କ୍ୟାପିଟାଲ ହସ୍ପିଟାଲରେ ରେଗୁଲାର ଓଟି ବନ୍ଦ

ଆନେସ୍ଥେସିଆ ବିଶେଷଜ୍ଞ ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ
ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଅସ୍ତ୍ରୋପଚାର ମଧ୍ୟ ସନ୍ଦେହରେ

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରେ ଆଜିଠାରୁ ରେଗୁଲାର ଓଟି ବନ୍ଦ ହୋଇଯାଇଛି। ହସ୍ପିଟାଲରେ ଥିବା ଆନେସ୍ଥେଟିକ୍‌ ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଯାଇଥିବାରୁ ହସ୍ପିଟାଲ କର୍ତୃପକ୍ଷ ଏଭଳି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି। ଏହାସହ ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି ଓ୍ଵାର୍ଡରେ ମଧ୍ୟ ଡେଲିଭରିକୁ ନେଇ ସମସ୍ୟା ଉପୁଜିବ ବୋଲି କର୍ତୃପକ୍ଷ ଆଶଙ୍କା କରୁଛନ୍ତି। ଏଭଳି ନିଷ୍ପତ୍ତି ଯୋଗୁଁ କ୍ୟାପିଟାଲ ହସ୍ପିଟାଲରେ ଅସ୍ତ୍ରୋପଚାର କରୁଥିବା ଗରିବ ଓ ବିପିଏଲ୍‌ ରୋଗୀଙ୍କ ସମସ୍ୟା ବଢ଼ାଇ ଦେଇଛି।

ସୂଚନା ଅନୁଯାୟୀ, କ୍ୟାପିଟାଲ ହସ୍ପିଟାଲରେ ଆନେସ୍ଥେସିଆ ବିଶେଷଜ୍ଞ ପାଇଁ ୪ଟି ପଦବି ରହିଛି। କିଛି ଦିନ ପୂର୍ବରୁ ଏଥିରୁ ଜଣଙ୍କର ଦେହାନ୍ତ ହୋଇଯାଇଥିବା ବେଳେ ଅନ୍ୟ ଜଣଙ୍କ ଅନ୍ୟତ୍ର ବଦଳି ହୋଇଯାଇଛି। ଫଳରେ ୨ଜଣ ରେଗୁଲାର ଆନେସ୍ଥେସିଆ ବିଶେଷଜ୍ଞ ହସ୍ପିଟାଲରେ ରହିଛନ୍ତି। ଅପରପକ୍ଷରେ କ୍ୟାପିଟାଲ ହସ୍ପିଟାଲରେ ୩ଟି ଓଟି ବା ଅସ୍ତ୍ରୋପଚାର ଗୃହ ରହିଥିବା ବେଳେ ଅସ୍ଥିଶଲ୍ୟ ଓଟି ଗତ ୩/୪ବର୍ଷ ହେବ କର୍ମଚାରୀଙ୍କ ଅଭାବ ଯୋଗୁଁ ବନ୍ଦ ହୋଇ ପଡ଼ିଛି। ଏବେ ରେଗୁଲାର ଓଟିରେ ସାଧାରଣ ଅସ୍ତ୍ରୋପଚାର, ଇଏନ୍‌ଟି ଓ ଅସ୍ଥିଶଲ୍ୟ ସଂପର୍କିତ ଅସ୍ତ୍ରୋପଚାର ହେଉଥିବା ବେଳେ ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ ମଧ୍ୟ ଡେଲିଭରି ପାଇଁ ଗୋଟିଏ ଓଟି ରହିଛି। ସ୍ତ୍ରୀ ଓ ପ୍ରସୂତି ଓ୍ଵାର୍ଡ ପାଇଁ ଜନନୀ ସୁରକ୍ଷା ଯୋଜନାରେ ୩ଜଣଙ୍କୁ ଠିକାରେ ନିଯୁକ୍ତି ଦିଆଯାଇଛି।

ରେଗୁଲାର ଓଟି ସକାଳ ୮ଟାରୁ ଦିନ ୨ଟା ପର୍ଯ୍ୟନ୍ତ କାର୍ଯ୍ୟ କରିଥାଏ। ଅପରପକ୍ଷରେ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଥିବା ଓଟି ୩ଟି ପର୍ଯ୍ୟାୟରେ ୨୪ଘଣ୍ଟା ପାଇଁ କାର୍ଯ୍ୟ କରିଥାଏ। ସକାଳ ୮ଟାରୁ ଅପରାହ୍‌ଣ ୨ଟା ଓ ଅପରାହ୍‌ଣ ୨ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଠିକାରେ ନିଯୁକ୍ତ ହୋଇଥିବା ଆନେସ୍ଥେସିଆ ବିଶେଷଜ୍ଞ କାର୍ଯ୍ୟ କରିଥାନ୍ତି। ଅପରପକ୍ଷରେ ସପ୍ତାହର ୬ଦିନ ରାତି ଡ୍ୟୁଟି ହସ୍ପିଟାଲର ୨ଜଣ ନିୟମିତ ଆନେସ୍ଥେଟିକ୍‌ଙ୍କୁ କରିବାକୁ ପଡ଼ିଥାଏ। ତେବେ ରେଗୁଲାର ଆନେସ୍ଥେସିଆ ବିଶେଷଜ୍ଞଙ୍କ ମଧ୍ୟରୁ ଜଣେ ନିଜର ଅସ୍ତ୍ରୋପଚାର ପାଇଁ ୧ମାସ ପାଇଁ ଛୁଟି ନେଇଥିବା ଯୋଗୁଁ ରେଗୁଲାର ଓଟିକୁ ବନ୍ଦ କରି ଦିଆଯାଇଛି।

କ୍ୟାପିଟାଲ ହସ୍ପିଟାଲର ରେଗୁଲାର ଓଟିରେ ଦିନକୁ ଅତିକମ୍‌ରେ ୪ଜଣଙ୍କର ଅସ୍ତ୍ରୋପଚାର ହୋଇଥାଏ। ସେହିପରି ସ୍ତ୍ରୀ ଓ ପ୍ରସୂତି ବିଭାଗର ଓଟିରେ ଦିନକୁ ୨୦/୨୨ଟି ଡେଲିଭରି କରାଯାଇଥାଏ। ଯେହେତୁ ଡେଲିଭରି ଓଟି ୨୪ଘଣ୍ଟା ପାଇଁ କାର୍ଯ୍ୟ କରିଥାଏ ଓ ଡେଲିଭରି ପାଇଁ ଏହାର ଗୁରୁତ୍ୱ ଥିବାରୁ ଏହାକୁ ଚାଲୁ ରଖିବା ପାଇଁ ହସ୍ପିଟାଲ କର୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ତେବେ ଏହି ବିଭାଗରେ ରାତି ଡ୍ୟୁଟି ରେଗୁଲାର ଆନେସ୍ଥେସିଆ ବିଶେଷଜ୍ଞଙ୍କୁ କରିବାକୁ ପଡ଼ିଥାଏ ତେଣୁ ସଂପୂର୍ଣ୍ଣ ସପ୍ତାହ ଜଣେ କିଭଳି ଏଥିରେ କାର୍ଯ୍ୟ କରିବେ ତାହା ମଧ୍ୟ ହସ୍ପିଟାଲ କର୍ତୃପକ୍ଷଙ୍କୁ ଚିନ୍ତାରେ ପକାଇଛି।

କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ ଡା.ସି.ଆର ଦାସ କହିଛନ୍ତି, ହସ୍ପିଟାଲରେ ଥିବା ୨ଜଣ ଆନେସ୍ଥେସିଆ ବିଶେଷଜ୍ଞଙ୍କ ମଧ୍ୟରୁ ଜଣେ ସ୍ୱାସ୍ଥ୍ୟଗତ କାରଣ ପାଇଁ ୧ମାସ ପାଇଁ ଛୁଟି ନେଇଛନ୍ତି। ହସ୍ପିଟାଲରେ ଆଉ ଜଣେ ଆନେସ୍ଥେସିଆ ବିଶେଷଜ୍ଞ ଥିବାରୁ ତାଙ୍କୁ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ରାତି ଡ୍ୟୁଟି କରିବାକୁ ପଡ଼ିବ। ତେଣୁ ରେଗୁଲାର ଓଟିକୁ ବନ୍ଦ କରି ଦିଆଯାଇଛି। ଅପରପକ୍ଷରେ ହସ୍ପିଟାଲକୁ ଜଣେ ଆନେସ୍ଥେସିଆ ବିଶେଷଜ୍ଞ ନିଯୁକ୍ତ କରିବା ପାଇଁ ସ୍ୱାସ୍ଥ୍ୟ ସଚିବଙ୍କ ସହିତ ଆଜି ଆଲୋଚନା ହୋଇଥିବା ଡା.ଦାସ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର