ମାନବବାଦୀ ଆନ୍ଦୋଳନରେ ନିଜକୁ ସାମିଲ କର

ଯୁବ ରେଡକ୍ରସ୍‌ ସ୍ୱେଚ୍ଛାସେବୀଙ୍କ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

ଭୁବନେଶ୍ୱର: ଦେଶ, ରାଜ୍ୟ ତଥା ଜାତି ବିକାଶରେ ଯୁବପିଢ଼ିଙ୍କ ପ୍ରମୁଖ ଭୂମିକା ରହିଛି। ଭାରତୀୟ ରେଡକ୍ରସ୍‌ ସୋସାଇଟିରେ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀ ରାଜ୍ୟର ବିଭିନ୍ନ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିବା ସହ ରେଡକ୍ରସ୍‌ର ପ୍ରଚାର ପ୍ରସାର କରିଥାନ୍ତି। ଯୁବକ, ଯୁବତୀମାନେ ମାନବବାଦୀ ଆନ୍ଦୋଳନରେ ନିଜକୁ ସାମିଲ କରି ସେବାରେ ବ୍ରତୀ ହେବାକୁ ରାଜ୍ୟପାଳ ଏସ୍‌.ସି. ଜମିର ଆହ୍ଵାନ ଦେଇଛନ୍ତି।

ଆଜି ଭାରତୀୟ ରେଡକ୍ରସ୍‌ ସୋସାଇଟି, ଓଡ଼ିଶା ଶାଖାର ଯୁବ ରେଡକ୍ରସ୍‌ ପକ୍ଷରୁ ନୀଳାଚଳ ପଲିଟେକ୍‌ନିକ୍‌ଠାରେ ରାଜ୍ୟ ଯୁବ ରେଡକ୍ରସ ସ୍ୱେଚ୍ଛାସେବୀଙ୍କ ପ୍ରଶିକ୍ଷଣ ଶିବିରକୁ ଉଦ୍‌ଘାଟନ କରି ରାଜ୍ୟପାଳ ଏହା କହିଛନ୍ତି। ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସଂଯମତା ରକ୍ଷା କରି ସମାଜକୁ ରୁଦ୍ଧିମନ୍ତ କରିବାକୁ ସ୍ୱେଚ୍ଛାସେବୀଙ୍କୁ ପରାମର୍ଶ ଦେଇଥିଲେ। ଉଚ୍ଚଶିକ୍ଷା ବିଭାଗ ସଚିବ ଜିଭିଭି ଶର୍ମା ଅନ୍ୟତମ ଅତିଥି ଭାବେ ଯୋଗଦେଇ ସ୍ୱେଚ୍ଛାସେବୀ ନିଜକୁ ଅବହେଳିତ ଲୋକଙ୍କ ସେବାରେ ନିୟୋଜିତ କରିବାକୁ କହିଥିଲେ। ସୋସାଇଟିର ଓଡ଼ିଶା ଶାଖାର ଅବୈତନିକ ସଚିବ ଜ୍ଞାନବ୍ରତ ମହାନ୍ତି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ଯୁବ ରେଡକ୍ରସ ଅଧିକାରୀ ଡ. କଳ୍ପନା ଦାସ କାର୍ଯ୍ୟକ୍ରମକୁ ପରିଚାଳନା କରି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଶେଷରେ ପଲିଟେକ୍‌ନିକ୍‌ ଅଧ୍ୟକ୍ଷ ବିଷ୍ଣୁ ଚରଣ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

୨୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରଶିକ୍ଷଣ ଶିବିରରେ ୮ଟି ରାଜ୍ୟ ସମେତ ୩୦ଟି ଜିଲ୍ଲାରୁ ୪୦୦ରୁ ଅଧିକ ସ୍ୱେଚ୍ଛାସେବୀ ଓ କାଉନସେଲର ସାମିଲ ହୋଇଛନ୍ତି। ଏହି ଶିବିରରେ ରେଡକ୍ରସର ଇତିହାସ, ହେନେରି ଡୁନାଁଣଙ୍କ ଆତ୍ମଜୀବନୀ, ରେଡକ୍ରସର ମୌଳିକ ନୀତି, ବିପର୍ଯ୍ୟୟ ପରିଚାଳନା, ରକ୍ତଦାନ ଓ ଏହାର ଉପଯୋଗିତା, ଏଡ୍‌ସ ସଚେତନତା, ପରିଷ୍କାର ଓ ପରିଚ୍ଛନ୍ନତା, ସ୍ୱାସ୍ଥ୍ୟ ଓ ପରିମଳ, ସଡ଼କ ସୁରକ୍ଷା ଓ ଟ୍ରାଫିକ୍‌ ନିୟମ, ପ୍ରାଥମିକ ଚିକିତ୍ସା ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର