ଭୁବନେଶ୍ବର : ମଦ ଦରରେ ଲାଗୁ ହୋଇଥିବା କୋଭିଡ୍ କରକୁ ସରକାର କୋହଳ କରିଛନ୍ତି। ଏଣିକି ୫୦ ପ୍ରତିଶତ ବଦଳରେ ୧୫ ପ୍ରତିଶତ କୋଭିଡ୍ କର ଯୁକ୍ତ ହୋଇ ମଦ ବିକ୍ରି କରାଯିବ ବୋଲି ସରକାର ଘୋଷଣା କରିଛନ୍ତି। ଫଳରେ ଆଜିଠାରୁ ମଦ ଦର କମି ଯିବ ବୋଲି ଗ୍ରାହକ ଖୁସି ହୋଇଯାଇଥିଲେ। ଏଥିପାଇଁ ଆଜି ସହରର ପ୍ରତ୍ୟେକ ମଦ କାଉଣ୍ଟରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। କିନ୍ତୁ ମଦ ଦୋକାନୀ ପୁରୁଣା ଦର ଛାଡ଼ି ନଥିଲେ। ପୂର୍ବର କୋଭିଡ୍ ଟିକସ ୫୦ ପ୍ରତିଶତ ଲାଗୁ କରି ମଦ ବିକ୍ରି ହୋଇଥିଲା। ତେଣୁ ଏହାକୁ ନେଇ ଆଜି ସବୁ ଦୋକାନ ଆଗରେ ଉତ୍ତେଜନା ପ୍ରକାଶ ପାଇଥିଲା।
ଗଙ୍ଗନଗର ଛକରେ ଥିବା ଠିପିବନ୍ଦ ବିଦେଶୀ ମଦ ଦୋକାନରେ ଆଜି ସୃଷ୍ଟି ହୋଇଥିବା ଉତ୍ତେଜନା ଉଗ୍ରରୂପ ନେଇଥିଲା। ‘ବଢ଼ିବା ବେଳେ ରାତାରାତି ବଢ଼େଇ ଦଉଚ, କମିଲା ବେଳେ ବାଧୁଛି କାହିଁକି’ ବୋଲି ପ୍ରଶ୍ନ କରି ଗ୍ରାହକମାନେ ହୋ-ହଲ୍ଲା କରିଥିଲେ। ୫୦ରୁ ଊର୍ଦ୍ଧ୍ବ ଗ୍ରାହକ ହୋ-ହଲ୍ଲା କରିବାରୁ ସେଠାରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଖବର ପାଇ କ୍ୟାପିଟାଲ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସକୁ ଦେଖି କେତେକ ଗ୍ରାହକ ଘଟଣାସ୍ଥଳରୁ ଭୟରେ ଦୌଡ଼ି ପଳାଇଥିବା ବେଳେ କେତେକ ସାହସ ଦେଖାଇ ହୋଇ ଯୁକ୍ତି କରିଥିଲେ। ଶେଷରେ ଦୋକାନ ବନ୍ଦ କରିବା ପାଇଁ ପୁଲିସ କହିଥିଲା। ତେବେ କିଛି ସମୟ ଦୋକାନ ବନ୍ଦ ରହିବା ପରେ ପୁଣି ଖୋଲିଥିଲା। ଗ୍ରାହକମାନେ ପୁଣି ୫୦ ପ୍ରତିଶତ କୋଭିଡ୍ ଟିକସ ଦେଇ ମଦ କିଣିଥିଲେ।
ଏ ନେଇ କେତେକ ଦୋକାନୀ କହିଛନ୍ତି ଯେ ସେମାନେ ଅଧିକ ଦରରେ ମଦ କିଣିଛନ୍ତି। ଏଣୁ ଏବେ କମ୍ ଦରରେ ବିକିଲେ, କ୍ଷତି କିଏ ଭରଣା କରିବ। ସରକାର ଟିକସ କୋହଳ କରିବା ପୂର୍ବରୁ ବ୍ୟବସାୟୀମାନଙ୍କ ସହ ଆଲୋଚନା କରିବାର ଥିଲା ବୋଲି ସେମାନେ କହିଛନ୍ତି। ଏପଟେ କିନ୍ତୁ ରାଜ୍ୟ ପାନୀୟ ନିଗମ(ଓଏସ୍ବିସି) ଏକ ସ୍ବତନ୍ତ୍ର ଦର ତାଲିକା ଆଜି ପ୍ରକାଶ କରିଛି। ଦୋକାନୀଙ୍କ କିଣା ଦରକୁ ଆଖି ଆଗରେ ରଖି ଏହି ଦର ପ୍ରକାଶ ପାଇଛି। ତଥାପି ଏହାକୁ ମାନିବାକୁ ଦୋକାନୀମାନେ ପ୍ରସ୍ତୁତ ନୁହନ୍ତି। ପୂର୍ବରୁ କୋଭିଡ୍ କର ୫୦ପ୍ରତିଶତ ଥିବାରୁ ମଦ ବେପାର ମାନ୍ଦା ଥିଲା। ମାତ୍ର ୩୦ରୁ ୩୫ ପ୍ରତିଶତ ମଦ ବିକ୍ରି ହେଉଥିଲା। ଏହାକୁ ଆଧାର କରି ସମସ୍ତ ବ୍ୟବସାୟୀ ଏକାଠି ହୋଇ ଦୁଇମାସର ଲାଇସେନ୍ସ ଫି’ ସହ ମାସିକିଆ ଟିକସ ଛାଡ଼ କରିବାକୁ ସରକାରଙ୍କୁ ଅନୁରୋଧ କରିଥିଲେ। ସରକାର ମଧ୍ୟ ମଦ ଦୋକାନୀଙ୍କ ଏହି ଆବଦେନ ଉପରେ ତୁରନ୍ତ ମୋହର ମାରିଥିଲେ। ଦୁଇମାସର ଲାଇସେନ୍ସ ଫି ଛାଡ଼ କରିବା ସହ ଏମ୍ଜିକ୍ୟୁ ମଧ୍ୟ ଛାଡ଼ କରିଥିଲେ। ଏହା ପରେ ମଧ୍ୟ ଆଜି ସେମାନେ ସରକାରଙ୍କ ନିଷ୍ପତ୍ତିକୁ ମାନି ନାହାନ୍ତି। ଏନେଇ ଅବକାରୀ ଅଧୀକ୍ଷକ ପ୍ରସନ୍ନ ଆଚାର୍ଯ୍ୟଙ୍କ ସହ ଯୋଗାଯୋଗ କରିବାରୁ ସେ କହିଥିଲେ ଯେ ଏଭଳି ଅଭିଯୋଗ ହସ୍ତଗତ ହୋଇନାହିଁ। ନୂଆ ତାଲିକା ଅନୁସାରେ ଆଜିଠାରୁ ମଦ ବିକ୍ରି ହେବା କଥା।