ଭୁବନେଶ୍ୱର : ‘ବୁଲେୟା.. ଗୀତର ଚର୍ଚିତ ଯୁବ ଗାୟକ ଅମିତ ମିଶ୍ରଙ୍କ ଗୀତରେ ଭିଜିବାର ଅବସର ଆଣି ଦେଇଥିଲା ରେଡ୍ ଏଫ୍ଏମ୍। ଉତ୍କଳ ମଣ୍ଡପରେ ଆୟୋଜିତ ରେଡ୍ ଲାଇଭ୍ରେ ଦର୍ଶକ ଉପଭୋଗ କରିଥିଲେ ଅମିତ ମିଶ୍ରଙ୍କ ଲାଇଭ୍ ବ୍ୟାଣ୍ଡ୍। ‘ସୁପରହିଟ୍ ଶନିବାର ଓ୍ଵିଥ୍ ଅମିତ ମିଶ୍ର’ ସଂଗୀତ ସନ୍ଧ୍ୟାରେ ଅମିତ ଗାଇ ଶୁଣାଇଥିଲେ ନୂଆପୁରୁଣା ଫେଣ୍ଟାଫେଣ୍ଟି ସଂଗୀତ। ‘ଏକ୍ ହୋଗୟେ ହମ୍ ଔର୍ ତୁମ୍....ଭଳି ହମ୍ମା ହମ୍ମା ଗୀତରୁ ଆରମ୍ଭ ହୋଇଥିଲା ଲାଇଭ୍। ପରେ ସେ ବହୁ ଚର୍ଚିତ ‘ମେରି ରୁହ୍ କା ପରିନ୍ଦା.., ମନ୍ମା ଇମୋସନ୍ ଜାଗେ.., ସୌ ତର୍ହା କେ.., ଡିଙ୍ଗ୍ ଡଙ୍ଗ୍.., ସୁନୋ ଗଣପତି ବପ୍ପା ମୌର୍ଯ୍ୟ.. ଭଳି ଗୀତ ଗାଇ ଶୁଣାଇଥିଲେ ଅମିତ୍।
ଅମିତଙ୍କ ସୁଫି ଶୈଳୀର ସଂଗୀତରେ ମଜ୍ଜିବା ସହ ଉପସ୍ଥିତ ଯୁବ ଶ୍ରୋତା ପ୍ରେମୀ ଗୀତରେ ନାଚିବା ଆରମ୍ଭ କରିଦେଇଥିଲେ। ଅମିତଙ୍କ ପ୍ରତିଟି ଗୀତ ପରେ ଯୁବ ଶ୍ରୋତାମାନେ ଚିଲେଇ ଅମିତଙ୍କ ଗୀତ ପ୍ରତି ଭଲପାଇବାକୁ ବ୍ୟକ୍ତ କରୁଥିବା ବେଳେ ଉତ୍କଳ ମଣ୍ଡପ ପ୍ରକମ୍ପିତ ହେଉଥିଲା। ଅମିତ ଓଡ଼ିଶାକୁ ପୂର୍ବରୁ ଅନେକ ଥର ଆସି ସାରିଥିବା ବେଳେ ବିଶେଷକରି ଭୁବନେଶ୍ୱରର ସମୃଦ୍ଧ ଚିତ୍ର ତାଙ୍କୁ ବିଭୋର କରିଛି ବୋଲି କହିଥିଲେ। ଏଥିସହ ଲାଇଭ୍ କନ୍ସର୍ଟ ପାଇଁ ସେ ଏଠିକୁ ବାରମ୍ବାର ଆସିବାକୁ ଚାହିବେ ବୋଲି କହିଛନ୍ତି। ବୁଲେୟା ଗୀତ ଗାଇବାକୁ ମଞ୍ଚ ତଳୁ ଡିମାଣ୍ଡ୍ ଆସିବାରୁ ଅମିତ ଏହି ଗୀତରେ ଶ୍ରୋତାଙ୍କୁ ତଲ୍ଲୀନ କରିଥିଲେ। ଏହି ଅବସରରେ ରେଡ୍ ଏଫ୍ଏମ୍ର ମାନସ ପଟ୍ଟନାୟକ କାର୍ଯ୍ୟକ୍ରମ ପୂର୍ବରୁ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଅଜୟ ମହନ୍ତ ଉପସ୍ଥିତ ଥିଲେ।