ଭୁବନେଶ୍ବର : ବିଏମ୍ସି ରାଜଧାନୀବାସୀଙ୍କ ଠାରୁ ବର୍ଦ୍ଧିତ ହାରରେ ହୋଲଡିଂ ଟିକସ ଆଦାୟ କରିପାରିବନି ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ରାଜଧାନୀବାସୀ ଆଶ୍ବସ୍ତ ହୋଇଛନ୍ତି। ଆଜି ଏନେଇ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ, ହୋଲଡିଂ ଟିକସ ବୃଦ୍ଧି କରିବା ପୂର୍ବରୁ ବିଏମ୍ସି ପ୍ରଶାସନିକ ପକ୍ରିୟା ଅନୁପାଳନ କରିନଥିଲା। ତେଣୁ ହାଇକୋର୍ଟରେ ବିଏମ୍ସିର ନିଷ୍ପତ୍ତିକୁ ଖାରଜ କରିଦେଲେ। ଏହା ବିଏମ୍ସିକୁ ଶକ୍ତ ଚାପୁଡ଼ା।
ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ହୋଲଡିଂ ଟିକସ ବଢ଼ାଇବା ପୂର୍ବରୁ ପୌର ଆଇନର ଧାରା-୨୧୫ ଅନୁସାରେ ମୂଲ୍ୟାଙ୍କନ କମିଟି ଗଠନ ହେବାର ନିୟମ ରହିଛି। ଏଥିରେ ଜଣେ ପୂର୍ବତନ ବିଚାରପତିଙ୍କୁ ଅଧ୍ୟକ୍ଷଭାବେ ନିଯୁକ୍ତି ଦେବା ସହ ୩ ରୁ ୬ଜଣ ସଦସ୍ୟ ରହିବେ। ଟିକସ ବୃଦ୍ଧି ପୂର୍ବରୁ ଉକ୍ତ କମିଟି ଆଲୋଚନା ଓ ପର୍ଯ୍ୟାଲୋଚନା କରି ହୋଲଡିଂ ଟିକସ ବଢ଼ାଇବା ନେଇ ବିଏମ୍ସିର ଫାଇନାନ୍ସ ଏବଂ ଟ୍ୟାକ୍ସେସନ୍ କମିଟି ଅଧ୍ୟକ୍ଷଙ୍କ ନିକଟକୁ ପ୍ରସ୍ତାବ ପଠାଇଥାନ୍ତା। ଶେଷରେ ବିଏମ୍ସି କର୍ପୋରେସନ୍ ବୈଠକରେ ଏନେଇ ଆଲୋଚନା ହେବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଥାନ୍ତା। କିନ୍ତୁ ବିଏମ୍ସି କର୍ତ୍ତୃପକ୍ଷ ଏହି ପ୍ରକ୍ରିୟାରେ ହୋଲଡିଂ ଟିକସ ବଢ଼ାଇନଥିଲେ। ବିଏମ୍ସିର ଏହି ନିଷ୍ପତ୍ତିିକୁ ବିଜେପି ପକ୍ଷରୁ ଜୋରଦାର ବିରୋଧ କରାଯିବା ସହ ବ୍ୟାପକ ଜନଆନ୍ଦୋଳନ କରାଯାଇଥିଲା। ଏପରିକି ହାଇକୋର୍ଟରେ ଏନେଇ ମାମଲା ହେବା ପରେ ବି ରାଜ୍ୟ ସରକାର ବର୍ଦ୍ଧିତ ହାରରେ ଟିକସ ଆଦାୟ କରିଥିଲେ। ଯାହାକୁ ଏବେ ହାଇକୋର୍ଟ ଖାରଜ କରିଛନ୍ତି। ତେଣୁ ବିଏମ୍ସି ଏବେ ସୁଧମୂଳ ସହ ଆଦାୟ କରିଥିବା ଟିକସ ଫେରାଉ ବୋଲି ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି।
ଏନେଇ ବିଜେପିର ଲିଗାଲ୍ ସେଲ୍ ଆବାହକ ଜୟନ୍ତ ଜେନା କହିଛନ୍ତି ଯେ, ବିଏମ୍ସିର ମନମୁଖୀ ନିଷ୍ପତ୍ତିକୁ ହାଇକୋର୍ଟ କଡ଼ା ଭାଷାରେ ନିନ୍ଦା କରିଛନ୍ତି। ଯେଉଁ ଅଧିକାରୀମାନେ ମନଇଚ୍ଛା ନିଷ୍ପତ୍ତି ନେଇ ହୋଲଡିଂ ଟିକସ ବଢ଼ାଇଥିଲେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ। ନଚେତ୍ ଏନେଇ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ଜେନା କହିଛନ୍ତି।