ଆଜି ଷ୍ଟାଡିୟମ୍‌ରେ ମାନବ ରେଡ୍ ରିବନ୍

ଭୁବନେଶ୍ବର: ଆସନ୍ତା କାଲି କଳିଙ୍ଗ ଷ୍ଟାଡିୟମ୍‌ରେ ମାନବ ରେଡ୍ ରିବନ୍ ଅନୁଷ୍ଠିତ ହେବ। ବିଶ୍ବ ଏଡ୍‌ସ ଦିବସ ଅବସରରେ ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତି ବା ଓସାକ୍ସ ପକ୍ଷରୁ ଏଭଳି ଆୟୋଜନ କରାଯାଇଛି। ଶନିବାର ଅନୁଷ୍ଠିତ ହେବାକୁ ଥିବା ଦୁଇଟି ମ୍ୟାଚ୍‌ରେ ଷ୍ଟାଡିୟମ୍‌ର ଇଷ୍ଟ ଗ୍ୟାଲେରିରେ ଏହି ମାନବ ରେଡ୍ ରିବନ ଦେଖିବାକୁ ମିଳିବ। ୨/୩ହଜାର ଛାତ୍ରଛାତ୍ରୀ ସାମିଲ ହେବା ସହିତ ରିବନ୍ ଗଠନ କରିବେ। ଏହାସହ ରେଡ୍‌ ରିବନ୍ କ୍ଲବ୍‌ର ସଦସ୍ୟ, ପିଏଲ୍-ଏଚ୍‌ଆଇଭି, ଏନ୍‌ସିପି, ସ୍କାଉଟ୍ ଏଣ୍ଡ ଗାଇଡ୍ ଓ ସ୍ବେଚ୍ଛାସେବୀ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ଗ୍ୟାଲେରିରେ କିଭଳି ଏହି ରିବନ୍ ଗଠନ ହେବ ତାହାର ଡିଜାଇନ୍ ଶେଷ ହୋଇଛି। ସେହିପରି ଖେଳାଳି ଓ ସେଲିବ୍ରିଟିଙ୍କ ଏଡ୍‌ସ ସଚେତନତାର ଭିଡିଓ ବାର୍ତା ମଧ୍ୟ ଦର୍ଶକ ଦେଖିବାକୁ ପାଇବେ। ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲ୍ଲୀପ ତିର୍କି, କ୍ରିକେଟର ଦେବାଶିଷ ମହାନ୍ତି, ଭାରତୀୟ ହକି ଦଳର ଅଧିନାୟକ ମନପ୍ରୀତ ସିଂହ, ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କ ସମେତ ବାବୁଶାନ, ଅର୍ଚିତା, ବିଭୁ କିଶୋର, ଶିବାନୀ ଓ ସ୍ବରାଜଙ୍କ ଏଡ୍‌ସ ସଚେତନତାର ଭିଡିଓ ବାର୍ତା ଦେଇଛନ୍ତି। ୨୦ ସେକେଣ୍ଡର ଏହି ବାର୍ତା ମ୍ୟାଚ୍ ମଝିରେ ହେଉଥିବା ବିଶ୍ରାମ ଓ ଦୁଇ ମ୍ୟାଚ୍‌ର ମଝିରେ ଏହାକୁ ପ୍ରଦର୍ଶନ କରାଯିବ। ବିଶ୍ବ ଏଡ୍‌ସ ଦିବସ ଉପଲକ୍ଷେ ଜୟଦେବ ଭବନରେ ହେବାକୁ ଥିବା ରାଜ୍ୟସ୍ତରୀୟ ଉତ୍ସବରେ ଏହାର କ୍ୟାସେଟ୍ ଉନ୍ମୋଚିତ ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର