ଖଣ୍ଡଗିରି: ଆଞ୍ଚଳିକ ଉଦ୍ଭିଦ ଗବେଷଣା କେନ୍ଦ୍ର ପରିସରରେ ଚାଲିଥିବା କଂକ୍ରିଟ୍ ନିର୍ମାଣକୁ ‘ବିକାଶ ନାଁରେ ବିନାଶ’ ବୋଲି କହିଛନ୍ତି ମର୍ଣ୍ଣିଂ ୱାକିଂ ଗ୍ରୁପ୍, ସିନିୟର୍ ସିଟିଜେନ ଫୋରମ୍। ଏନେଇ ଆଜି ସକାଳେ ୫୦ରୁ ଅଧିକ ବରିଷ୍ଠ ନାଗରିକ ସେଠାରେ ପ୍ଲାକାର୍ଡ ସହ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଛନ୍ତି। ଅଭିଯୋଗ କରିଛନ୍ତି, ୧୯୮୦ ଦଶକରେ ଭୁବନେଶ୍ୱରରେ ୫ଶହ ଏକରରୁ ଅଧିକ ଅଞ୍ଚଳରେ ପ୍ରାକୃତିକ ପରିବେଶରେ ଆଞ୍ଚଳିକ ଉଦ୍ଭିଦ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା। କେନ୍ଦ୍ରର ମୁଖ୍ୟ ଲକ୍ଷ୍ୟ ଅଞ୍ଚଳରେ ଥିବା ବିରଳ ପ୍ରଜାତିର ବୃକ୍ଷଲତାର ସଂରକ୍ଷଣ, ଅଧିକ ଗବେଷଣା ଓ ଜ୍ଞାନ ବିତରଣ କରିବା। ଏଥିପାଇଁ କେନ୍ଦ୍ରରେ ଗବେଷଣାଗାର ଓ ଗବେଷଣା ପାଇଁ ବୈଜ୍ଞାନିକମାନେ ଅଛନ୍ତି। ଏହାର ଉନ୍ନତୀକରଣ ପାଇଁ ସରକାର ୫୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ବିଶାଳ ଆୟତନର ଏହି କେନ୍ଦ୍ରରେ ସୁନ୍ଦର ବଗିଚା ସହ ନାନା ଜାତିର ଗଛ ଓ ଲତା ସହ ପ୍ରାକୃତିକ ଜଙ୍ଗଲର ଏକ ଅଂଶ (ଭରତପୁର ଜଙ୍ଗଲ ସନ୍ନିକଟ) ରହିଛି। ଏହା ମଧ୍ୟରେ ଏକ ବୃହତ୍ ଜଳାଶୟ ମଧ୍ୟ ରହିଛି। ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଉଦ୍ଭିଦ କେନ୍ଦ୍ର –‘ଏକାମ୍ର କାନନ’କୁ କୃତ୍ରିମ ଶୈଳୀରେ ରୂପାନ୍ତରଣ କରାଯାଉଛି। ଯାହା ଅନାବଶ୍ୟକ। ଅଣଓସାରିଆ ମାଟିର ପାଦଚଲା ରାସ୍ତାକୁ ଚଉଡ଼ା କଂକ୍ରିଟ୍ ରାସ୍ତାରେ ପରିଣତ କରାଯାଉଛି। ଗଛକାଟି ସେ ସ୍ଥାନରେ କଂକ୍ରିଟ୍, ଲୁହା ଓ ଟାଇଲ୍ ବ୍ୟବହାର କରି ବିଭିନ୍ନ ନିର୍ମାଣ ଚାଲିଛି। କଂକ୍ରିଟ୍ ଓ ଟାଇଲ୍ ଯୋଗୁ ବର୍ଷାପାଣି ଭୂତଳକୁ ଯାଇ ପାରିବ ନାହିଁ। ଜଳାଶୟକୁ ଅଧିକ ଗଭୀର କରି ପ୍ରବହମାନ ସ୍ରୋତର ଏକ ଅଂଶ କରି ରଖିବା ପରିବର୍ତ୍ତେ ଏହାକୁ ଏକ ଆବଦ୍ଧ ଜଳାଶୟରେ ପରିଣତ କରାଯାଇଛି। ମିଳିଥିବା ସରକାରୀ ଅର୍ଥରାଶିକୁ ଠିକଣା ଭାବରେ ଖର୍ଚ୍ଚ କରାଯାଉନାହିଁ। ଏକାମ୍ରକାନନ କର୍ତ୍ତୃପକ୍ଷ ସହରାଞ୍ଚଳ ଉତ୍ତପ୍ତ ଦ୍ୱୀପର ପ୍ରଭାବ କମାଇବା ପରିବର୍ତ୍ତେ ପରିବେଶକୁ ଅଧିକ ଉତ୍ତପ୍ତ କରୁଥିବା ସେମାନେ ଅଭିଯୋଗ କରିଛନ୍ତି।
ଅରବିନ୍ଦ ବେହେରାଙ୍କ ନେତୃତ୍ବରେ ଯୁଗୋଳକିଶୋର ମହାପାତ୍ର, ପୁଷ୍ପରାଜ ପ୍ରଧାନ, ଦେବୀ ମହାନ୍ତି, ଶ୍ୟାମସୁନ୍ଦର ଅଗ୍ରୱାଲା, ସୁଦର୍ଶନ ଦାସ, ସନ୍ତୋଷ ଶତପଥୀ, ସ୍ବରାଜ ପଟ୍ଟନାୟକ, ଦେବବ୍ରତ ଦାସ, ମନମୋହନ ପ୍ରହରାଜ, ଜୟନ୍ତ ମିଶ୍ର, ବିମଳେନ୍ଦୁ ମହାନ୍ତି, ଚନ୍ଦନ ମହାନ୍ତି, ବାବାଜୀ ଚରଣ ବିଶ୍ୱାଳ, ଦେବସୁନ୍ଦର ମହାପାତ୍ର, ସୁକୁମାର ଦାସଙ୍କ ସହ ବିଭିନ୍ନ ସ୍କୁଲ କଲେଜର ଶତାଧିକ ଛାତ୍ରଛାତ୍ରୀ ଓ ମର୍ଣ୍ଣିଂ ୱାକିଂ ଗ୍ରୁପ୍, ସିନିୟର୍ ସିଟିଜେନ୍ ଫୋରମ୍, ଯୋଗ ଗ୍ରୁପ୍ର ସଭ୍ୟାମାନେ ସାମିଲ ହୋଇଥିଲେ। ଏ ନେଇ ଆର୍ପିଆର୍ସିର ମୁଖ୍ୟ ନିର୍ବାହୀ ଅଧିକାରୀ ସୁଧାଂଶୁ ଶେଖର ଖୋରା କହିଛନ୍ତି କେନ୍ଦ୍ରରେ ଯେଉଁ ସବୁ ଉନ୍ନତି କରାଯାଇଛି ତାହା ସାଧାରଣ ଲୋକ ଓ କେନ୍ଦ୍ରର ଆବଶ୍ୟକତାକୁ ନଜରରେ ରଖି କରାଯାଇଛି। ଏଠାରେ ଏକାଧିକ ଗବେଷଣା ହେବା ସହିତ ଚାଷୀଙ୍କୁ ଓ ସାଧାରଣ ଲୋକଙ୍କୁ ଚାରା ଯୋଗାଇ ଦିଆଯାଉଛି। କେନ୍ଦ୍ର ଭିତରେ ଥିବା ସରୁ ରାସ୍ତା ବର୍ଷାରେ ଧୋଇ ଯାଉଥିବାରୁ ତାହାକୁ ପିଚୁ କରାଯାଇଛି। ହ୍ରଦର ଉନ୍ନତୀକରଣ ପାଇଁ ମଧ୍ୟ ବିଭିନ୍ନ ସଂସ୍ଥା ସହିତ ଆଲୋଚନା ଚାଲିଛି।