ଭୁବନେଶ୍ବର : ‘ଦୁନିଆ ଭିତରେ ଘର କରିଥିଲେ, ପଥର ପଡ଼ିଲେ ସହି’ ଭଳି ଆମେ ପାଠ ପଢ଼ିଲା ବେଳେ ‘ରେଭେନ୍ସାରେ ପାଠ ପଢ଼ିଲେ କମେଣ୍ଟ ମାରିଲେ ସହି’ ଏକପ୍ରକାର ସ୍ବୀକାର୍ଯ୍ୟ ହୋଇଯାଇଥିଲା। ଝିଅମାନେ ମୁଣ୍ଡ ପାତି ସବୁ ସହି ଯାଉଥିଲେ। ଘରେ ବି ବେଳେବେଳେ କହୁଥିଲେ, ଝିଅ! ଯିଏ ଯାହା କହୁ, କାହାକୁ କିଛି କହିବୁନି, ତଳକୁ ମୁଣ୍ଡ ପୋତି ପଳେଇବୁ। କିନ୍ତୁ ଏବେ ଆଉ ସେ ଯୁଗ ନାହିଁ। ଏବେ ପୁଅ ଯଦି ରୋଷେଇ ଶିଖିନି, ତେବେ ତୁମେ ତାକୁ ବାହା ହୁଅନି। ପୁଲିସ ସେବା ଭବନ(କମିସନରେଟ୍ ପୁଲିସ ମୁଖ୍ୟାଳୟ)ରେ ଅନୁଷ୍ଠିତ ସ୍ବତନ୍ତ୍ର ପୁଲିସ୍ ଅଫିସର୍(ଏସ୍ପିଓ) ନିଯୁକ୍ତି କାର୍ଯ୍ୟକ୍ରମରେ ପୁଲିସ କମିସନର୍ ସୁଧାଂଶୁ ଷଡ଼ଙ୍ଗୀ ଆଜି ନବନିଯୁକ୍ତ ଏସ୍ପିଓମାନଙ୍କୁ ଏଭଳି କହିଛନ୍ତି। ଏହି ଏସ୍ପିଓମାନେ ରାଜଧାନୀରେ ମହିଳା ଓ ଛାତ୍ରୀମାନଙ୍କୁ ରୋଡ୍ ରୋମିଓଙ୍କଠାରୁ ସୁରକ୍ଷା ଦେବେ। ଆବଶ୍ୟକ ପଡ଼ିଲେ ଅଭିଯୁକ୍ତମାନଙ୍କୁ ଗିରଫ ମଧ୍ୟ କରିପାରିବେ।
କର୍ମକ୍ଷେତ୍ରରେ କେହି ଅସଦାଚରଣ କଲେ, ଛାତ୍ରୀଙ୍କୁ ସମ୍ପୃକ୍ତ ଅନୁଷ୍ଠାନ କିମ୍ବା ଅଣଛାତ୍ର ଦୁର୍ବ୍ୟବହାର ପ୍ରଦର୍ଶନ କଲେ, ଅସଦାଚରଣ ବା ମାନସିକ ନିର୍ଯାତନା ଦେଲେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ନିର୍ଯାତନାର ଶିକାର ହେଉଥିବା ଛାତ୍ରୀ ବା କର୍ମଜୀବୀ ମହିଳା ଏସ୍ପିଓମାନଙ୍କ ନିକଟରେ ଅଭିଯୋଗ କରିପାରିବେ। ଏସ୍ପିଓମାନେ ଅଭିଯୋଗକାରିଣୀର ପରିଚୟ ଗୋପନ ରଖି ଅଭିଯୁକ୍ତଙ୍କ ସହ କଥା ହେବେ। ଏଭଳି ନ କରିବା ପାଇଁ ପରାମର୍ଶ ଦେବେ। ରାଜି ନ ହେଲେ ପୁଲିସକୁ ଖବର ଦିଆଯିବ। ପୁଲିସ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।
ଯୁବକମାନେ ଏକାଠି ହୋଇ ଅଶ୍ଳୀଳ ଇଙ୍ଗିତ କରିବା ଜଣାପଡ଼ିଲେ ଏସ୍ପିଓମାନେ ନିଜ ଆଡ଼ୁ ତଦନ୍ତ କରିବେ। ଯୁବକମାନଙ୍କୁ ଚିହ୍ନଟ କରିବା ସହ ଏଭଳି ନ କରିବା ପାଇଁ କହିବେ। ସେମାନେ ଯଦି ଏପରି କାର୍ଯ୍ୟରୁ ବିରତ ନ ହୁଅନ୍ତି, ତେବେ ସେମାନଙ୍କୁ ରେଡ୍ କାର୍ଡ(ନିର୍ବାସନ ନୋଟିସ)ଦିଆଯିବ। ଗୋଟିଏ ବର୍ଷ ପାଇଁ ସେହି ଜାଗାରୁ ସମ୍ପୃକ୍ତ ଅଭିଯୁକ୍ତକୁ କାହିଁକି ନିର୍ବାସନ କରା ନ ଯିବ, ସେ ନେଇ ଉତ୍ତର ମାଗିବେ। ଉତ୍ତର ସନ୍ତୋଷଜନକ ନ ହେଲେ ସଂପୃକ୍ତ ଯୁବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅର୍ଥାତ୍ ସେହି ଜାଗାକୁ ଗୋଟିଏ ବର୍ଷ ପାଇଁ ନ ଆସିବା ଲାଗି କଟକଣା ଜାରି କରାଯିବ। ଏହାକୁ ଅମାନ୍ୟ କଲେ, ଫୌଜଦାରୀ ମାମଲା ରୁଜୁ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅଭିଯୁକ୍ତ ଗିରଫ ହେବା ଉଚିତ ବୋଲି ଏସ୍ପିଓମାନେ ଅନୁଭବ କଲେ ତୁରନ୍ତ ସେମାନଙ୍କୁ ଗିରଫ କରିପାରିବେ। ଶୃଙ୍ଖଳା ରକ୍ଷା ପାଇଁ ପରାମର୍ଶ ମଧ୍ୟ ଦେଇପାରିବେ। ନବନିଯୁକ୍ତ ଏହି ଏସ୍ପିଓମାନଙ୍କର କାର୍ଯ୍ୟକାଳ ପ୍ରଥମେ ୩ମାସ ପାଇଁ ରହିବ। ଏହା ପରେ ଅବଧି ନବୀକରଣ ହେବ।
ନିଜ ଅନୁଷ୍ଠାନର ଦାୟିତ୍ୱ
ସ୍ୱତନ୍ତ୍ର ପୁଲିସ ଅଫିସର(ଏସ୍ପିଓ)ଙ୍କୁ ପୁଲିସ କ୍ଷମତା ଦିଆଯାଇଛି। ସ୍ୱତନ୍ତ୍ର ପରିଚୟପତ୍ର ନେଇ ଏମାନେ କାମ କରିବେ। ଛାତ୍ରୀ ଓ ବିଭିନ୍ନ କର୍ମକ୍ଷେତ୍ରରେ କର୍ମଜୀବୀ ମହିଳାଙ୍କୁ ଏମାନେ ସୁରକ୍ଷା ଯୋଗାଇବେ। ପ୍ରଥମ ପର୍ଯ୍ୟାୟରେ ନିଶ୍ୱାସ, ଟ୍ରାଇଡେଣ୍ଟ ଏକାଡେମି, ସିଭି ରମଣ, ଆର୍ସିଏମ୍, ରମାଦେବୀ, ସିଏସ୍ଏମ୍, ପଠାଣି ସାମନ୍ତ ଶିକ୍ଷା କେନ୍ଦ୍ର, ଇନ୍ଫୋସିସ ଲିମିଟେଡ୍, ଶ୍ରୀ ଜୟଦେବ କଲେଜ ଅଫ ଏଜୁକେସନ ଆଣ୍ଡ ଟେକ୍ନୋଲୋଜି, କଳିଙ୍ଗ ଇନଷ୍ଟିଚ୍ୟୁଟ, ଉତ୍କଳ ୟୁନିଭର୍ସିଟି, ମଧୁସୁଦନ ଡିଗ୍ରି କଲେଜ, ସୃଷ୍ଟି ଏକାଡେମି ଅଫ ମ୍ୟାନେଜମେଣ୍ଟ ପ୍ରଭୃତି ୩୦ ଅନୁଷ୍ଠାନରୁ ୨୪୬ ଜଣଙ୍କୁ ଏସ୍ପିଓ ଭାବରେ ନିଯୁକ୍ତି(ଅବୈତନିକ) ମିଳିଛି। ନିଜ ନିଜ ଅନୁଷ୍ଠାନର ଛାତ୍ରୀ ଓ କର୍ମଜୀବୀ ମହିଳାଙ୍କର ଏମାନେ ସୁରକ୍ଷା ଦାୟିତ୍ବ ନେବେ।