ଭୁବନେଶ୍ବର/ବାଲିଅନ୍ତା: ବାର୍ରେ ଯୁବତୀଙ୍କ ସହ ବନ୍ଧୁତା ହୋଇଥିଲା। ନିମନ୍ତ୍ରଣ ରକ୍ଷା କରି ବାର୍ ବାନ୍ଧବୀ ଯୁବ ବ୍ୟବସାୟୀଙ୍କ ଘରକୁ ଯାଇଥିଲେ। ଏହି ମଉକାରେ ଯୁବ ବ୍ୟବସାୟୀ ଥଣ୍ଡା ପାନୀୟରେ ନିଶା ଦେଇ ବାନ୍ଧବୀଙ୍କୁ ନିଜ ବେଡ୍ ରୁମ୍ରେ ଦୁଷ୍କର୍ମ କଲେ। ଏମିତି ଏକ ଅଭିଯୋଗକୁ ଭିତ୍ତି କରି ଆଜି ପାହାଳ ଥାନା ପୁଲିସ ଯୁବ ବ୍ୟବସାୟୀଙ୍କୁ ଗିରଫ କରିଛି। ସେ ହେଲେ ରସୁଲଗଡ଼ ଭେନସ୍ ଆପାର୍ଟମେଣ୍ଟରେ ରହୁଥିବା କିଷନ୍ ଅଗ୍ରୱାଲ୍(୨୪)। କିଷନ୍ଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି ଓ ଜାମିନ୍ ନାମଞ୍ଜୁର ହେବାରୁ ତାଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
କିଛି ଦିନ ତଳେ କିଷନ୍ ଚନ୍ଦ୍ରଶେଖରପୁରସ୍ଥିତ ଏକ ବାର୍ରେ ଯୁବତୀଙ୍କୁ ଭେଟିଥିଲେ। କଥାବାର୍ତ୍ତା ହେଉହେଉ ସେମାନଙ୍କ ମଧ୍ୟରେ ବନ୍ଧୁତା ଗଢ଼ି ଉଠିଥିଲା। ଥରେ ନୁହେଁ, ଏମିତି ବହୁ ଥର ସେମାନେ ଉକ୍ତ ବାର୍ରେ ଏକାଠି ହେଉଥିଲେ। ବନ୍ଧୁତା ନିବିଡ଼ ହେବା ପରେ ସେମାନେ ବାହାରରେ ବିଭିନ୍ନ ସ୍ଥାନରେ ମଧ୍ୟ ପରସ୍ପରକୁ ଭେଟୁଥିଲେ। ଯୁବତୀଙ୍କ ଅଭିଯୋଗ ଅନୁସାରେ ଗତ ୬ ତାରିଖ ରାତିରେ କିଷନ୍ ଯୁବତୀଙ୍କୁ ତାଙ୍କ ଘରକୁ ନିମନ୍ତ୍ରଣ କରିଥିଲେ। ତାଙ୍କୁ ଏକ କାର୍ ଯୋଗେ ପାହାଳ ନିକଟରେ ଥିବା ଏକ ଘରକୁ ନେଇଥିଲେ। ସେଠାରେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ କହିଥିଲେ। ହେଲେ ଯୁବତୀ ରାଜି ହୋଇନଥିଲେ। କିଷନ୍ ମଧ୍ୟ ବାଧ୍ୟ କରିନଥିଲେ। କିନ୍ତୁ ଚତୁରତାର ସହ ସେ ପାନୀୟରେ ନିଶା ଦେଇଥିଲେ। ଫଳରେ ଯୁବତୀ ନିଶାସକ୍ତ ହୋଇପଡ଼ିଥିଲେ ଓ ଏହି ମଉକାରେ କିଷନ୍ ତାଙ୍କୁ ବେଡ୍ ରୁମ୍କୁ ଟେକି ନେଇ ଜୋର୍ ଜବରଦସ୍ତ ଦୁଷ୍କର୍ମ କରିଥିଲେ। ନିଶା ଛାଡ଼ିବା ପରେ ଯୁବତୀ ଦୁଷ୍କର୍ମର ଶିକାର ହୋଇଥିବା ଜାଣିଥିଲେ ଓ ସେଠାରୁ ସିଧା ଆସି ପାହାଳ ଥାନାରେ ଅଭିଯୋଗ କରିଥିଲେ। ମାମଲା ରୁଜୁକରି ପୁଲିସ ତଦନ୍ତ ଆରମ୍ଭ କରିଥିଲା।