ଭୁବନେଶ୍ୱର: ଦୁଃଖର ଧର୍ମ ନାହିଁ କି ଲୁହର ଜାତି ନାହିଁ। ଶାନ୍ତି, ସାନ୍ନିଧ୍ୟ, ଦୁଃଖ ଓ ଅଭାବ ଯୋଗୁଁ ମଣିଷ ମନ୍ଦିରକୁ ଯାଏ। ସେଠି ଜାତି, ଧର୍ମର ଭେଦଭାବ ରହିବା ଉଚିତ୍ ନୁହେଁ। ସମସ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ ଅନୁମତି ମିଳିବା ଦରକାର। ‘ମୁକ୍ତ ଚିନ୍ତନ ମଞ୍ଚ’ ଏବଂ ‘ଭାରତୀୟ ବିଦ୍ୟାଭବନ’ ପକ୍ଷରୁ ବିଦ୍ୟା ଭବନ ପରିସରରେ ଆୟୋଜିତ ‘ଶ୍ରୀମନ୍ଦିରର ସମସ୍ୟା ଓ ସମାଧାନ’ ଶୀର୍ଷକ ଆଲୋଚନାଚକ୍ରରେ ଏପରି ମତ ରଖିଛନ୍ତି ଅତିଥିବୃନ୍ଦ। ଶ୍ରୀମନ୍ଦିରରେ ଲାଗି ରହିଥିବା ସମସ୍ୟା ସଂକ୍ରାନ୍ତରେ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାଏର କରିଥିବା ଆଇନଜୀବୀ ମୃଣାଳିନୀ ପାଢ଼ୀ କହିଲେ, ୨୦୦୯ରେ ୮୫ ବର୍ଷୀୟା ମହିଳା ମୁମ୍ବାଇରୁ ଆସି ଦର୍ଶନ ନ ପାଇବା ତାଙ୍କୁ ଆନ୍ଦୋଳିତ କରିଥିଲା। ମହିଳାମାନେ ଉତ୍ପୀଡ଼ନର ଶିକାର ହେବାଠୁ ନେଇ ପ୍ରଭୁ ୩୦ ଘଣ୍ଟା ଉପାସ ରହିବା ଏବଂ ୪୦ ହଜାର ଲୋକଙ୍କ ଖାଦ୍ୟ ପୋତା ହେବା ତାଙ୍କୁ ଆଘାତ ଦେବା ପରେ ସେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ମନ୍ଦିରକୁ ସଫାସୁତୁରା, ସୁରୁଖୁରୁରେ ମନ୍ଦିର ମଧ୍ୟରେ ଦର୍ଶନ ଏବଂ ରତ୍ନଭଣ୍ଡାରର ତଦନ୍ତ ନେଇ ସେ ସୁପ୍ରିମକୋର୍ଟକୁ ଯାଇଥିଲେ। ଚୂଡ଼ାନ୍ତ ରାୟ ପ୍ରକାଶ ପାଇନଥିଲେ ହେଁ ସେ ଏହାକୁ ନେଇ ଅନେକ ଆଶାବାଦୀ ଅଛନ୍ତି ବୋଲି କହିଛନ୍ତି। ସେ ଏକଥା ବି କହିଲେ, ଶ୍ରୀମନ୍ଦିରର ରେକର୍ଡ ଅଫ୍ ରାଇଟ୍ସ ଉଚ୍ଛେଦ କରାନଯାଉ। ବରଂ ସଂଶୋଧନ ହେଉ। ନଚେତ ପୂଜା ପଦ୍ଧତି ସମ୍ଭାଳିବା କାଠିକର ହୋଇଯିବ। ସେହିପରି ସେବାୟତମାନଙ୍କ ସାମାଜିକ ଓ ଅର୍ଥନୈତିକ ଦିଗ ପ୍ରତି ଧ୍ୟାନ ଦିଆଯିବା ଆବଶ୍ୟକ ବୋଲି ସେ କହିଥିଲେ। ମଞ୍ଚର ସଭାପତି ସାତକଡ଼ି ହୋତାଙ୍କ ଅଧ୍ୟକ୍ଷତାରେ ଭାରତୀୟ ବିଦ୍ୟାଭବନର ଅଧ୍ୟକ୍ଷ ମେଜର ଜେନେରାଲ୍ ବସନ୍ତ କୁମାର ମହାପାତ୍ର, ପୂର୍ବତନ ଶ୍ରୀମନ୍ଦିର ପ୍ରଶାସକ ରାଜେନ୍ଦ୍ର କୁମାର ମହାନ୍ତି, ସ୍ତମ୍ଭକାର ଭାଗୀରଥି ମହାସୁଆର ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଅବସରରେ ଡ. ଅଭୟ କୁମାର ନାୟକଙ୍କ ରଚିତ ‘ଆଚରଣରେ ଶ୍ରୀଜଗନ୍ନାଥ’ ଏବଂ ପୀତବାସ ରାଉତରାୟଙ୍କ ସମ୍ପାଦିତ ‘ଅପ୍ରତିମ ଶ୍ରୀଜଗନ୍ନାଥ’ ଏବଂ ‘ଅପ୍ରମେୟ ଶ୍ରୀଜଗନ୍ନାଥ’ ଲୋକାର୍ପିତ ହୋଇଥିଲା। ସମ୍ପାଦକ ପୀତବାସ ରାଉତରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଆବାହକ ରମାକାନ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ରେକର୍ଡ ଅଫ୍ ରାଇଟ୍ସ ଉଚ୍ଛେଦ ନୁହେଁ, ସଂଶୋଧନ ହେଉ
ମୁକ୍ତ ଚିନ୍ତନ ମଞ୍ଚର ୧୪୮ତମ ଆଲୋଚନାଚକ୍ର
/sambad/media/post_attachments/wp-content/uploads/2018/08/m15-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)