କ୍ୟାପିଟାଲ ହସ୍ପିଟାଲ ଅବ୍ୟବସ୍ଥା : ୨ ଘଣ୍ଟା ପଞ୍ଜୀକରଣ କାଉଣ୍ଟର୍‌ ଅଚଳ

ହସ୍ପିଟାଲ କର୍ତୃପକ୍ଷ ହାତ ଟେକି ଦେଇଛନ୍ତି, ସ୍ବାସ୍ଥ୍ୟ ବିଭାଗ ଚୁପ୍

ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲର ପଞ୍ଜୀକରଣ କାଉଣ୍ଟର୍‌ରେ ଅବ୍ୟବସ୍ଥା ଲାଗି ରହିଛି। ‌ସମସ୍ୟା ଆଜିର ନୁହେଁ, ୨ବର୍ଷ ତଳର। ସମାଧାନ କରାଯାଉଛି, ଶୀଘ୍ର ବ୍ୟବସ୍ଥାରେ ସୁଧାର ଆସିବ କହି ହସ୍ପିଟାଲ କର୍ତୃପକ୍ଷ ସମୟ ଗଡ଼ାଇ ଚାଲିଛନ୍ତି। ହେଲେ ବ୍ୟବସ୍ଥାରେ ସୁଧାର ଆସୁନି। ବରଂ ଦିନକୁ ଦିନ ସ୍ଥିତି ଆହୁରି ଖରାପ ହେବାରେ ଲାଗିଛି। ଅବ୍ୟବସ୍ଥା ଯୋଗୁଁ ଚିକିତ୍ସା ପାଇଁ ଆସୁଥିବା ରୋଗୀମାନେ ହିଁ ହଇରାଣ ହେଉଛନ୍ତି। ସ୍ବାସ୍ଥ୍ୟ ବିଭାଗ ପଞ୍ଜୀକରଣ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଇ-ଶୁଶ୍ରୂତ ସଫ୍‌ଟୱେୟାର ପ୍ରସ୍ତୁତ କରିଥିଲେ ହେଁ, ତାହାକୁ କିଭଳି କାର୍ଯ୍ୟକାରୀ କରାଯିବା ବିଭାଗ ବାଟ ପାଉନି। ତେଣୁ କ୍ୟାପିଟାଲ ହସ୍ପିଟାଲରେ ଏହା କାର୍ଯ୍ୟକାରୀ ହୋଇପାରୁ ନାହିଁ।

ଆ‌ଜି ମଧ୍ୟ ସମାନ ଢଙ୍ଗରେ ହସ୍ପିଟାଲ ପଞ୍ଜୀକରଣ କାଉଣ୍ଟର୍‌ରେ ଅବ୍ୟବସ୍ଥା ଦେଖା ଦେଇଥିଲା। ସକାଳେ ୮ଟାରେ କାଉଣ୍ଟର୍‌ ଖୋଲିବାର କିଛି ସମୟ ପରେ କମ୍ପ୍ୟୁଟର ଖରାପ ହୋଇଯାଇଥିଲା। ଡାକ୍ତରଙ୍କୁ ଦେଖାଇବାକୁ ଅପେକ୍ଷା କରିଥିବା ଶହ ଶହ ରୋଗୀ ସେଭଳି ଧାଡ଼ିରେ ଅପେକ୍ଷା କରି ରହିଥିଲେ। ବହିର୍ବିଭାଗରେ ଡାକ୍ତର ଅଛନ୍ତି ହେଲେ ରୋଗୀଙ୍କ ଦେଖା ମିଳି ନ ଥିଲା। କମ୍ପ୍ୟୁଟର ଖରାପ ହୋଇଯିବାକୁ ନେଇ ରୋଗୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା। ପ୍ରାୟ ୧୦ଟା ବେଳକୁ କମ୍ପ୍ୟୁଟର କାର୍ଯ୍ୟ କରିଥିଲା। ରବିବାର ମଧ୍ୟ ସମାନ ଢଙ୍ଗରେ ମାଗଣା ସେବା ପାଇଁ ଉପଲବ୍ଧ କାଉଣ୍ଟର୍‌ରେ ପ୍ରିଣ୍ଟର୍‌ ଖରାପ ହୋଇଯିବା ଯୋଗୁଁ ସମସ୍ୟା ଉପୁଜିଥିଲା। ଶେଷରେ ରୋଗୀମାନଙ୍କୁ ହାତଲେଖା ନମ୍ବର ଦିଆଯାଇଥିଲା।

କ୍ୟାପିଟାଲ ହସ୍ପିଟାଲରେ ‌େରାଗୀଙ୍କ ପଞ୍ଜୀକରଣ ପାଇଁ କଟକର ଏକ ସଂସ୍ଥାକୁ ଦାୟିତ୍ବ ଦିଆଯାଇଛି। ପୂର୍ବରୁ ଏଥିପାଇଁ ରୋଗୀ ପିଛା ୫ଟଙ୍କା ଆଦାୟ କରାଯାଉଥିଲା। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ସ୍ବାଧୀନତା ଦିବସରୁ ପଞ୍ଜୀକରଣ ବାବଦ ଆଦାୟ ହେଉଥିବା ଅର୍ଥକୁ ବନ୍ଦ କରାଯାଇଛି। ଗତ ୨ବର୍ଷ ହେବ ସଂସ୍ଥା ସହିତ ହସ୍ପିଟାଲ କର୍ତୃପକ୍ଷଙ୍କ ହୋଇଥିବା ଚୁକ୍ତି ଶେଷ ହୋଇଗଲାଣି। ସଂସ୍ଥା ସହିତ ହସ୍ପିଟାଲ କର୍ତୃପକ୍ଷଙ୍କ ଚୁକ୍ତି ନବୀକରଣ ହୋଇନାହିଁ। ବରଂ ସଂସ୍ଥାର ତାରିଖ କର୍ତୃପକ୍ଷ ବଢ଼ାଇ ଚାଲିଛନ୍ତି। ମାତ୍ର ସଂସ୍ଥା ପକ୍ଷରୁ ଦିଆଯାଉଥିବା ସେବାରେ ସୁଧାର ଆସୁନାହିଁ। କେତେବେଳେ କମ୍ପ୍ୟୁଟର ଖରାପ ତ ଆଉ କେତେବେଳେ ପ୍ରିଣ୍ଟର ଖରାପ। ବାରମ୍ବାର ତାଗିଦ୍ ସତ୍ବେ ସଂସ୍ଥା ଏହାକୁ ଗୁରୁତ୍ବ ଦେଉ ନ ଥିବା ଖୋଦ୍ ହସ୍ପିଟାଲ କର୍ତୃପକ୍ଷ ସ୍ବୀକାର କରୁଛନ୍ତି। ମାତ୍ର କାହା ସ୍ବାର୍ଥରେ ସଂସ୍ଥାକୁ ଏବେ ବି ହସ୍ପିଟାଲରେ କାର୍ଯ୍ୟ କରିବାର ସୁଯୋଗ ଦିଆଯାଇଛି ତାହା ବୁଝା ପଡ଼ୁନାହିଁ। ଯାହାଫଳରେ ସଂସ୍ଥା ନିଜର ମନମୁଖୀ କାର୍ଯ୍ୟ ଚଳାଉଥିବା ଅଭିଯୋଗ ହେଉଛି।

ଚଳିତବର୍ଷ ପହିଲାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣା ପରୀକ୍ଷା ‘ନିଦାନ’, ‘ସହାୟ’ ଓ ସ୍ବାଧୀନତା ଦିବସରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ବା ବିଏସ୍‌କେୱାଇ କାର୍ଯ୍ୟକାରୀ ହୋଇଛି। ଯାହାଫଳରେ କ୍ୟାପିଟାଲ ହସ୍ପିଟାଲରେ ପୂର୍ବରୁ ଯେତିକି ସଂଖ୍ୟକ ରୋଗୀ ଚିକିତ୍ସା ପାଇଁ ଆସୁଥିଲେ ତାହା ଦୁଇଗୁଣ ବୃଦ୍ଧି ପାଇଛି। ପୂର୍ବରୁ ଶିଶୁ ୱାର୍ଡରେ ସ୍ବତନ୍ତ୍ରଭାବେ ଏକ ପଞ୍ଜୀକରଣ କାଉଣ୍ଟର୍‌ ରହିଥି‌ଲ‌ା। ଏଠାରେ ଶିଶୁ ୱାର୍ଡ ଓ ସ୍ତ୍ରୀ ଓ ପ୍ରସୂତି ୱାର୍ଡ ପାଇଁ ଟିକେଟ୍ କରାଯାଉଥିଲା। ମାତ୍ର ଏବେ ତାହାକୁ ବନ୍ଦ କରି ଦିଆଯାଇଛି। ଗୋଟିଏ ସ୍ଥାନରେ ସମସ୍ତ ୱାର୍ଡ ପାଇଁ ପଞ୍ଜୀକରଣ ହେଉଛି। ଏଭଳି କ୍ଷେତ୍ରରେ ପଞ୍ଜୀକରଣ ପାଇଁ ଅଧିକ ସଂଖ୍ୟକ କାଉଣ୍ଟରର ଆବଶ୍ୟକତା ରହିଥିଲେ ହେଁ ଏହାକୁ ଗୁରୁତ୍ବ ଦିଆଯାଉନାହିଁ। ମାତ୍ର ଦୁଇଟି କାଉଣ୍ଟରରେ ବୟସ୍କ ରୋଗୀଙ୍କଠାରୁ ଆରମ୍ଭ କରି ମହିଳା ଓ ଅନ୍ୟମାନଙ୍କ ପାଇଁ ଟିକେଟ୍ କରାଯାଉଛି। ଯାହାଫଳରେ ପଞ୍ଜୀକରଣ କାଉଣ୍ଟର୍‌ରେ ଅସମ୍ଭାଳ ଭିଡ଼ ହେଉଛି।

କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ ଡା.ଚନ୍ଦ୍ରିକା ପ୍ରସାଦ ଦାସ କହିଛନ୍ତି, ଆଜି ସକାଳେ ଓ ରବିବାର ଏଭଳି ଅବ୍ୟବସ୍ଥା ହୋଇଥିଲା। ପୂଜା ଛୁଟି ପରେ ହଠାତ୍ ରୋଗୀଙ୍କ ସଂଖ୍ୟା ବଢ଼ିଯିବାରୁ ଏଭଳି ସମସ୍ୟା ଦେଖା ଦେଇଛି। ଅବ୍ୟବସ୍ଥା ନେଇ ପଞ୍ଜୀକରଣ କରୁଥିବା ସଂସ୍ଥାକୁ ହସ୍ପିଟାଲ ପକ୍ଷରୁ ଚିଠି ଦିଆଯାଇଛି। ଏହାସହ ରାଜ୍ୟ ସରକାରଙ୍କ ମଧ୍ୟ ଏ ସଂପର୍କରେ ଜଣାଇ ଦିଆଯାଇଛି। ସ୍ବାଧୀନତା ଦିବସ ପୂର୍ବରୁ ହସ୍ପିଟାଲର ବହିର୍ବିଭାଗରେ ପ୍ରତ୍ୟେକ ଦିନ ୮୦୦ରୁ ହଜାରେ ପର୍ଯ୍ୟନ୍ତ ରୋଗୀ ଚିକିତ୍ସା ପାଇଁ ଆସୁଥିବା ବେଳେ ଏବେ ତାହା ୨ରୁ ୩ ହଜାରରେ ପହଞ୍ଚିଛି। ତେଣୁ ଅଧିକ ସଂଖ୍ୟାରେ କାଉଣ୍ଟର୍‌ ଖୋଲିବା ପାଇଁ‌ ଚେଷ୍ଟା କରାଯାଉଛି। ତେବେ ଇ-ଶୁଶ୍ରୂତ ସଫ୍‌ଟୱେୟାର କାର୍ଯ୍ୟ କରିବା ନେଇ ସରକାରଙ୍କ ପକ୍ଷରୁ ଏ ନେଇ କୌଣସି ସୂଚନା ଦିଆଯାଇନାହିଁ ‌ବୋଲି ଡା.ଦାସ କହିଛନ୍ତି।

ସମ୍ବନ୍ଧିତ ଖବର