ଭୁବନେଶ୍ବର: ପୂର୍ବାହ୍ନ ସାଢ଼େ ୧୧ଟା ସୋନକ ତାଙ୍କ ସାଙ୍ଗମାନଙ୍କ ସହ ମାଷ୍ଟରକ୍ୟାଣ୍ଟିନସ୍ଥ ରେଳ ଷ୍ଟେସନରେ ପହଞ୍ଚିଥିଲେ। କିଛି ସାଙ୍ଗ ଟିକେଟ କରିବାକୁ ଯାଇଥିବା ବେଳେ ସୋନକ ଓ ଜଣେ ସାଙ୍ଗ ଗାଡ଼ି ପାର୍କିଂ କରିବାକୁ ପାର୍କିଂସ୍ଥଳକୁ ଗଲେ। ସେହି ସମୟରେ ହଠାତ୍ କିଛି ଯୁବକ ପାର୍କିଂସ୍ଥଳକୁ ଆସି ତାଙ୍କୁ ଟଙ୍କା ମାଗିଲେ। ସୋନକ ଓ ତାଙ୍କ ସାଙ୍ଗ ‘କି ଟଙ୍କା?’ ବୋଲି ପ୍ରଶ୍ନ କରିବା ସହିତ କିଛି ଟଙ୍କା ଦେଇ ପାରିବେ ନାହିଁ ବୋଲି ରୋକଠୋକ ମନା କରିଦେଇଥିଲେ। ଏହାକୁ ନେଇ କିଛି ସମୟ ପାଟିତୁଣ୍ଡ ଚାଲିଲା। ତା’ରି ଭିତରେ କିଛି ସମୟ ପରେ ଜଣେ ଯୁବତୀ ହଠାତ୍ ଆସି ପହଞ୍ଚିଗଲା ଓ ସେମାନଙ୍କ ବାଇକ୍ରେ ବସିପଡ଼ି ୨୦ ହଜାର ଟଙ୍କା ଦାବି କଲା। ନହେଲେ ତାଙ୍କୁ ଯିବାକୁ ଦିଆଯିବ ନାହିଁ ବୋଲି ଧମକ ବି ଦେଲା। ତେବେ ସୋନକଙ୍କ ସାଙ୍ଗ ସେଠାରୁ ଖସିଯାଇ ପୁଲିସକୁ ଖବର ଦେଇଥିଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା, ପୁଲିସ ସୁରକ୍ଷା ଦେବେ କଣ, ତାଙ୍କୁ ୫୦୦ ଟଙ୍କା ଦେଇ ‘ପିଛା ଛଡ଼ାଇବାକୁ’ କହିଥିଲା। ପୁଲିସର ଏଭଳି ବ୍ୟବହାର ଦେଖି ସୋନକ ଓ ତାଙ୍କ ସାଙ୍ଗ ତାଜୁବ ହୋଇ ଯାଇଥିଲେ। ତଥାପି ସେମାନେ ଟଙ୍କା ନ ଦେବାରୁ ‘ପୁଲିସକୁ କାହିଁକି କହିଲ?’ ବୋଲି ପାଲଟା ପ୍ରଶ୍ନକରି ପ୍ରାୟ ୩୦ରୁ ଅଧିକ ଯୁବକ ଆସି ସୋନକ ଓ ତାଙ୍କ ସାଙ୍ଗଙ୍କୁ ମାଡ଼ ମାରିବା ସହିତ ମୁଣ୍ଡ ଫଟାଇ ଦେଇ ଫେରାର ହୋଇଯାଇଥିଲେ। କିଛି ଲୋକ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ସୋନକ ଏନେଇ କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି।
ଏଠାରେ ଉଲ୍ଲେଖନୀୟ ଯେ କ୍ୟପିଟାଲ ଥାନା ଓ ଖାରବେଳନଗର ଥାନାରେ ପ୍ରତିଦିନ ଏଭଳି ମାମଲା ରୁଜୁ ହେଉଛି। ଅଧିକାଂଶ କ୍ଷେତ୍ରରେ ଆପୋଷ ବୁଝାମଣା ହୋଇଯାଉଥିବା ଜଣାପଡ଼ିଛି। ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳରେ ନିଶାଡ଼ି ଓ ଦେହଜୀବୀଙ୍କ କବଳରେ ପଡ଼ି ସବୁଦିନ କେହି ନା କେହି ମାଡ଼ ଖାଉଛି କିମ୍ବା ଟଙ୍କା ଦେଇ ମୁକ୍ତି ପାଉଛି। ଦେହଜୀବୀମାନେ ଲୋକଙ୍କଠାରୁ ପର୍ସ ଓ ମୋବାଇଲ ଛଡ଼ାଇ ନେଉଥିବା ମଧ୍ୟ ନଜିର ରହିଛି। ଅଭଦ୍ର ଭାଷାରେ ଗାଳି ଗୁଲଜ ଓ ମାଡ଼ମରା ତ ନିଶ୍ଚୟ ହେଉଛି। କିଛିଦିନ ତଳେ ଜଣେ ବ୍ୟକ୍ତିଙ୍କୁ କିଛି ଦେହଜୀବୀ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିବା ସହିତ ତାଙ୍କ ସାର୍ଟ ଚିରି ଦେଇଥିଲେ। ପୁଣି ଆଉଜଣେ ଯାତ୍ରୀଙ୍କୁ ମାଡ଼ମାରି ତାଙ୍କଠାରୁ ୧୦ ହଜାର ଟଙ୍କା ଛଡ଼ାଇନେବା ଅଭିଯୋଗରେ ଖାରବେଳନଗର ଥାନା ପୁଲିସ ଦୁଇଜଣ ଦେହଜୀବୀଙ୍କୁ ଗିରଫ କରିଥିଲା। ସନ୍ଧ୍ୟା ସମୟରେ ସେମାନଙ୍କ ଉତ୍ପାତ ବଢ଼ିଯାଉଛି।
ବାଇକ୍ ବା କାର୍ରେ ସେଆଡ଼େ ଯିଏ ବି ନୂଆଷଲାକ ଯାଉଛନ୍ତି, ସେମାନେ ଅଟକାଇ ବଟି ଆଦାୟ କରୁଛନ୍ତି। ସେମାନଙ୍କୁ ସାହାଯ୍ୟ କରିବାଲାଗି ଯୁବକମାନଙ୍କର ଗୋଟିଏ ବଡ଼ ଦଳ ମଧ୍ୟ ସବୁବେଳେ ପ୍ରସ୍ତୁତ ହୋଇ ରହିଛି। ଏଭଳି ମାମଲା ସବୁଦିନିଆ ହୋଇଥିଲେ ମଧ୍ୟ ପୁଲିସ ସବୁ ଜାଣି ଚୁପ ରହୁଛି। ଖାରବେଳନଗର ଅଞ୍ଚଳ ପଟ ଦେହଜୀବୀଙ୍କ କବ୍ଜାରେ ଥିବାବେଳେ ମୋ’ ବସ୍ଷ୍ଟାଣ୍ଡ ଅଞ୍ଚଳ ନିଶାଡ଼ିଙ୍କ କବ୍ଜାରେ ରହିଛି। ସେଠାରେ ଦିନ ତମାମ ଖୁଲମ୍ଖୁଲା ନିଶା କାରବାର ଚାଲିଛି। ଏନେଇ ପୁଲିସ ଅଧିକାରୀଙ୍କୁ ପଚରାଯିବାରୁ ସେ କହିଲେ, ମାଷ୍ଟରକ୍ୟାଣ୍ଟିନ ଏକ ସମ୍ବେଦନଶୀଳ ଅଞ୍ଚଳ। ଏହି ଅଞ୍ଚଳରେ ୨୪ ଘଣ୍ଟିଆ ପାଟ୍ରୋଲିଂ ଚାଲୁଛି। ଯିଏ ବି ଧରା ପଡ଼ୁଛି, ତାକୁ ଗିରଫ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/hffhhffhh.jpg)