ଅଗଷ୍ଟରେ ଏମ୍ସ ଓପିଡିରେ ରେକର୍ଡ ସଂଖ୍ୟକ ୪୬ ହଜାର ପଞ୍ଜୀକରଣ

ଭୁବନେଶ୍ବର : ଅଗଷ୍ଟ ମାସରେ ଏମ୍ସରେ ରେକର୍ଡ ସଂଖ୍ୟକ ୪୬ ହଜାର ୧୮୬ ରୋଗୀ ପଞ୍ଜୀକରଣ କରିଛନ୍ତି। ଏପ୍ରିଲ ୨୬ ତାରିଖ ଠାରୁ ଜୁନ ୨୮ ତାରିଖ ପର୍ଯ୍ୟନ୍ତ ଅଣକୋଭିଡ୍‌ ରୋଗୀଙ୍କ ପାଇଁ ଏମ୍ସ ଓପିଡି ବନ୍ଦ ଥିଲା। ଏହାପରେ ଖୋଲିଥିଲେ ମଧ୍ୟ ଅଗଷ୍ଟ ମାସର କିଛି ଦିନ ପର୍ଯ୍ୟନ୍ତ ରୋଗୀ ଦେଖିବା ନେଇ କଟକଣା ରହିଥିଲା। ଏଥିଯୋଗୁଁ ରୋଗୀ ଆସି ପାରୁନଥିଲେ। ବର୍ତ୍ତମାନ ସ୍ଥିତି ସ୍ବାଭାବିକ ହେବା ପରେ ଓଡ଼ିଶା ସମେତ ରାଜ୍ୟ ବାହାରୁ ରୋଗୀଙ୍କ ଆସିବାରେ ଲାଗିଛନ୍ତି।

ଏମ୍ସ ପକ୍ଷରୁ ଜାରି ସୂଚନା ଅନୁସାରେ, ମେ’ ମାସରେ ୧୦,୫୦୦, ଜୁନରେ ୧୦,୬୭୩ ରୋଗୀ ଓପିଡି ପାଇଁ ପଞ୍ଜୀକୃତ କରିଥିଲେ। କେବଳ ଅଗଷ୍ଟ ମାସରେ ପଞ୍ଜୀକୃତଙ୍କ ସଂଖ୍ୟା ୪ଗୁଣ ବୃଦ୍ଧି ପାଇଛି। ରୋଗୀମାନେ ମୁଖ୍ୟତଃ ଓଡ଼ିଶା ସମେତ ପଡ଼ୋଶୀ ପଶ୍ଚିମବଙ୍ଗରୁ ଆସିଛନ୍ତି। ଲକ୍‌ଡାଉନ୍‌, ଟ୍ରେନ କଟକଣା ଯୋଗୁଁ ପଶ୍ଚିମବଙ୍ଗରୁ ରୋଗୀ ଆସିପାରୁନଥିଲେ। ବର୍ତ୍ତମାନ ଗାଡ଼ି ଚଳାଚଳ ସ୍ବାଭାବିକ ହେବାରୁ ପଶ୍ଚିମବଙ୍ଗରୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏଥିସହିତ ଟ୍ରମା ଏବଂ ଜରୁରୀକାଳୀନ ବିଭାଗ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଅର୍ଥାତ ମେ’ ମାସରେ ୨୮୫୭, ଜୁନରେ ୩୨୭୬ ଏବଂ ଅଗଷ୍ଟରେ ୪୫୯୦ ରୋଗୀ ଟ୍ରମା ଏବଂ ଜରୁରୀକାଳୀନ ବିଭାଗରେ ଦେଖାଇଛନ୍ତି। କୋଭିଡ୍‌ ସ୍କ୍ରିନିଂ ସଂଖ୍ୟା ପୂର୍ବ ମାସ ତୁଳନାରେ ହ୍ରାସ ପାଇଛି। ଅଗଷ୍ଟ ମାସରେ ୬୩୭୫, ଜୁନ୍‌ରେ ୪୯୧୫, ମେ’ରେ ୬୭୨୪ କୋଭିଡ୍‌ ସ୍କ୍ରିନିଂ କରାଇଛନ୍ତି। କଟକଣା ହଟିବା ସହିତ ଅଗଷ୍ଟରେ ଅନ୍ୟ ବିଭାଗରେ ଚିକିତ୍ସିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏହି ମାସରେ ୧୩୨ ଗର୍ଭବତୀଙ୍କ ପ୍ରସବ ହୋଇଥିଲା। ଏଥିରେ ୯ ମହିଳାଙ୍କ ସମେତ ୧୯ କୋଭିଡ୍‌ ପଜିଟିଭ୍‌ ଥିଲେ। ୨୫୩୫ ଜଣ ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା। ଏଥିରୁ ୭୬ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ମେ’ ମାସରେ ୧୫୮୪ଜଣ ରୋଗୀଙ୍କ ମଧ୍ୟରୁ ୯୩୯ଜଣ କୋଭିଡ୍‌ ଆକ୍ରାନ୍ତ, ଜୁନ୍‌ ମାସରେ ୧୮୭୫ ମଧ୍ୟରୁ ୯୭୨ ଜଣ କୋଭିଡ୍‌ ଆକ୍ରାନ୍ତ ଥିଲେ। ଏଥିସହିତ ଏହି ସମୟରେ ୭୮୭ ବଡ଼ ଅସ୍ତ୍ରୋପଚାର, ୩୦୨ ଜରୁରୀକାଳୀନ ଅସ୍ତ୍ରୋପଚାର କରାଯାଇଛି। ୧୬,୭୩୬ ଜଣଙ୍କ ଆର୍‌ଟି-ପିସିଆର ଟେଷ୍ଟ, ୧୫୪ ଜଣଙ୍କ ଆଣ୍ଟିଜେନ ଟେଷ୍ଟ କରାଯାଇଛି। ରେଡିଓଲୋଜିକାଲ ଯାଞ୍ଚ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ମେ’ ରେ ୫୫୮୧, ଜୁନ୍‌ରେ ୮୧୯୦ ଏବଂ ଅଗଷ୍ଟରେ ୧୩ ହଜାର ୯୭୭ ଜଣଙ୍କ ରେଡିଓଲୋଜିକାଲ ଯାଞ୍ଚ କରାଯାଇଛି।

ସମ୍ବନ୍ଧିତ ଖବର