ସେସୁ ଫ୍ରାଞ୍ଚାଇଜ୍‌ ସଂସ୍ଥାରୁ ଛଟେଇ କର୍ମଚାରୀଙ୍କ ପୁନଃ ନିଯୁକ୍ତି ଦାବିରେ ବିକ୍ଷୋଭ

ବିକ୍ଷୋଭକାରୀ ସେସୁ ଅଧୀନରେ ଚାକିରି କରିନଥିଲେ: ଟିପିସିଓଡିଏଲ୍‌

ଭୁବନେଶ୍ୱର: ଟାଟା ପାୱାର କର୍ପୋରେସନ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌) ବିଦ୍ୟୁତ୍‌ ବିତରଣ ଦାୟିତ୍ବ ନେବା ପରେ ସେସୁର ସମସ୍ତ ଫ୍ରାଞ୍ଚାଇଜ୍‌ ସଂସ୍ଥାରୁ ଶହ ଶହ କର୍ମଚାରୀ ଛଟେଇ ହୋଇଛନ୍ତି। ବିଶେଷକରି ଏନ୍‌ଜେନ୍‌ ଓ ଫେଡ୍‌କୋରୁ ୮୬୦୦ କର୍ମଚାରୀ ଛଟେଇ ହୋଇଛନ୍ତି। କରୋନା ସଙ୍କଟ ସମୟରେ ସେମାନେ ବହୁମାତ୍ରାରେ ପ୍ରଭାବିତ ହୋଇଛନ୍ତି। ଏଣୁ ସେମାନଙ୍କୁ ଟିପିସିଓଡିଏଲ୍‌ରେ ପୁନଃ ନିଯୁକ୍ତି ଦିଆଯାଉ ବୋଲି ଦାବି କରିଛି ପ୍ରଦେଶ ଯୁବ କଂଗ୍ରେସ। ଏନେଇ ଆଜି ଇଡ୍‌କୋ ଟାୱାରରେ ଥିବା ଟାଟା ପାୱାର କାର୍ଯ୍ୟାଳୟ ସାମ୍ନାରେ ଯୁବ କଂଗ୍ରେସ ଓ ଓପେଫା(ଓଡ଼ିଶା ପାୱାର ଇଞ୍ଜିନିୟର୍ସ ଫ୍ରାଞ୍ଚାଇଜି ଆସୋସିଏସନ୍‌) ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଟାଟା ପାୱାର କର୍ତ୍ତୃପକ୍ଷଙ୍କ ସହ ୫ଜଣିଆ ଏକ ଟିମ୍‌ ଆଲୋଚନା କରିଥିଲା। ଛଟେଇ କର୍ମଚାରୀମାନଙ୍କୁ କିଭଳି ପୁନଃ ନିଯୁକ୍ତି ମିଳିପାରିବ, ସେ ନେଇ କର୍ତ୍ତୃପକ୍ଷ ବିଚାର କରିବାକୁ ପ୍ରତିଶ୍ରୁତି ଦେଇଥିବା ଯୁବ କଂଗ୍ରେସ ପକ୍ଷରୁ କୁହାଯାଇଛି।ହେଲେ ଟିପିସିଓଡିଏଲ୍‌ ଭିନ୍ନ କଥା କହିଛି। ଏକ ପ୍ରେସ୍‌ ବିବୃତିରେ ସଂସ୍ଥା ପକ୍ଷରୁ କୁହାଯାଇଛି, ବିକ୍ଷୋଭ ପ୍ରଦର୍ଶନ କରୁଥିବା ଏହି କର୍ମଚାରୀମାନେ କେବେ ବି ସେସୁ ଅଧୀନରେ ଚାକିରି କରିନଥିଲେ। ସେମାନେ ଯେଉଁ ଦାବି କରୁଛନ୍ତି, ତାହା ନ୍ୟାୟସଂଗତ ନୁହେଁ। ଯେଉଁମାନେ ପୁନଃ ନିଯୁକ୍ତି ଦାବି କରୁଛନ୍ତି, ସେମାନେ ଟିପିସିଓଡିଏଲ୍‌ ନିକଟରେ ଚାକିରି ପାଇଁ ଆବେଦନ କରିପାରିବେ। ଟିପିସିଓଡିଏଲ୍‌ କାର୍ଯ୍ୟ ଆରମ୍ଭ କରିବା ପରେ ୬ ହଜାର ଲୋକଙ୍କୁ ନିଯୁକ୍ତି ଦେଇ ସାରିଲାଣି। ସଂସ୍ଥାର ଆବଶ୍ୟକତା ଅନୁସାରେ ସେମାନଙ୍କର ଯୋଗ୍ୟତା, ଦକ୍ଷତାକୁ ଆଧାର କରି ନିଯୁକ୍ତି ଦିଆଯାଇପାରେ ବୋଲି ଟିପିସିଓଡିଏଲ୍‌ ପକ୍ଷରୁ କୁହାଯାଇଛି।

ପ୍ରଦେଶ ଯୁବ କଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କାଙ୍କ ନେତୃତ୍ବରେ ମୁଖପାତ୍ର ନଳିନୀକାନ୍ତ ନାୟକ, ଜ୍ଞାନରଞ୍ଜନ ରାଉତ, ଶଙ୍କୁନା କହଁର, ଆଦିତ୍ୟ ପରିଡ଼ାଙ୍କ ସମେତ ଓପେଫାର ଆବାହକ ଶିଲାଦିତ୍ୟ ପଟ୍ଟନାୟକ, ସୁମିତ ପରିଡ଼ା, ଗିରିଜା ଶଙ୍କର ରଣା, ବିଶ୍ବଜିତ ସ୍ବାଇଁ, ଦେବବ୍ରତ ମଲ୍ଲ, ରାଜୀବ ସାହୁ ପ୍ରମୁଖ ଏହି ବିକ୍ଷୋଭରେ ସାମିଲ ଥିଲେ। ଏ ନେଇ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ଲେଙ୍କା କହିଛନ୍ତି, ଜୁନ୍‌ ମାସରେ ସେସୁକୁ ଟାଟା ପାୱାର ଶାଗ ମାଛ ଦରରେ କିଣିନେଇଛି। ଫ୍ରାଞ୍ଚାଇଜି ସଂସ୍ଥାରୁ ୧ ହଜାର କର୍ମଚାରୀ ଓ ୮ଶହ ଇଞ୍ଜିନିୟରଙ୍କୁ ୧୦ବର୍ଷ କାମ କରିବା ପରେ ବିଦା କରିଦେଇଛି। କରୋନା ସଙ୍କଟ ସମୟରେ ସେମାନେ ଜୀବିକା ହରାଇବା ଅତ୍ୟନ୍ତ ଦୁଃଖଦାୟକ ଘଟଣା। ଏହାକୁ ନିନ୍ଦା କରିବା ସହ ପୁନଃ ନିଯୁକ୍ତି ଦାବି କରୁଛୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର