ରୁଷା ଆଳରେ ଚାଲିଛି ନିଯୁକ୍ତି: ଅବସର ପରେ ଥଇଥାନ ହେଉଛନ୍ତି ଅଧିକାରୀ

ଗେଷ୍ଟ ହାଉସରେ ଚାଲିଛି ସାକ୍ଷାତକାର, କ୍ୟାମ୍ପସରେ କୋଭିଡ୍‌-୧୯ କଟକଣାକୁ ଫୁ’

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ଭିତ୍ତିଭୂମି ବିକାଶ ଲାଗି ରୁଷା ପାଣ୍ଠିରୁ ପ୍ରଚୁର ଅର୍ଥ ଆସିଥିଲା। ହେଲେ କର୍ତୃପକ୍ଷ ତାହାକୁ ଖର୍ଚ୍ଚ କରି‌ପାରିଲେ ନାହିଁ। ଯେତିକି ବି ଖର୍ଚ୍ଚ କଲେ, ତାହାର ହିସାବ ଦେଖାଇ ପାରିଲେ ନାହିଁ। ଯାହାକୁ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବାରମ୍ବାର ତାଗିଦ୍‌ କରାଗଲା। ରିପୋର୍ଟ ବି ମଗାଗଲା। ତା’ପରେ ବି ବିଶ୍ବବିଦ୍ୟାଳୟ କୁଳପତି, କୁଳସଚିବଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ସବୁ ଜାଣି ଚୁପ୍‌ ବସିଲେ। ଆଉ ଏବେ କୁଳପତି ପ୍ରଫେସର୍‌ ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କ କାର୍ଯ୍ୟକାଳ ସରିବାକୁ ବସିଥିବା ବେଳେ ରୁଷା ପାଣ୍ଠି‌ ଅର୍ଥରେ ବିଭିନ୍ନ ପଦପଦବିରେ ନିଯୁକ୍ତି ଦେବାକୁ କର୍ତ୍ତୃପକ୍ଷ ଅଣ୍ଟା ଭିଡିଛନ୍ତି। ଗୋଟିଏ ପଟେ ଅର୍ଥ ଅଭାବ ଲାଗି ରାଜ୍ୟ ସରକାର ନୂତନ ନିଯୁକ୍ତି ଉପରେ ରୋକ୍‌ ଲଗାଇଥିବା ବେଳେ ଅନ୍ୟପଟେ ରୁଷାକୁ ଆଳ କରି ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି। ଜୁନ୍‌ ମାସରେ ବିଭାଗଗୁଡ଼ିକଠାରୁ ଆବଶ୍ୟକୀୟ ତଥ୍ୟ ମଗା ଯାଇଥିବା ବେଳେ ଏବେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି।

ବଡ଼ କଥା ହେଲା, ଉତ୍କଳ ବିଶ୍ବବିଦ୍ୟାଳୟ ଏବେ ଥଇଥାନ କେନ୍ଦ୍ର ପାଲଟିବାକୁ ଯାଉଛି। କିଛି ମାସ ପୂର୍ବରୁ ଅବସର ଗ୍ରହଣ କରିଥିବା ଜଣେ ପ୍ରଫେସର୍‌ଙ୍କୁ ଏଠାରେ ନିଯୁକ୍ତି ଦେବାକୁ ଉଦ୍ୟମ ଆରମ୍ଭ ହୋଇଛି। ମାସକୁ ଏକଲକ୍ଷ ଟଙ୍କା ଦରମାରେ ପ୍ରଫେସର୍‌ଜଣକ ନିଯୁକ୍ତି ପାଇବାକୁ ଯାଉଥିବା ଜଣାପଡ଼ିଛି। ସମ୍ପୃକ୍ତ ପ୍ରଫେସର୍‌ଜଣକ ଏବେ ୩ଟି ବିଶ୍ବବିଦ୍ୟାଳୟ କୁଳପତି ଦୌଡ଼ରେ ବି ସାମିଲ ହୋଇଛନ୍ତି। ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ପୂର୍ବରୁ କୁଳପତିଙ୍କ ସହଯୋଗୀ ଥିବା ଜଣେ ଅଧିକାରୀ ଫେବ୍ରୁଆରି ୨୯ରୁ ଅବସର ନେଇଥିଲେ। ତେବେ ଗତ ୪ ମାସ ହେଲା ତାଙ୍କୁ ଦୂର ଶିକ୍ଷା ନିର୍ଦେଶାଳୟ କାର୍ଯ୍ୟାଳୟ(ଡିଡିସିଇ) ଜରିଆରେ ମାସିକ ୩୦ ହଜାର ଟଙ୍କା ଦରମାରେ ନିଯୁକ୍ତି ଦିଆଯାଇଛି। ଆଉ କେତେ ଜଣ ପ୍ରଫେସରଙ୍କୁ ବି ଥଇଥାନ ଲାଗି ପ୍ରତିଶ୍ରୁତି ମିଳିଛି।

‘ସମ୍ବାଦ’ର ହସ୍ତଗତ ହୋଇଥିବା ଦସ୍ତାବିଜ୍‌ ଅନୁଯାୟୀ ରୁଷା-୨.୦ରେ ନିଯୁକ୍ତି ଲାଗି ଜୁନ୍‌ ମାସରେ ବିଭିନ୍ନ ବିଭାଗୀୟ ମୁଖ୍ୟ, କୋର୍ସ କୋର୍ଡିନେଟର୍‌ମାନଙ୍କଠାରୁ ତଥ୍ୟ ମଗାଯାଇଥିଲା। ବିଭାଗର ରିସର୍ଚ୍ଚ ପାଇଁ ଆବଶ୍ୟକୀୟ ଅର୍ଥ, ଅତିଥି ଅଧ୍ୟାପକ ନିଯୁକ୍ତି, ଜାତୀୟ ତଥା ଅନ୍ତର୍ଜାତୀୟ ଅତିଥି ଅଧ୍ୟାପକ ନିଯୁକ୍ତି, ଆଲୋଚନାଚକ୍ର/କର୍ମଶାଳା/ସମ୍ମିଳନୀ ଆୟୋଜନ, ଫିଲ୍‌ଡ ଭିଜିଟ୍‌ ଆଦି ଉପରେ ଜୁନ୍‌ ୧୬ସୁଦ୍ଧା‌ ପ୍ରସ୍ତାବ ଦେବାକୁ କୁହାଯାଇଥିଲା। ଜୁନ୍‌ ୧୭ ପର୍ଯ୍ୟନ୍ତ ରାଜ୍ୟ ସରକାର ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରିଥିବା ବେଳେ ଏଭଳି ତରବରିଆ ପ୍ରସ୍ତାବ ମାଗିବାକୁ ନେଇ କେତେଜଣ ପ୍ରଫେସର୍‌ ସ୍ବର ଉଠାଇଥିଲେ। ତେବେ ତାହାର କୌଣସି ପ୍ରଭାବ ପଡ଼ି ନ ଥିଲା। କିଛି ବିଭାଗ ପ୍ରସ୍ତାବ ଦେଇପାରି ନ ଥିଲେ। ଏହାପରେ ବି ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଅନ୍ଧାରୁଆ ନିଯୁକ୍ତି କରୁଛନ୍ତି। ୱେବ୍‌ସାଇଟ୍‌ରେ ବିଜ୍ଞପ୍ତି ପ୍ରକାଶ କରିନାହାନ୍ତି କି ଖବରକାଗଜରେ ବିଜ୍ଞାପନ ବାହାରି ନଥିବାରୁ ଅନେକ ଆଶାୟୀ ପ୍ରଶ୍ନ ଉଠାଇଛନ୍ତି। କ‌ରୋନା ମହାମାରୀ ସମୟରେ ତରବରିଆ ନିଯୁକ୍ତି କାହା ପାଇଁ? କୁଳପତିଙ୍କ କାର୍ଯ୍ୟକାଳ ଶେଷ ହେବାକୁ ତିନି ଦିନ ବାକି ଥିବା ବେଳେ ନିଯୁକ୍ତି କରିବା ପଛର ଉଦ୍ଦେଶ୍ୟ କ’ଣ? ଛୁଟି ସମୟରେ ନିଯୁକ୍ତି ଦେଇ ମାସିକ ଲକ୍ଷାଧିକ ଟଙ୍କା ଦରମା ଦେବା ଦ୍ବାରା କାହାର ସ୍ବାର୍ଥ ସାଧିତ ହେବ? ଲକ୍‌ଡାଉନ୍‌ ସତ୍ତ୍ବେ ୪ଜଣ ବରିଷ୍ଠ ଅଧିକାରୀ ବିଶ୍ବବିଦ୍ୟାଳୟ ଗେଷ୍ଟ ହାଉସ୍‌ରେ ଇଣ୍ଟରଭ୍ୟୁ ପ୍ରକ୍ରିୟା ଜାରି ରଖିଛନ୍ତି। ଅଧିକାରୀମାନେ ଭୋଜିଭାତ କରି ନିଜ ନିଜ ଅନୁଗତକୁ ନିଯୁକ୍ତି ଦେବାରେ ଲାଗି ପଡ଼ିଛନ୍ତି। ରାଜ୍ୟ ସରକାର ଓ ରାଜ୍ୟପାଳ ତୁରନ୍ତ ଏଭଳି ବେଆଇନ ନିଯୁକ୍ତି ଉପରେ ହସ୍ତକ୍ଷେପ କରିବାକୁ ଆଶାୟୀମାନେ ଦାବି କରିଛନ୍ତି। କ୍ୟାମ୍ପସରେ ଏତେ ବଡ଼ ନିଯୁକ୍ତି ପ୍ରକ୍ରିୟା ଚାଲିଥିବା ବେଳେ କୁଳସଚିବଙ୍କ ଅନୁପସ୍ଥିତି ଘଟଣାକୁ ଅଧିକ ସନ୍ଦେହ ଘେରକୁ ଟାଣିନେଉଛି। ଏଭଳି ନିଯୁକ୍ତି ପ୍ରକ୍ରିୟା ସମ୍ପର୍କରେ ଜାଣିବା ଲାଗି କୁଳପତି ଓ କୁଳସଚିବଙ୍କୁ ଫୋନ୍‌ କରିଥିଲେ ମଧ୍ୟ କେହି ଉତ୍ତର ଦେଇ ନ ଥିଲେ।

ସମ୍ବନ୍ଧିତ ଖବର