୍ୟ ପୁଲିସ କର୍ମଚାରୀ ସଂଖ୍ୟା ବୃଦ୍ଧି କରାଯାଇଛି। କମ୍‌ ସଂଖ୍ୟକ ପୁଲିସ ‌ଥିବା ଥାନାରେ କର୍ମଚାରୀଙ୍କ ଉପରେ ପଡ଼ୁଥିବା ପ୍ରବଳ ଚାପ କମିଯିବ ବୋଲି ପୁଲିସ କମିସନର୍‌ ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି। ଏଥିପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଖଣ୍ଡଗିରି ଥାନା ଅଞ୍ଚଳରେ ପାଖାପାଖି ୪ଲକ୍ଷ ଜନସଂଖ୍ୟା ରହିଛି। ସ୍ଥାନୀୟ ଲୋକଙ୍କ ଦାବି ଓ ଅପରାଧ ନିୟନ୍ତ୍ରଣ ଗୁରୁତ୍ବକୁ ଉପଲବ୍ଧି କରି କମିସନରେଟ୍‌ ପୁଲିସ ପକ୍ଷରୁ ସରକାରଙ୍କୁ ଏହି ଥାନାକୁ ଭାଗ କରିବାକୁ ଅନୁ‌ରୋଧ କରାଯାଇଥିଲା। ତେଣୁ ଭରତପୁରରେ ଆଉ ଏକ ନୂଆ ଥାନା ପ୍ରତିଷ୍ଠା ପାଇଁ ଉଭୟ ସ୍ଥାନୀୟ ଲୋକ ଓ ପୁଲିସ ବିଭାଗ ପକ୍ଷରୁ ଗୃହ ବିଭାଗକୁ ଅନୁରୋଧ କରାଯାଉଥିଲା। ତେଣୁ ଆଜି ମୁଖ୍ୟମନ୍ତ୍ରୀ ଏହି ନୂଆ ଥାନା ପ୍ରତିଷ୍ଠା ପାଇଁ ମଞ୍ଜୁରି ଦେବା ପରେ ସବୁ ମହଲରେ ଏହାକୁ ସ୍ବାଗତ କରାଯାଇଛି। ଏହି ନୂଆ ଥାନାରେ ଜଣେ ଇନ୍‌ସ୍‌ପେକ୍ଟରଙ୍କ ସମେତ ୬ ଏସ୍‌ଆଇ, ୩ ଏଏସ୍‌ଆଇ ଓ ୨୧ କନେଷ୍ଟବଳ ପଦ ସୃଷ୍ଟି କରାଯାଇଛି। ସେହିଭଳି ବାଲିପାଟଣା, ଚନ୍ଦକା, ନୂଆପଲ୍ଲୀ, ଚନ୍ଦ୍ରଶେଖରପୁର, ଏୟାର୍‌ଫିଲ୍ଡ, ଶ୍ରୀଲିଙ୍ଗରାଜ, ଜଟଣୀ, ବାଲିଅନ୍ତା, ଖଣ୍ଡଗିରି, ମଞ୍ଚେଶ୍ବର ଥାନା ସମେତ ବନମାଳୀପୁର ଆଉଟ୍‌ ପୋଷ୍ଟରେ ମଧ୍ୟ କର୍ମଚାରୀଙ୍କ ସଂଖ୍ୟା ବଢ଼ା ଯାଇଛି। ଏଣୁ ଏଣିକି ଅପରାଧ ନିୟନ୍ତ୍ରଣ ସହ ଜନସାଧାରଣ ପାଉଥିବା ପୁଲିସ ସେବାରେ ଉନ୍ନତି ଆସିବ ବୋଲି କମିସନର ଶ୍ରୀ ଷଡ଼ଙ୍ଗୀ ଆଶାବ୍ୟକ୍ତ କରିଛନ୍ତି।

ସୂଚନାଯୋଗ୍ୟ, ୧୯୮୩ ମସିହାରେ ଶହେ ବର୍ଗକିଲୋମିଟର ଅଞ୍ଚଳ ଓ ୨୦ ହଜାର ଜନସଂଖ୍ୟାକୁ ନେଇ ଖଣ୍ଡଗିରି ଥାନା ଆରମ୍ଭ ହୋଇଥିଲା। ଏବେ ଜନସଂଖ୍ୟା ୪ଲକ୍ଷରେ ପହଞ୍ଚିଛି। କେତେକ ବଡ଼ ବଡ଼ ଅନୁ‌ଷ୍ଠାନ ମଧ୍ୟ ଗଢ଼ି ଉଠିଛି। ତେବେ ଭରତପୁର ନୂଆ ଥାନା ୨୫ ବର୍ଗ କିଲୋମିଟର ଅଞ୍ଚଳକୁ ନେଇ କାମ କରିବ। ଏଥିରେ ବିଏମ୍‌ସିର ୨୨, ୨୩, ୨୪, ୪୯ ୱାର୍ଡ ସମେତ ୧୭ଟି ଗାଁ ଓ ପାଇକରାପୁର ପଞ୍ଚାୟତ ଏମିତି ମୋଟ୍‌ ୨ ଲକ୍ଷ ଜନସଂଖ୍ୟା ସାମିଲ ହେବେ। ଏହି ଅଞ୍ଚଳର ପୁରୁଣା ମାମଲା ସବୁ ଏହି ନୂଆ ଥାନାକୁ ସ୍ଥାନାନ୍ତର ହେବ ବୋଲି ସୂଚନା ମିଳିଛି।

ଅପରପକ୍ଷେ ମଞ୍ଚେଶ୍ବର ଓ ସହିଦନଗର ଥାନା ଅଞ୍ଚଳରେ ଥିବା ଅଡ଼ୁଆ ସେମିତି ରହିଛି। ସୀମାକୁ ନେଇ ରହିଥିବା ଅଡ଼ୁଆ ପାଇଁ ଅନେକ ସମୟରେ ପୁଲିସ ଘଟଣାସ୍ଥଳରେ ବିଳମ୍ବରେ ପହଞ୍ଚୁଛି। ଫଳରେ ଅପରାଧ ନିୟନ୍ତ୍ରଣ ଆଶାନୁରୂପକ ହୋଇପାରୁନାହିଁ। ଏହି ଦୁଇ ଥାନା ଅଞ୍ଚଳରେ ଥିବା ସୀମା‌ ବିବାଦ ଓ ଭୌଗୋଳିକ ସ୍ଥିତିକୁ ନେଇ ଅପରାଧୀମାନେ ବେଶ୍‌ ଫାଇଦା ମଧ୍ୟ ଉଠାଉଛନ୍ତି। ପୁଲିସ ମଧ୍ୟ ଅନେକ ସମୟରେ ଆକ୍ରୋଶର ଶିକାର ହୋଇଛି।

ମଞ୍ଚେଶ୍ବର ଥାନା ଅଞ୍ଚଳରେ ଏବେ ୨ଲକ୍ଷ ୧୭ ହଜାର ବାସିନ୍ଦା ଅଛନ୍ତି। କ୍ରମାଗତ ଭାବରେ ଏହି ଅଞ୍ଚଳରେ ବଡ଼ ବଡ଼ ମଲ୍‌ ସହ ଆପାର୍ଟମେଣ୍ଟ ମଧ୍ୟ ବୃଦ୍ଧି ପାଉଛି। ପେଟ ପୋଷିବା ଆଶାରେ ଭୁବନେଶ୍ବର ଆସୁଥିବା ଭଡ଼ାଟିଆଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି। ଏହି ଥାନାଠାରୁ ୯ କିଲୋମିଟର ଦୂରରେ ରହିଛି କୃଷ୍ଣଶରଣପୁର। ଏହି ଅଞ୍ଚଳଟି ନନ୍ଦନକାନନ ଥାନା ଅଞ୍ଚଳକୁ ଲାଗି ରହିଛି। ପୁଣି ଏହି ଅଞ୍ଚଳକୁ ଯିବାକୁ ହେଲେ ସହିଦନଗର ଥାନା ଅଞ୍ଚଳରେ ପଶି ଯିବାକୁ ପଡ଼ୁଛି। ତେଣୁ ମଞ୍ଚେଶ୍ବର ଥାନା ପାଇଁ ଏହା ଏକ ସମସ୍ୟା ହୋଇ ରହିଛି। ସେହିଭଳି ଇନ୍‌ଫୋସିଟି ଥାନା ସୀମାରେ ଥିବା କୋରଡ଼କଣ୍ଟା ମଧ୍ୟ ଏହି ଥାନା ପାଇଁ ଅପହଞ୍ଚ ଇଲାକା ଭଳି ରହିଛି। ସେହିଭଳି ସହିଦନଗର ଥାନାର କେତେକ ଅଞ୍ଚଳକୁ ନେଇ ସୀମା ବିବାଦ ରହିଛି। କେଶୁରା, କୋରଡ଼କଣ୍ଟା, ବାସୁଆଘାଇ, ବାଙ୍କୁଆଳ ପ୍ରଭୃତି ଅଞ୍ଚଳ ଥାନାଠାରୁ ୧୦ରୁ ୧୨ କିଲୋମିଟର ଦୂରରେ ରହିଛି। ଏଠାକୁ ଆସିବାକୁ ହେଲେ ସହିଦନଗର ଥାନା ପୁଲିସକୁ ମଞ୍ଚେଶ୍ବର ଥାନା ଅଞ୍ଚଳ ଦେଇ ଯିବାକୁ ହୁଏ। ଏହି ସବୁ ଅଞ୍ଚଳ ଲକ୍ଷ୍ମୀସାଗର, ବଡ଼ଗଡ଼ ଓ ମଞ୍ଚେଶ୍ବର ଥାନା ସୀମାରେ ରହିଥିବାରୁ ଅନେକ ସମୟରେ ଅପରାଧ ଖବର ପାଇ ୩ ଥାନାରୁ ପିସିଆର ଭ୍ୟାନ୍‌ ଆସିବା ନଜିର ରହିଛି। ଅନେକ ସମୟରେ ଖବର ପାଇ ଅନ୍ୟ ଥାନା ଅଞ୍ଚଳରେ ଘଟିଛି କହି ପୁଲିସ ସେଠାକୁ ନ ଆସିବାର ଉଦାହରଣ ରହିଛି। ସହିଦନଗର ଥାନାଞ୍ଚଳରେ ଏବେ ଜନସଂଖ୍ୟା ୩ଲକ୍ଷ ୭ ହଜାରରେ ପହଞ୍ଚିଥିବାରୁ ଏହି ଥାନାର ନୂତନ ସୀମା ନିର୍ଦ୍ଧାରଣ ଜରୁରି ହୋଇ ପଡ଼ିଛି। ତେବେ ରାଜସ୍ବ ବିଭାଗର ଅବହେଳା ପାଇଁ ଏହା ହୋଇପାରୁନାହିଁ ବୋଲି ଅଭିଯୋଗ ହୋଇଆସୁଛି।

ସମ୍ବନ୍ଧିତ ଖବର