ପ୍ଲାଷ୍ଟିକ୍‌ମୁକ୍ତ ହେବ ପ୍ରାକୃତିକ ବିଜ୍ଞାନ ସଂଗ୍ରହାଳୟ : କିଙ୍ଗ୍‌ କୋବ୍ରା ପରେ ‘ଜିରାଫ’

କ୍ୟାମ୍ପସ୍‌ ପରିସରରେ ସୃଷ୍ଟି ହେବ ଔଷଧୀୟ ବଗିଚା

ଭୁବନେଶ୍ୱର : ଆଞ୍ଚଳିକ ପ୍ରାକୃତିକ ବିଜ୍ଞାନ ସଂଗ୍ରହାଳୟ ହେବ ପ୍ଲାଷ୍ଟିକ୍‌ମୁକ୍ତ। ଏଥିସହ ସଂଗ୍ରହାଳୟ ପରିସରକୁ ପ୍ରଦୂଷଣମୁକ୍ତ କରିବା ପାଇଁ ଏଠାକାର କର୍ତୃପକ୍ଷ ଏକାଧିକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ପ୍ଲାଷ୍ଟିକ୍‌ ବଦଳରେ ପରିବେଶ ଉପଯୋଗୀ ପଦାର୍ଥରେ ପଶୁ, ପକ୍ଷୀ ଓ ସରୀସୃପଙ୍କ ପ୍ରତିକୃତି ନିର୍ମାଣ କରି ପ୍ରଦର୍ଶିତ କରିବାକୁ ସ୍ଥିର ହୋଇଛି। ଏଠାରେ ଯାହା ବି କିଛି ପ୍ରଦର୍ଶିତ କରାଯିବ, ସେଗୁଡ଼ିକ ପ୍ଲାଏଉଡ୍‌, କାଠ, ପେପର, କାର୍ଡ ବୋର୍ଡ ଓ ଆଇରନ୍‌ରେ ତିଆରି ହେବ। ଫଳରେ ପରିବେଶ ଉପରେ କୌଣସି କୁପ୍ରଭାବ ପଡ଼ିବ ନାହିଁ।

ଏହିକ୍ରମରେ ପ୍ରଥମ ପଦକ୍ଷେପ ସ୍ୱରୂପ କିଙ୍ଗ୍‌ କୋବ୍ରା ସାପର ଏକ ପ୍ରତିକୃତି ତିଆରି କରାଯାଇ ସଂଗ୍ରହାଳୟରେ ପ୍ରଦର୍ଶିତ କରାଯାଇଛି। ପୁରୁଣା ଖବରକାଗଜ, ପାଣି, ଫେବିକଲ୍‌ ଓ ଆଇରନ୍‌ରେ ଏହା ତିଆରି ହୋଇଛି। ଏବେ ‘ଜିରାଫ୍‌’ର ପ୍ରତିକୃତି ତିଆରି ଚାଲିଛି। ବି.କେ ଆର୍ଟ କଲେଜର ଦୁଇ ଛାତ୍ରଙ୍କ ଦ୍ୱାରା ଏହା ତିଆରି କରାଯାଉଛି। ପ୍ରାୟ ୧୦ବର୍ଷ ପର୍ଯ୍ୟନ୍ତ ଏହି ପ୍ରତିକୃତିର କୌଣସି କ୍ଷତି ହେବ ନାହିଁ। ଆସନ୍ତା ଅଗଷ୍ଟ ୧୦ରେ ସଂଗ୍ରହାଳୟର ପ୍ରତିଷ୍ଠା ଦିବସ ଥିବାରୁ ସେହିଦିନ ଏହାକୁ ଉଦ୍‌ଘାଟନ କରାଯିବ ବୋଲି ସଂଗ୍ରହାଳୟ ଅଧିକାରୀ ବୈଜ୍ଞାନିକ ଗୌରବ କହିଛନ୍ତି।

ଏହାବ୍ୟତୀତ ସଂଗ୍ରହାଳୟର ବାହାର ପରିସରକୁ ପ୍ରଦୂଷଣମୁକ୍ତ କରିବା ପାଇଁ ବଗିଚାରେ କୀଟନାଶକ ଔଷଧ ପ୍ରୟୋଗ ଉପରେ କଟକଣା ଜାରି ହୋଇଛି। ବଗିଚାରୁ ବାହାରୁଥିବା ବର୍ଜ୍ୟ ସାମଗ୍ରୀରେ ମାଟି ମିଶାଇ ସେଥିରେ ୩୦୦ରୁ ୪୦୦ କେଜି ଜିଆ ଛଡ଼ାଯାଇ ଜୈବିକ ଖତ ତିଆରି ହୋଇଛି। ଏହାକୁ ଗଛପତ୍ର ମୂଳରେ ଦିଆଯିବାର ବ୍ୟବସ୍ଥା ହୋଇଛି। ଏହି ଜୈବିକ ଖତ ତିଆରି କରିବା ପାଇଁ ପ୍ରାୟ ୩ ମାସରୁ ଅଧିକ ସମୟ ଲାଗିଛି। ଏହାଛଡ଼ା ପତ୍ରରେ ଯେଉଁ ସ୍ପ୍ରେ ଦିଆଯାଉଛି, ତାହା ମଧ୍ୟ ଜୈବ ପଦାର୍ଥରେ ତିଆରି ହୋଇଛି।

ସବୁଠାରୁ ବଡ଼ କଥା ହେଲା ଏ ବିଷୟରେ ସ୍କୁଲ ପିଲାଙ୍କୁ ଅବଗତ କରିବା ପାଇଁ ଏକ ଗ୍ୟାଲେରି ମଧ୍ୟ ପ୍ରସ୍ତୁତ କରାଯାଇଛି। ପରିବେଶକୁ କିଭଳି ନିର୍ମଳ, ପ୍ଲାଷ୍ଟିକ୍‌ମୁକ୍ତ ଓ ଜୈବିକ ଖତର ବ୍ୟବହାର କରାଯାଇପାରିବ, ସେ ସମ୍ପର୍କରେ ପିଲାଙ୍କୁ ଜ୍ଞାନ ଦିଆଯିବାର ବ୍ୟବସ୍ଥା ହୋଇଛି। ସୌନ୍ଦର୍ଯ୍ୟକରଣ ଓ ଚାଇଲ୍‌ଡ ଫ୍ରେଣ୍ଡଲି କରିବା ପାଇଁ ସଂଗ୍ରହାଳୟ ଚାରିପଟେ ଚିତ୍ର ଅଙ୍କାଯିବ। ବର୍ଷ ଶେଷ ସୁଦ୍ଧା ଏହି କାର୍ଯ୍ୟକ୍ରମକୁ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ସଂଗ୍ରହାଳୟ ଭିତରେ ଥିବା ବଗିଚାରେ ଔଷଧୀୟ ବଗିଚା ସୃଷ୍ଟି କରାଯିବ। ବିଭିନ୍ନ ପ୍ରଜାତିର ଔଷଧୀୟ ଗଛ ଲାଗିବ। ଜୁଲାଇ ଶେଷ ସୁଦ୍ଧା ଏହି କାମ ଆରମ୍ଭ ହେବ। ଏହାଛଡ଼ା ସଂଗ୍ରହାଳୟ ଛାତ ଉପରେ ସୋଲାର୍‌ ଲଗାଯାଇଛି। ଯାହାଦ୍ୱାରା ପ୍ରାୟ ୬୦ରୁ ୭୦% ବିଦ୍ୟୁତ୍‌ ଶକ୍ତି ସଂଗ୍ରହ ହେଉଥିବା ନେଇ ବୈଜ୍ଞାନିକ ଗୌରବ କହିଛନ୍ତି।

ସମ୍ବନ୍ଧିତ ଖବର