ଜନ୍ମ/ମୃତ୍ୟୁ ପଞ୍ଜୀକରଣ କାର୍ଯ୍ୟାଳୟରେ ଅଚଳାବସ୍ଥା : ଆବେଦନ ଚାଲିଛି, ଜାରି ହୋଇପାରୁନି ସାର୍ଟିଫିକେଟ୍

ଭୁବନେଶ୍ବର : ଜନ୍ମ/ମୃତ୍ୟୁ ପଞ୍ଜୀକରଣ କାର୍ଯ୍ୟାଳୟରେ ଅଚଳାବସ୍ଥା ସୃଷ୍ଟି ହୋଇଛି। କାର୍ଯ୍ୟାଳୟରେ ନଗର ସ୍ବାସ୍ଥ୍ୟ ଅଧିକାରୀ ନ ଥିବାରୁ ଜନ୍ମ/ମୃତ୍ୟୁ ସାର୍ଟିଫିକେଟ୍ ଲୋକଙ୍କୁ ଜାରି ହୋଇପାରୁନାହିଁ। ଲୋକ କେବଳ ଧାଡ଼ି ବାନ୍ଧି ଆବେଦନ କରି ଚାଲିଛନ୍ତି। ନୂତନ ନଗର ସ୍ବାସ୍ଥ୍ୟ ଅଧିକାରୀ କାର୍ଯ୍ୟରେ ଯୋଗଦେବା ପରେ ହିଁ ତାଙ୍କ ଡିଜିଟାଲ ଦସ୍ତଖତରେ ଜନ୍ମ/ମୃତ୍ୟୁ ସାର୍ଟିଫିକେଟ୍ ପ୍ରଦାନ କରାଯିବ ବୋଲି କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି।

ବାତ୍ୟା ପାଇଁ ଜନ୍ମ/ମୃତ୍ୟୁ ପଞ୍ଜୀକରଣ କାର୍ଯ୍ୟାଳୟରେ ଚଳିତ ମାସ ୧ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ କୌଣସି ପ୍ରକାର ଆବେଦନକୁ ବନ୍ଦ ରଖାଯାଇଥିଲା। ଏହା ପରେ ଆବେଦନ ପ୍ରକ୍ରିୟା ପୁଣିଥରେ କାର୍ଯ୍ୟକ୍ଷମ ହୋଇଛି। ହେଲେ ଜନ୍ମ/ମୃତ୍ୟୁ ପଞ୍ଜୀକରଣ କାର୍ଯ୍ୟାଳୟ ଦାୟିତ୍ବରେ ଥିବା ନଗର ସ୍ବାସ୍ଥ୍ୟ ଅଧିକାରୀ ଡା.ଏଲ୍. ନାୟକଙ୍କ ଗତ ୬ତାରିଖରେ କାର୍ଯ୍ୟରୁ ହଟାଇ ଦିଆଯାଇଥିଲା। ତାଙ୍କ ବଦଳରେ ଜଣେ ଇଞ୍ଜିନିରୟଙ୍କୁ ଏହାର ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ତେବେ ବିଧିବଦ୍ଧ ଭାବେ ନଗର ସ୍ବାସ୍ଥ୍ୟ ଅଧିକାରୀ ନିଯୁକ୍ତ ହୋଇ ନ ଥିବାରୁ ଜନ୍ମ/ମୃତ୍ୟୁ ସାର୍ଟିଫିକେଟ୍‌ ଜାରି ହୋଇପାରୁନାହିଁ। ଜନ୍ମ/ମୃତ୍ୟୁ ସାର୍ଟିଫିକେଟ୍‌ ପାଇଁ ଆବେଦନ ବଢ଼ି ଚାଲିଛି, ମାତ୍ର ସାର୍ଟିଫିକେଟ୍ ଦିଆଯାଉନାହିଁ। ଡା. ନାୟକଙ୍କ କାର୍ଯ୍ୟକାଳ ସମୟରେ ଯେତିକି ସାର୍ଟିଫିକେଟ୍‌ରେ ମୋହର ବାଜିଥିଲା, ସେସବୁ ସାର୍ଟିଫିକେଟ୍ କେବଳ ବଣ୍ଟା ଯାଉଛି। ତେଣୁ ଜନ୍ମ/ମୃତ୍ୟୁ ସାର୍ଟିଫିକେଟ ପାଇଁ ଆବେଦନ କରୁଥିବା ଲୋକମାନଙ୍କୁ ଅତି କମ୍‌ରେ ୨୦ଦିନ‌ ପରେ ସାର୍ଟିଫିକେଟ୍ ଦିଆଯିବ ବୋଲି କୁହାଯାଉଛି।

ମିଳିଥିବା ସୂଚନା ଅନୁସାରେ, ଜନ୍ମ/ମୃତ୍ୟୁ ପଞ୍ଜୀକରଣ କାର୍ଯ୍ୟାଳୟରେ ପ୍ରତ୍ୟେକ ଦିନ ୧୦୦/୧୫୦ ଜନ୍ମ ଓ ୫୦/୬୦ ମୃତ୍ୟୁ ସାର୍ଟିଫିକେଟ୍ ପାଇଁ ଆବେଦନ କରାଯାଉଛି। ଅଧିକାଂଶ ଆବେଦନ ଅଫ୍‌ଲାଇନ୍ ଜରିଆରେ ହେଉଛି। ଫଳରେ କାର୍ଯ୍ୟାଳୟ‌ରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଏଭଳି ପରିସ୍ଥିତିରେ ଯେଉଁ ବ୍ୟକ୍ତିମାନଙ୍କ ଲିଗାଲ ହେୟାର ସାଟିର୍ଫିକେଟ୍‌ ଆବଶ୍ୟକ, ବିଦେଶ ଯିବାକୁ ଚାହୁଁଥିବା ବ୍ୟକ୍ତି କିମ୍ବା ଜନ୍ମ ସାର୍ଟିଫିକେଟ୍ ନେଇ ସ୍କୁଲରେ ଆଡମିସନ୍ କରିବାକୁ ଚାହୁଁଥିବା ବାପା ମା’ମାନେ ଏବେ ଚିନ୍ତାରେ ପଡ଼ିଛନ୍ତି। କେବଳ ନୂତନ ସାର୍ଟିଫିକେଟ୍ ଜାରି ନୁହେଁ, ଯେଉଁସବୁ ସାର୍ଟିଫିକେଟ୍‌ରେ ଲୋକଙ୍କ କୌଣସି ପ୍ରକାର ତ୍ରୁଟି ରହୁଛି, ଏହାର ସଂଶୋଧନ ନେଇ ମଧ୍ୟ ସମସ୍ୟା ଉପୁଜୁଛି। ନୂଆ ସ୍ବାସ୍ଥ୍ୟ ଅଧିକାରୀ ଯୋଗଦେଲେ ମଧ୍ୟ ଆସନ୍ତା ୧୫ଦିନ ମଧ୍ୟରେ ଏହି ସମସ୍ୟାର ସମଧାନ ହେବା ଏକପ୍ରକାର ସମ୍ଭବ ନୁହେଁ। ସାର୍ଟିଫିକେଟ୍‌ରେ ସ୍ବାସ୍ଥ୍ୟ ଅଧିକାରୀଙ୍କ ଡିଜିଟାଲ ଦସ୍ତଖତର ଆବଶ୍ୟକତା ରହିଥିବାରୁ ତାଙ୍କ ଦସ୍ତଖତ ନିଆଯାଇ ଟିସିଏସ୍‌କୁ ପଠାଯିବ। ସେଠାରୁ ଏହା ସ୍ବୀକୃତିପ୍ରାପ୍ତ ଦସ୍ତଖତ ହେବା ପରେ ହିଁ ସାର୍ଟିଫିକେଟ୍‌ରେ ବ୍ୟବହାର ହୋଇପାରିବ। ତେବେ ଏହି ପ୍ରକ୍ରିୟା ବେଶ୍ ଲମ୍ବା ହୋଇଥିବାରୁ ଲୋକମାନଙ୍କୁ ଜନ୍ମ/ମୃତ୍ୟୁ ସାର୍ଟିଫିକେଟ୍‌ ପାଇବା ପାଇଁ ଦୀର୍ଘ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ବୋଲି କୁହାଯାଉଛି। ଅପରପକ୍ଷରେ ଜନ୍ମ/ମୃତ୍ୟୁ ପଞ୍ଜୀକରଣ କାର୍ଯ୍ୟାଳୟରେ ପୂର୍ବଭଳି ଦଲାଲ ସକ୍ରିୟ ରହିଛନ୍ତି। କାର୍ଯ୍ୟାଳୟର ଚାରିଆଡ଼େ କୌଣସି ପ୍ରକାର ଲାଞ୍ଚ ନ ଦେବା ପାଇଁ ଲିଫ୍‌ଲେଟ୍‌ ଲାଗିଛି। ଏହା ସତ୍ତ୍ବେ ଦଲାଲଙ୍କୁ ନିୟନ୍ତ୍ରଣ କରିବା ସମ୍ଭବ ହୋଇପାରିନାହିଁ।

ବିଏମ୍‌ସର ଅତିରିକ୍ତ କମିସନର ସୁରଥ ମଲ୍ଲିକ କହିଛନ୍ତି, ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯାଇଛି। ଖୁବଶୀଘ୍ର ନଗର ସ୍ବାସ୍ଥ୍ୟ ଅଧିକାରୀ ଯୋଗ ଦେବେ ବୋଲି ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର