ପରଦାକୁ ଆସିଲା ପଦ୍ମାବତ୍‌ ଅଯଥାରେ ବିବାଦ

ହଲ୍‌ ଖାଁ ଖାଁ, ଚଳଚ୍ଚିତ୍ରକୁ ନେଇ ଦ୍ୱନ୍ଦ୍ୱରେ ଦର୍ଶକ

ଭୁବନେଶ୍ୱର: ବହୁ ବାଦ ବିବାଦ ପରେ ଶେଷରେ ବଡ଼ ପରଦାକୁ ଆସିଛି ‘ପଦ୍ମାବତ୍‌’। ଦେଶବ୍ୟାପୀ ଏହି ଚଳଚ୍ଚିତ୍ରକୁ ନେଇ ହିଂସା ଦେଖା ଦେଇଥିବା ବେଳେ ଓଡ଼ିଶା ସମେତ ରାଜଧାନୀରେ ଏହାର କୌଣସି ପ୍ରଭାବ ଦେଖିବାକୁ ମିଳିନାହିଁ। ଅନ୍ୟ ଚଳଚ୍ଚିତ୍ର ଭଳି ରାଜଧାନୀର ୭ଟି ହଲ୍‌ରେ ପଦ୍ମାବତ୍‌ ମୁକ୍ତିଲାଭ କରିଥିଲେ ହେଁ ପୂର୍ବରୁ ରହିଥିବା ବିବାଦକୁ ନେଇ ଦର୍ଶକ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଆଜି ପଦ୍ମାବତ୍‌ ମୁକ୍ତିଲାଭ କରିଛି କି ନାହିଁ ତାହା ଅନେକ ଜାଣି ପାରି ନ ଥିଲେ। ତଥାପି କିଛି ହଲ୍‌ରେ ଲୋକଙ୍କ ସାମାନ୍ୟ ଗହଳି ଦେଖିବାକୁ ମିଳିଥିଲା। ମାତ୍ର ଅଧିକାଂଶ ହଲ୍‌ରେ ସିଟ୍‌ ଖାଲି ପଡ଼ିଥିଲା। ତେବେ ଚଳଚ୍ଚିତ୍ରକୁ ଦେଇଥିବା ଦର୍ଶକ ଏହାକୁ ବେଶ୍‌ ପସନ୍ଦ କରିଛନ୍ତି। ଯେଉଁଥି ପାଇଁ ପଦ୍ମାବତ୍‌କୁ ନେଇ ବିବାଦ ଜାରି ରହିଛି ଚଳଚ୍ଚିତ୍ରରେ ଏଭଳି କୌଣସି ଦୃଶ୍ୟ ନାହିଁ ବୋଲି ଅନେକ ଦର୍ଶକ ମତ ଦେଇଛନ୍ତି। ରାଜନୈତିକ କାରଣ ଯୋଗୁଁ ଚଳଚ୍ଚିତ୍ରକୁ ନେଇ ଅଯଥା ବିବାଦ କରାଯାଉଛି। ପରିବାର ସହିତ ଏକାଧିକ ବାର ଏହାକୁ ଦେଖି ହେବ ବୋଲି ଦର୍ଶକ ମତ ଦେଇଛନ୍ତି। ଅପରପକ୍ଷରେ ହଲ୍‌ ମାଲିକମାନେ ମଧ୍ୟ ପଦ୍ମାବତ୍‌କୁ ନେଇ ବହୁତ ଆଶା ରଖିଛନ୍ତି। ପ୍ରଥମ ଦିନରେ ଯଦିଓ ଦର୍ଶକଙ୍କ ଗହଳି ଦେଖିବାକୁ ମିଳିନାହିଁ, ତଥାପି ସାଧାରଣତନ୍ତ୍ର ଦିବସ ଓ ପରବର୍ତୀ ଦିନଗୁଡ଼ିକରେ ଦର୍ଶକଙ୍କ ଭିଡ଼ ଜମିବ ବୋଲି ସେମାନେ ଆଶା ରଖିଛନ୍ତି।

ସିଟ୍‌ ଖାଲି ପଡ଼ିଛି
ଯେତେ ପରିମାଣରେ ଟିକେଟ୍‌ ବୁକ୍‌ ହେବା କଥା ସେତିକି ହୋଇନାହିଁ। ପ୍ରାୟ ସିଟ୍‌ ଖାଲି ପଡ଼ିଛି। ଆଗକୁ କ’ଣ ହେବ ଜଣାନାହିଁ। ଭାବୁଛୁ ଧୀରେ ଧୀରେ ଲୋକଙ୍କ ଗହଳି ଲାଗିପାରେ। ଅନେକ ଲୋକ ଜାଣିନାହାନ୍ତି ପଦ୍ମାବତ୍‌ ରିଲିଜ ହେଉଛି କି ନାହିଁ। ସେଥିପାଇଁ ପ୍ରଥମ ଦିନରେ ବହୁତ କମ୍‌ ଲୋକ ହୋଇଛନ୍ତି।ଜ୍ୟୋତି ରଞ୍ଜନ ମହାନ୍ତି କେଶରୀ ମଲ୍‌ ମ୍ୟାନେଜର ଆଗକୁ ଦର୍ଶକଙ୍କ ଭିଡ଼ ବଢ଼ିବ ଆମର ସବୁ ସୋ ହାଉସ୍‌ ଫୁଲ୍‌ ହୋଇଛି।ଆଗକୁ ଅନେକ ଲୋକ ଏହି ଚଳଚ୍ଚିତ୍ର ଦେଖିବାକୁ ଆସିବେ ବୋଲି ମୁଁ ଆଶା କରୁଛି।

ସମ୍ମାନହାନି ଭଳି କୌଣସି ଦୃଶ୍ୟ ନାହିଁ
ଚଳଚ୍ଚିତ୍ରରେ ସଂପୂର୍ଣ୍ଣ ଭାବେ ରାଜପୁତ ନାରୀଙ୍କ ଆତ୍ମସମ୍ମାନକୁ ଗୁରୁତ୍ୱ ଦିଆଯାଇଛି। ନିଜର ସମ୍ମାନ ପାଇଁ ସେମାନେ ସବୁ କିଛି ବଳି ଦେଇପାରୁଥିଲେ। ରାଜପୁତମାନଙ୍କ ସମ୍ମାନହାନି ହେଲା ଭଳି କୌଣସି ଦୃଶ୍ୟ ନାହିଁ ବରଂ ସେମାନଙ୍କ ସଂଘର୍ଷମୟ ଜୀବନକୁ ସୁନ୍ଦର ପ୍ରତିପାଦିତ କରାଯାଇଛି। ମତେ ଏହି ଚଳଚ୍ଚିତ୍ରଟି ଖୁବ୍‌ ଭଲ ଲାଗିଲା।
ମିନତି ମିଶ୍ର, ଦର୍ଶକ
ରାଜନୈତିକ ହସ୍ତକ୍ଷେପ ହିଁ ବିବାଦର କାରଣ
ସୁପ୍ରିମ କୋର୍ଟ ଘୋଷଣା କରିବା ପରେ ଅନେକ ସ୍ଥାନରେ ଚଳଚ୍ଚିତ୍ରଟି ବ୍ୟାନ୍‌ ହେବା ଏକ ଦୁଃଖଦ କଥା। ଚଳଚ୍ଚିତ୍ରରେ ରାଜନୈତିକ ହସ୍ତକ୍ଷେପ ଏହି ବିବାଦର ମୁଖ୍ୟ କାରଣ। ଇତିହାସ ସବୁବେଳେ କାଳ୍ପନିକ ହୋଇଥାଏ, ସେଥିପାଇଁ ଏହାକୁ ବିରୋଧ କରିବାର ଯଥାର୍ଥତା ନାହିଁ।
ଲିପ୍‌ସା ଆଚାର୍ଯ୍ୟ, ଦର୍ଶକ
ନାଁ ପରିବର୍ତନର କୌଣସି ଆବଶ୍ୟକତା ନ ଥିଲା
ଚଳଚ୍ଚିତ୍ରଟି ବହୁତ ଭଲ ହୋଇଛି। ଏହା ଏକ ପାରିବାରିକ ଚଳଚ୍ଚିତ୍ର ହୋଇଥିବାରୁ ସମସ୍ତେ ଏହାକୁ ଦେଖିବା ଦରକାର। ଚଳଚ୍ଚିତ୍ରଟିର ନାମ ପଦ୍ମାବତୀରୁ ପରିବର୍ତ୍ତନ ହୋଇ ପଦ୍ମାବତ୍‌ ହେବାର କୌଣସି ଆବଶ୍ୟକତା ନ ଥିଲା।
ରାଜେଶ, ଦର୍ଶକ
ଛୋଟରୁ ବଡ଼ ସମସ୍ତେ ଦେଖିବା ଦରକାର
ଏଥିରେ ଏମିତି କିଛି ଦୃଶ୍ୟନାହିଁ ଯାହା ରାଣୀ ପଦ୍ମାବତୀଙ୍କ ସମ୍ମାନକୁ ହାନି ପହଞ୍ଚାଇବ। ଏଥିରେ ରାଜପୁତଙ୍କ ବୁଦ୍ଧିମତ୍ତା ଓ ଅସ୍ତ୍ରବିଦ୍ୟାକୁ ଗୁରୁତ୍ୱ ଦିଆଯାଇଛି। ଛୋଟଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଏହାକୁ ଦେଖିବା ଦରକାର।
ସ୍ୱାତ୍ତିକ ଚନ୍ଦ୍ର, ଦର୍ଶକ
ଚଳଚ୍ଚିତ୍ରଟି ବହୁତ ଭଲ
ଚଳଚ୍ଚିତ୍ରରେ ରାଜପୁତଙ୍କ ଚଳଣି ଓ ସଂସ୍କୃତିକୁ ଲୋକଲୋଚନକୁ ଅଣାଯାଇଛି। ସେହି ସମୟରେ ନାରୀମାନଙ୍କ ଶକ୍ତି ଓ ସାହସିକତା ସଂପୂର୍ଣ୍ଣ ଚଳଚ୍ଚିତ୍ରର କେନ୍ଦ୍ରବିନ୍ଦୁ ପାଲଟିଛି। ଚଳଚ୍ଚିତ୍ରଟି ବହୁତ ଭଲ ହୋଇଛି। ଏହାକୁ ଏକାଧିକ ଥର ଦେଖିବା ପାଇଁ ଇଚ୍ଛା ହେଉଛି।
ବରଦା ପ୍ରସାଦ, ଦର୍ଶକ
କୌଣସି ବିବାଦୀୟ ଦୃଶ୍ୟ ନାହିଁ
ଚଳଚ୍ଚିତ୍ରର ଆରମ୍ଭରୁ ଶେଷ ଯାଏ ମତେ ବହୁତ ଭଲ ଲାଗିଲା। ପୂର୍ବରୁ ଶୁଣାଯାଉଥିବା ପ୍ରଣୟ ଭିତ୍ତିକ ଦୃଶ୍ୟ ବିଷୟରେ। ମାତ୍ର ସେମିତି କିଛି ଏଥିରେ ଦେଖିବାକୁ ମିଳିନାହିଁ।
ଶ୍ୱେତାମ୍ବରୀ ଦାସ, ଦର୍ଶକ

ସମ୍ବନ୍ଧିତ ଖବର