ଭୁବନେଶ୍ୱର: ଜଳସମ୍ପଦ ବିଭାଗ ଅଧୀନରେ ଥିବା ଗଙ୍ଗୁଆର ପ୍ରଦୂଷଣ ନେଇ ମାମଲା ଏନ୍ଜିଟିରେ ପହଞ୍ଚିବା ପରେ ଡ୍ରେନେଜ୍ ଡିଭିଜନ୍ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କଲା। କିନ୍ତୁ କିଛି କାମ ହେଲାନି। ଏହାକୁ ବିଏମ୍ସିକୁ ହସ୍ତାନ୍ତର କରିବାକୁ ଉଚ୍ଚସ୍ତରୀୟ କମିଟି ନିଷ୍ପତ୍ତି ନେଲା। କିନ୍ତୁ ବିଏମ୍ସି ଦାୟିତ୍ବ ନେବାକୁ ମନା କରିଦେଲା। ଏଭଳି ଛକାପଞ୍ଝା ପରେ ବିଡିଏକୁ ଦାୟିତ୍ବ ଦିଆଗଲା। ବିଡିଏ ଗଙ୍ଗୁଆ ସହ ୧୦ଟି ପ୍ରାକୃତିକ ନାଳ(ବିଡିଏ ଅଞ୍ଚଳ)ର ସର୍ଭେ କରିବା ସହ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିବାକୁ ଯାଉଛି। ଏକ ଠିକା ସଂସ୍ଥା ଜରିଆରେ ସର୍ଭେ ଆରମ୍ଭ ହୋଇଛି। ଠିକାସଂସ୍ଥାକୁ ବର୍ଷେ ସମୟ ଦିଆଯାଇଛି। ଠିକା ସଂସ୍ଥାର ରିପୋର୍ଟ ଆଧାରରେ ବିଡିଏ ମାଷ୍ଟର ପ୍ଲାନ୍ ତିଆରି କରିବ। କିନ୍ତୁ ଗଙ୍ଗୁଆ ଏକାଧିକ ଜାଗାରେ ବଡ଼ବଡ଼ିଆଙ୍କ ଜବରଦଖଲରେ ରହିଛି। ବିଡିଏ ମାଷ୍ଟର ପ୍ଲାନ୍ ପ୍ରସ୍ତୁତିରେ ଏହି ବଡ଼ବଡ଼ିଆ ହଟିବେ କି ନାହିଁ ସେ ନେଇ ପ୍ରଶ୍ନ ଉଠିଛି। ଚନ୍ଦକା ସଂରକ୍ଷିତ ଜଙ୍ଗଲରୁ ବାହାରିଥିବା ପ୍ରାୟ ୪୫ କିଲୋମିଟର ଲମ୍ବାର ଏହି ନାଳ ଭୁବନେଶ୍ବର ଦେଇ କଣ୍ଟି ବାରିମୂଳଠାରେ ଦୟାନଦୀରେ ମିଶିଛି। ଜଙ୍ଗଲରୁ ବାହାରିବାର ୧୩ କିଲୋମିଟର ପରେ ଏଥିରେ ଭୁବନେଶ୍ବରର ନଳାପାଣି ମିଶିବା ଆରମ୍ଭ ହୋଇଛି। ଭୁବନେଶ୍ବର ଭିତରେ ପ୍ରାୟ ୩୨ କିଲୋମିଟର ନାଳରେ ବିଶୋଧନ ହେଉନଥିବା ବର୍ଜ୍ୟଜଳ ସିଧା ସଳଖ ଏହି ନାଳରେ ମିଶୁଛି। ଚନ୍ଦକା ଅଭୟାରଣ୍ୟରୁ ବାହାରିବା ବେଳେ ଏହାର ଓସାର ଅନେକ ଜାଗାରେ ୮୦ରୁ ଶହେ ଫୁଟ୍ ପର୍ଯ୍ୟନ୍ତ ରହିଥିବା ବେଳେ ସହର ଭିତରେ ଜବରଦଖଲ ଯୋଗୁ ଅଣଓସାରିଆ ହୋଇଯାଇଛି। କେତେକ ଜାଗାରେ ମାତ୍ର ୨୦ ଫୁଟ ପର୍ଯ୍ୟନ୍ତ ଓସାର ରହିଛି। ଓଡ଼ିଶାର ୧୯ଟି ପ୍ରଦୂଷିତ ନାଳ ମଧ୍ୟରୁ ଏହା ଶୀର୍ଷରେ ରହିଥିବାରୁ ମାମଲା ଏନ୍ଜିଟିରେ ପହଞ୍ଚିଛି। ଏହାକୁ କିଭଳି ପ୍ରଦୂଷଣମୁକ୍ତ କରାଯିବ ଓ ଜବରଦଖଲମୁକ୍ତ କରାଯିବ ସେନେଇ ବିଡିଏ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିବ।
ତେବେ ଏହା ପାର୍ଶ୍ବରେ ଜବରଦଖଲ ସମସ୍ୟା ଉତ୍କଟ ହୋଇଛି। ବିଶେଷକରି ବରମୁଣ୍ଡା ବସ୍ଷ୍ଟାଣ୍ଡ ପଛ, ରସୁଲଗଡ଼ ଠାରୁ ଶିଶୁପାଳଗଡ଼ ପର୍ଯ୍ୟନ୍ତ, ସାମନ୍ତରାପୁରରୁ ଦୟାନଦୀ ସହ ସମାନ୍ତରାଳ ଭାବରେ ଉଭୟପାର୍ଶ୍ବରେ ଜବରଦଖଲ ହୋଇଛି। ଜଳସମ୍ପଦ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ଅନେକ ସମୟରେ ଗଙ୍ଗୁଆ ଗତିପଥ ବଦଳାଇଛି। କେଉଁଠି ଗଙ୍ଗୁଆ ଘରୋଇ ଜମିକୁ ମାଡ଼ି ଯାଇଥିବା ବେଳେ କେଉଁଠି ବ୍ୟକ୍ତିଗତ ଭାବେ ଦଖଲ କରାଯାଇଛି। ଗଙ୍ଗୁଆର ମୂଳ ନକ୍ସା ସହ ସାଟେଲାଇଟ୍ ମ୍ୟାପ୍ ମେଳକ କଲେ ଜବରଦଖଲ ଧରା ପଡ଼ିଯିବ। ବିଡିଏର ଜଣେ ଅଧିକାରୀ କହିଛନ୍ତି ଘରୋଇ ସଂସ୍ଥା ସର୍ଭେ କରୁଛି। ରିପୋର୍ଟ ଦେବା ପରେ ମାଷ୍ଟର ପ୍ଲାନ୍ ପ୍ରସ୍ତୁତି ବେଳେ ଏହା ଉପରେ ବିଚାର କରାଯିବ।
ଏଣେ ଗଙ୍ଗୁଆର ପ୍ରଦୂଷଣ ବଢ଼ି ବଢ଼ି ଚାଲିଛି। ପ୍ରଦୂଷଣ ପାଇଁ ୱାଟ୍କୋକୁ ଦାୟୀ କରାଯାଇଛି। ସ୍ବେରେଜ୍ ପ୍ରକଳ୍ପ ମାତ୍ର ୨୦ରୁ ୩୦ ପ୍ରତିଶତ ହୋଇଥିବାରୁ ବର୍ଜ୍ୟ ଜଳ ଗଙ୍ଗୁଆକୁ ଯାଉଛି। ସ୍ବେରେଜ୍ ପ୍ରକଳ୍ପ ସାରିବାକୁ ୱାଟ୍କୋକୁ ନଭେମ୍ବର ମାସ ଡେଡ୍ଲାଇନ୍ ଦିଆଯାଇଛି। ଏନ୍ଜିଟିଙ୍କ ଆଦେଶରେ ଗଠିତ ଟାସ୍କ ଫୋର୍ସ ଏହାକୁ ନିଶ୍ଚିତ କରିବାକୁ କୁହାଯାଇଛି। ତେବେ ୱାଟ୍କୋ କହିଛି ୫ଟି ଏସ୍ଟିପିରୁ ୩ଟି ସମ୍ପୂର୍ଣ୍ଣ ହୋଇଛି। ବାକି ଦୁଇଟି ନଭେମ୍ବର ୩୦ ସୁଦ୍ଧା ସମ୍ପୂର୍ଣ୍ଣ ହେବ। ୫ଟି ଏସ୍ଟିପିର କ୍ଷମତା ୧୮୩.୫ ଏମ୍ଏଲ୍ଡି ରହିଛି। ସମସ୍ତ ଏସ୍ଟିପି ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଗଲେ କୌଣସି ପରିସ୍ଥିତିରେ ଗଙ୍ଗୁଆକୁ ମଳ ଯିବନାହିଁ।