ଡିଏଭି ସ୍କୁଲ ଅଭିଭାବକଙ୍କୁ ଆଶ୍ୱସ୍ତି: ଫି’ ବୃଦ୍ଧି ଉପରେ ରୋକ୍‌

ଭୁବନେଶ୍ୱର: ଦୀର୍ଘଦିନର ଅଭିଯୋଗ ଓ ଦାବି ପରେ ଚନ୍ଦ୍ରଶେଖରପୁର (ୟୁନିଟ-୯) ଡିଏଭି ସ୍କୁଲ ଅଭିଭାବକଙ୍କୁ ଆଶ୍ୱସ୍ତି ମିଳିଛି। ଡିଏଭି ସ୍କୁଲ କର୍ତ୍ତୃପକ୍ଷଙ୍କର ମନଇଚ୍ଛା ଫି’ ବୃଦ୍ଧି ଉପରେ ରୋକ ଲାଗିଛି। ଭୁବନେଶ୍ୱର ସିଭିଲ ଜଜ୍‌ (ସିନିୟର ଡିଭିଜନ୍‌) ଆଜି ଅଭିଭାବକଙ୍କ ପକ୍ଷରୁ ଆଗତ ଏକ ମାମଲାର ବିଚାର କରି ଏହି ବୃଦ୍ଧି ଉପରେ ରୋକ ଲଗାଇଛନ୍ତି। ପରବର୍ତୀ ଆଦେଶ ପର୍ଯ୍ୟନ୍ତ ଦରବୃଦ୍ଧି ଉପରେ ସ୍ଥିତାବସ୍ଥା ଜାରି କରିଛନ୍ତି। ଚନ୍ଦ୍ରଶେଖରପୁର ଡିଏଭି ପବ୍ଲିକ୍‌ ସ୍କୁଲର ଚିଠି ନମ୍ବର ୬୨୬/୨୦୧୮ କାର୍ଯ୍ୟକାରିତା ଉପରେ ଏହି ରହିତାଦେଶ ହୋଇଛି। ଫଳରେ କର୍ତ୍ତୃପକ୍ଷ ଆଉ ବର୍ଦ୍ଧିତ ଦେୟ ନେଇପାରିବେ ନାହିଁ। ତା’ସହ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ଏପ୍ରିଲ ୩ ତାରିଖକୁ ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ ହୋଇଛି। ଏହି ତାରିଖ ପୂର୍ବରୁ ସ୍କୁଲ କର୍ତ୍ତୃପକ୍ଷ ଏହି ବର୍ଦ୍ଧିତ ଦେୟର ଉଚିତ୍‌ କାରଣ ଦେଖାଇବାକୁ ଆଦେଶ ହୋଇଛି। ଏ ନେଇ ଆବେଦନକାରୀ ତଥା ଡିଏଭିଆନ୍‌ ପ୍ୟାରେଣ୍ଟସ୍‌ ଆସୋସିଏସନ ସଭାପତି ଡ. ଗଗନ ବିହାରୀ ରାଉତ କହିଛନ୍ତି, ଡିଏଭି ସ୍କୁଲ କର୍ତ୍ତୃପକ୍ଷ ପିଟିସିସି ଗଠନ କରି ପ୍ରତିବର୍ଷ ଚକ୍ରବୃଦ୍ଧି ହାରରେ ଦେୟ ଆଦାୟ କରୁଥିଲେ। ଏହି ପିଟିସିସି (ପ୍ୟାରେଣ୍ଟ-ଟିଚର କୋ-ଅର୍ଡିନେସନ କମିଟି) କୁ ବେଆଇନ ଦର୍ଶାଇ ଆମେ ଅନେକ ଥର ଅଭିଯୋଗ କରିଛୁ। ସ୍କୁଲ ପକ୍ଷରୁ ଏହି ପିଟିସିସି ଗଠନ ହେଉଛି। କର୍ତ୍ତୃପକ୍ଷଙ୍କୁ ସୁହାଇବା ଭଳି ଏହି ପିଟିସିସି ତିଆରି ହେଉଛି। ଗତ ୧୯୯୨ ମସିହାରେ ସୁପ୍ରିମକୋର୍ଟ ଏହି ଦେୟବୃଦ୍ଧିକୁ ନେଇ ଏକ କମିସନ ବସାଇଥିଲେ। କମିସନ ଯେଉଁ ସୁପାରିସ କରିଥିଲେ, ସେଗୁଡ଼ିକୁ କର୍ତ୍ତୃପକ୍ଷ ପାଳନ କରୁନାହାନ୍ତି। ଯେବେ ବି ଦେୟ ବୃଦ୍ଧି କଥା ଉଠିବ ବା ବିଚାରକୁ ନିଆଯିବ ସେତେବେଳେ ଅଭିଭାବକଙ୍କ ପରାମର୍ଶ ନିତ୍ୟାନ୍ତ ଜରୁରୀ। ହେଲେ ଏହି ପିଟିସିସି ଜରିଆରେ କର୍ତ୍ତୃପକ୍ଷ ବେଆଇନ ଭାବେ ଦେୟ ବଢ଼ାଇ ଚାଲିଛନ୍ତି। ଏଣୁ ଆମେ ବାଧ୍ୟ ହୋଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ସେ କହିଛନ୍ତି। ଅଭିଭାବକଙ୍କ ପକ୍ଷରୁ ଆଇନଜୀବୀ ରାକେଶ ସାମନ୍ତରାୟ ମାମଲା ପରିଚାଳନା କରିଛନ୍ତି।

ସମ୍ବନ୍ଧିତ ଖବର