୧୮ ବର୍ଷରେ ଆଞ୍ଚଳିକ ପ୍ରାକୃତିକ ବିଜ୍ଞାନ ସଂଗ୍ରହାଳୟ, ପ୍ରତିଷ୍ଠା ଦିବସରେ ଗରିଲା ଭେଟି

ଚନ୍ଦ୍ରଶେଖରପୁର: କରୋନା ସଂକ୍ରମଣ କମିବା ପରେ ଗତ ୬ ମାସ ହେଲା ଆଞ୍ଚଳିକ ପ୍ରାକୃତିକ ବିଜ୍ଞାନ ସଂଗ୍ରହାଳୟ ପୁଣିଥରେ ଚଳଚଞ୍ଚଳ ହୋଇଉଠିଛି। ପୁଣିଥରେ ସଂଗ୍ରହାଳୟକୁ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଏଥର ପ୍ରତିଷ୍ଠା ଦିବସରେ ଦର୍ଶକଙ୍କୁ ଏକ ନୂଆ ଭେଟି ଦେବା ପାଇଁ କର୍ତ୍ତୃପକ୍ଷ ଅଣ୍ଟା ଭିଡ଼ିଛନ୍ତି। ଆସନ୍ତାକାଲି ସଂଗ୍ରହାଳୟର ପ୍ରତିଷ୍ଠା ଦିବସ ଅବସରରେ ଏକ ଗରିଲା (ପୁରୁଷ)ର ପ୍ରତିକୃତି ଉନ୍ମୋଚନ ହେବ ବୋଲି ସୂଚନା ମିଳିଛି। ପରିବେଶ ଅନୁକୂଳ ଏହି ପ୍ରତିକୃତିଟିର ବିଶେଷତ୍ବ ହେଲା ଏହା ଶତପ୍ରତିଶତ କମ୍ପୋଜିଟ୍‌ ବାୟୋ ଡିଗ୍ରେଡେବଲ୍‌ ସାମଗ୍ରୀରେ ନିର୍ମିତ ହୋଇଛି। ଅର୍ଥାତ୍‌ ଏହାକୁ ସହଜରେ ନଷ୍ଟ କରାଯାଇପାରିବ ଓ ଏଥିରେ ପରିବେଶର କୌଣସି ହାନି ହେବ ନାହିଁ। ସଂଗ୍ରହାଳୟର ଆଫ୍ରିକା ଗ୍ୟାଲେରିରେ ଏହା ପ୍ରଦର୍ଶିତ ହେବ। ଅବିକଳ ଗରିଲା ପରି ଦେଖାଯାଉଥିବା ଏହି ପ୍ରତିକୃତିଟି ଦର୍ଶକ ଓ ଶିଶୁଙ୍କୁ ଆକର୍ଷିତ କରିବ ବୋଲି କର୍ତ୍ତୃପକ୍ଷ ଆଶାବାଦୀ ଅଛନ୍ତି।

ସଂଗ୍ରହାଳୟର ବୈଜ୍ଞାନିକ ଗୌରବ କହିଛନ୍ତି ଯେ ସଂଗ୍ରହାଳୟକୁ ପ୍ଲାଷ୍ଟିକ୍‌ମୁକ୍ତ କରିବା ଦିଗରେ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ପ୍ଲାଷ୍ଟିକ୍‌ ବଦଳରେ ପରିବେଶ ଉପଯୋଗୀ ପଦାର୍ଥରେ ପଶୁ, ପକ୍ଷୀ ଓ ସରୀସୃପଙ୍କ ପ୍ରତିକୃତି ନିର୍ମାଣ କରି ପ୍ରଦର୍ଶିତ କରାଯାଉଛି। ଆଗକୁ ଏଠାରେ ଯାହା ବି କିଛି ପ୍ରଦର୍ଶିତ କରାଯିବ, ସେଗୁଡ଼ିକ ପ୍ଲାଏଉଡ୍‌, କାଠ, କାଗଜ, କାର୍ଡବୋର୍ଡ ଓ ଲୁହାରେ ତିଆରି ହେବ। ଫଳରେ ପରିବେଶ ଉପରେ ଏହାର କୌଣସି କୁ-ପ୍ରଭାବ ପଡ଼ିବ ନାହିଁ।

ପ୍ରଥମ ପଦକ୍ଷେପସ୍ୱରୂପ ଅହିରାଜ (କିଙ୍ଗ୍‌ କୋବ୍ରା) ସାପର ଏକ ପ୍ରତିକୃତି ତିଆରି କରାଯାଇ ପ୍ରଦର୍ଶିତ ହୋଇଥିଲା। ତାହା ପୁରୁଣା ଖବରକାଗଜ, ପାଣି, ଫେବିକଲ୍‌ ଓ ଲୁହାରେ ତିଆରି ହୋଇଥିଲା। ଜିରାଫ୍‌ ଓ ସିଂହୀର ପ୍ରତିକୃତି ମଧ୍ୟ ସେହିଭଳି ଭାବେ ତିଆରି କରାଯାଇଥିଲା। ଗରିଲା ତିଆରିରେ ପୁରୁଣା ଖବରକାଗଜ ବ୍ୟବହୃତ ହୋଇଛି। ଆସନ୍ତା ୧୦ବର୍ଷ ପର୍ଯ୍ୟନ୍ତ ଏହି ପ୍ରତିକୃତିର କୌଣସି କ୍ଷତି ହେବ ନାହିଁ ବୋଲି ଶ୍ରୀ ଗୌରବ ଦାବି କରିଛନ୍ତି।

ଏହାବ୍ୟତୀତ ପ୍ରତିଷ୍ଠା ଦିବସରେ ଗରିଲା ଉଦ୍‌ଘାଟନ ହେବା ସହ ୮ମରୁ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ନେଇ ପୋଷ୍ଟର ମେକିଂ ପ୍ରତିଯୋଗିତା ଅନୁଷ୍ଠିତ ହେବ। ସେହିପରି କଲେଜ ଓ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପୂର୍ବାହ୍ନ ୧୦ଟାରୁ ଦିନ ୧ଟା ମଧ୍ୟରେ ବନ୍ୟପ୍ରାଣୀ ସଂରକ୍ଷଣକୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଅପରାହ୍‌ଣ ୩ଟାରୁ ଆରମ୍ଭ ହେବାକୁ ଥିବା କାର୍ଯ୍ୟକ୍ରମରେ ରାଉରକେଲା ଆରସିସିଏଫ୍‌ ଅରୁଣ କୁମାର ମିଶ୍ର ମୁଖ୍ୟ ଅତିଥି, ନନ୍ଦନକାନନ ଉପନିର୍ଦ୍ଦେଶକ ସଞ୍ଜିତ୍‌ କୁମାର, ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବରିଷ୍ଠ ବୈଜ୍ଞାନିକ ନିରଞ୍ଜନ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେବେ। କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ମନ୍ତ୍ରଣାଳୟ ଅଧୀନ ପୂର୍ବାଞ୍ଚଳ ଆଞ୍ଚଳିକ କାର୍ଯ୍ୟାଳୟର ଟି.ଏଚ୍‌ ମହନ୍ତ ମୁଖ୍ୟବକ୍ତା ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିବେ ବୋଲି ସଂଗ୍ରହାଳୟର ବୈଜ୍ଞାନିକ ଗୌରବ କହିଛନ୍ତି।

ସୂଚନାଯୋଗ୍ୟ, ଅସ୍ଥାୟୀ ପ୍ରଦର୍ଶନୀକୁ ନେଇ ୨୦୦୪ ଅଗଷ୍ଟ ୧୦ରେ ପ୍ରତିଷ୍ଠିତ ଏହି ସଂଗ୍ରହାଳୟ ଚଳିତଥର ୧୮ବର୍ଷରେ ପଦାର୍ପଣ କରିଛି। ଏହି ସଂଗ୍ରହାଳୟ ଓଡ଼ିଶାର ପ୍ରାକୃତିକ ଐତିହ୍ୟ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।

ସମ୍ବନ୍ଧିତ ଖବର