ମାଟି ସହ ସଂପର୍କ କେବେ ବଦଳା ଯାଇପାରିବ ନାହିଁ: ସୌମ୍ୟରଞ୍ଜନ

‘ମୋ କଟକ, ମୋ ଚିନ୍ତା’ ପକ୍ଷରୁ ଆଲୋଚନାଚକ୍ର

କଟକ: ନେତୃତ୍ବ, ସାହସ ଓ ବ୍ୟକ୍ତିତ୍ବ ସୃଷ୍ଟି କରିବାର କଳାକୌଶଳ ନେତାଜୀ ହିଁ ଜାଣିଥିଲେ। ଏହି କୌଶଳକୁ ଆପଣାଇ ସେ ଆଜାଦ୍ ହିନ୍ଦ୍‌ ଫୌଜ ଭଳି ଏକ ବିଶାଳ ସେନା ଗଢ଼ିପାରିଥିଲେ। ତାଙ୍କଠାରେ ଦେଶପ୍ରେମ ଅଦ୍ବିତୀୟ ଥିଲା ବୋଲି କହିଛନ୍ତି ‘ସମ୍ବାଦ’ର ସଂପାଦକ, ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ‘ମୋ କଟକ ମୋ ଚିନ୍ତା’ ଆନୁକୂଲ୍ୟରେ ଶତାବ୍ଦୀ ଭବନରେ ଆୟୋଜିତ ‘ନେତାଜୀଙ୍କ ମୁତ୍ୟୁ ରହସ୍ୟର ଅଧୁରା ଅଧ୍ୟାୟ’ ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ‌ ଯୋଗ ଦେଇ ଶ୍ରୀ ପଟ୍ଟନାୟକ କହିଲେ, ଜୀବନର ସବୁ କିଛି ବଦଳାଯାଇପାରେ, ହେଲେ ମାଟି ସହ ସଂପର୍କ କେବେ ବଦଳି ପାରିବ ନାହିଁ।

ନେତାଜୀ ସୁଭାଷ ବୋଷ କଟକ ମାଟିରେ ଜନ୍ମ ଗ୍ରହଣ କରିଥ‌ିଲେ, ଏ କଥାକୁ କେହି ଅସ୍ବୀକାର କରିପାରିବେ ନାହିଁ କିମ୍ବା ପରିବର୍ତ୍ତନ କରିପାରିବେ ନାହିଁ। ଆଜିର ଯୁବପିଢ଼ି ନେତାଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଶ୍ରୀ ପଟ୍ଟନାୟକ ଯୁବବର୍ଗଙ୍କୁ ଆହ୍ବାନ ଦେଇଥିଲେ।

ଆଲୋଚନାଚକ୍ରକୁ ଉଦ୍‌ଘାଟନ କରି ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ଦେବାଶି‌ଷ ସାମନ୍ତରାୟ କହିଥିଲେ ଯେ କଟକ ମାଟିରୁ ନେତାଜୀ ନେତୃତ୍ବ ନେବାର ଗୁଣ ଶିକ୍ଷା କରିଥିଲେ। ‘ମୋ କଟକ ମୋ ଚିନ୍ତା ଅନୁଷ୍ଠାନର ପ୍ରତିଷ୍ଠାତା ବିଶ୍ବଜିତ ମହାନ୍ତିଙ୍କ ଆହ୍ବାନରେ ଆୟୋଜିତ କାର୍ଯ୍ୟକ୍ରମରେ ଆବାହକ ବିଶିଷ୍ଟ ସମାଜସେବୀ ଜଗନ୍ନାଥ ସାହୁ ଆଲୋଚନାଚକ୍ରର ଆଭିମୁଖ୍ୟ ବିଷୟରେ କହିଥିଲେ। ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଗବେଷକ ତଥା ଲେଖକ ଅନୁଜ ଧର ନେତାଜୀଙ୍କ ମୃତ୍ୟୁ ରହସ୍ୟର ବିଭିନ୍ନ ଦିଗ ଉପରେ ଆଲୋକାପାତ କରିଥିଲେ।

ନେତାଜୀ ସୁଭାଷ ବୋଷଙ୍କ ମୃତ୍ୟୁ ତାଇୱାନ ବିମାନ ଦୁର୍ଘଟଣାରେ ହୋଇଛି ନା ରୁଷିଆରେ ତାଙ୍କୁ ହତ୍ୟା କରାଯାଇଛି ନା ୧୯୮୫ରେ ଗୁମ୍‌ନାନୀ ବାବା ଭାବେ ତାଙ୍କ ମୃତ୍ୟୁ ହୋଇଛି; ତାହା ଏବେ ରହସ୍ୟଘେରରେ ବୋଲି ଶ୍ରୀଧର କହିଥିଲେ। ନେତାଜୀଙ୍କ ଉଭାନ୍‌ ବିଷୟରେ ଅନେକ କମିସନ୍‌ ବସି ରିପୋର୍ଟ ଦେଇଥିଲେ ମଧ୍ୟ ରହସ୍ୟକୁ ଉନ୍ମୋଚନ କରିବାରେ କେନ୍ଦ୍ର ସରକାରଙ୍କ ଆଦୌ ଆନ୍ତରିକତା ନାହିଁ ବୋଲି ଶ୍ରୀ ଧର କହିଥିଲେ। ଏଥିପାଇଁ ଦେଶବାସୀ ଏକାଠି ହେବାକୁ ଶ୍ରୀ ଧର ଆହ୍ବାନ ‌ଦେଇଥିଲେ। ସମ୍ମାନିତ ଅତିଥି ମେୟର ସୁବାସ ଚନ୍ଦ୍ର ସିଂହ ଓ ନଗର ବିଜେଡି ସଭାପତି ମଧୁସୂଦନ ସାହୁ ନେତାଜୀଙ୍କ ପାଇଁ କଟକବାସୀ ଗର୍ବିତ ବୋଲି କହିଥିଲେ। ଏହି ଅବସରରେ ସମାଜସେବା ପାଇଁ ବିଭିନ୍ନ ବ୍ୟକ୍ତିବି‌ଶେଷ ଓ ସାମାଜିକ ଅନୁଷ୍ଠାନମାନଙ୍କୁ ସମ୍ମାନିତ କରାଯାଇଥିଲା। ସମାଜସେବୀ ୱାଲିଦ୍ ପଟେଲ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର