ଭୁବନେଶ୍ୱର: ନିର୍ବାଚନ ଆଦର୍ଶ ଆଚରଣ ବିଧି ବଳବତ୍ତର ଥିବା ବେଳେ ବିଡିଏରେ ନିଯୁକ୍ତି ଦିଆଚାଲିଛି। ଏଭଳି ଆଚରଣ ବିଧି ଉଲ୍ଲଂଘନ ନେଇ ବିଜେପି କାର୍ଯ୍ୟାନୁଷ୍ଠାନ ଦାବିକରି ସିଇଓଙ୍କ ଦ୍ବାରସ୍ଥ ହେବା ପରେ ତନାଘନା ହୋଇଥିଲା। ସିଇଓଙ୍କୁ କି ଉତ୍ତର ଦିଆଯିବ ସେ ନେଇ ମାନସମନ୍ଥନ ହୋଇଥିଲା। ଦୀର୍ଘ ଦୁଇ ଦିନର ମାନସମନ୍ଥନ ପରେ ବିଡିଏ ଉତ୍ତର ଖୋଜିଛି। ଏହି ଅବଧିରେ ଦିଆଯାଇଥିବା ନିଯୁକ୍ତିକୁ ରଦ୍ଦ କରିବା ପାଇଁ ସିଇଓଙ୍କୁ ଉତ୍ତର ଦିଆଯିବ ବୋଲି ଯୋଜନା ହୋଇଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ଖବର ମୁତାବକ ଆସନ୍ତାକାଲି ସିଇଓଙ୍କୁ ଏ ବାବଦରେ ଉତ୍ତର ଦିଆଯିବ। କିନ୍ତୁ ନିର୍ବାଚନ କମିସନରଙ୍କ ଆଦେଶକୁ ଅବମାନନା କରି ଯେଉଁ ଅଧିକାରୀ ଏହି ଦୁଃସାହସ କରିଥିଲେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ବାବଦରେ ବିଡିଏର କୌଣସି ଯୋଜନା ନାହିଁ। ତେବେ କେବଳ ଏହି ନିଯୁକ୍ତି ନୁହେଁ ବରଂ ଆଦର୍ଶ ଆଚରଣ ବିଧି ବଳବତ୍ତର ଥିବା ବେଳେ ବିଡିଏ ଏକ ନୂଆ ଉପବିଭାଗ ଖୋଲିଛି। ତାହା ହେଉଛି ‘ଇଞ୍ଜିନିୟରିଂ ଡିଭିଜନ-୫’। ନିର୍ବାହୀଯନ୍ତ୍ରୀ ହିମାଂଶୁ କୁମାର ଜେନା କାର୍ଯ୍ୟରେ ଯୋଗଦେବା ପରେ ଏହି ଉପବିଭାଗ ଖୋଲା ଯାଇଛି। ଏଥିରେ ସରକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, କିରାଣୀ, ୪ର୍ଥ ଶ୍ରେଣୀ କର୍ମଚାରୀ ମଧ୍ୟ ନିୟୋଜିତ ହେବାକୁ ଯାଉଛନ୍ତି। ସହରରେ ଭିତ୍ତିଭୂମି ବିକାଶରେ ବିଡିଏର ଏବେ ଦାୟିତ୍ବ ବଢ଼ିଥିବାରୁ ଏହି ୫ମ ଇଞ୍ଜିନିୟରିଂ ସେକ୍ସନର ଉପବିଭାଗ ଖୋଲିବା ଆବଶ୍ୟକ ପଡ଼ିଥିବା ବିଡିଏ କହିଛି। କିନ୍ତୁ ନିର୍ବାଚନ ଆଚରଣ ବିଧି ବଳବତ୍ତର ଥିବା ବେଳେ ଏଭଳି ଏକ ପଦକ୍ଷେପ ନେବା ପ୍ରସଙ୍ଗରେ ଉତ୍ତର ମିଳିନାହିଁ। ନୂଆ ଡିଇଓ ନିଯୁକ୍ତି ପ୍ରସଙ୍ଗରେ ଅଧିକାରୀ ଫସି ରହିଥିବାରୁ ଏହି ନୂଆ ପ୍ରସଙ୍ଗ ଏବେ ପୁଣି ଥରେ ବିଡିଏକୁ ଚର୍ଚ୍ଚାକୁ ଆଣିଛି।
ଉଲ୍ଲେଖଯୋଗ୍ୟ, ବିଡିଏ ଗତ ୧୦ ତାରିଖରେ ୩ ଜଣ ଡାଟା ଏଣ୍ଟ୍ରି ଅପରେଟର(ଡିଇଓ)ଙ୍କୁ ନିଯୁକ୍ତି ଦେଇଥିଲା। ରାଣ୍ଡଷ୍ଟାଡ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଜରିଆରେ ଏମାନଙ୍କୁ ଠିକା ନିଯୁକ୍ତି ମିଳିଥିଲା। ଆଦର୍ଶ ନିର୍ବାଚନ ଆଚରଣ ବିଧି ବଳବତ୍ତର ସମୟରେ କୌଣସି ପ୍ରକାରର ନିଯୁକ୍ତି ହେବା ନିୟମ ନଥିବାରୁ ବିଜେପି ସିଇଓଙ୍କୁ ଭେଟି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା। ସିଇଓ ନୋଟିସ୍ କରିବା ପରେ ବିଡିଏ ଏହି ନିଯୁକ୍ତି ପ୍ରକ୍ରିୟାକୁ ରଦ୍ଦ କରିବାକୁ ଯୋଜନା କରିଛି।