ଭୁବନେଶ୍ବର: କଥାରେ ଅଛି, ଚୋର ଘର ସବୁଦିନ ଅନ୍ଧାର ନଥାଏ। ଚୋର ଯେତେ ଚତୁର ବା ଧୂର୍ତ୍ତ ହେଲେ ବି ଦିନେ ଦିନେ ଧରାପଡ଼େ। ଠିକ୍ ସେମିତି ହିଁ ହେଲା। ବିଶ୍ବାସରେ ବିଷ ଦେଇ ଅନେକ ଥର ଲୁଟିବା ପରେ ଧରାପଡ଼ିଗଲେ ନୂଆପଲ୍ଲୀସ୍ଥିତ ରିଲାଏନ୍ସ ସ୍ମାର୍ଟର ୨ କର୍ମଚାରୀ। ସେମାନେ ହେଲେ ଢେଙ୍କାନାଳ ଅଞ୍ଚଳର ଆନନ୍ଦ ବିଶ୍ବାଳ ଓ ସାଲିଆସାହି ମହାବୀରନଗର ଅଞ୍ଚଳର ଲିପନ କୁମାର ପରିଡ଼ା। ଆନନ୍ଦ ବିଲ୍ଡିଂ ସୁପର୍ଭାଇଜର୍ ଭାବେ କାମ କରୁଥିବା ବେଳେ ଲିପନ ଇଲେକ୍ଟ୍ରିସିଆନ୍ ଭାବେ କାମ କରେ। ରବିବାର ବିଳମ୍ବିତ ରାତିରେ ଅଭିଯୁକ୍ତ ଦ୍ବୟ ରିଲାଏନ୍ସ ସ୍ମାର୍ଟ ଭିତରେ ପଶି ଲୁଟ୍ କରୁଥିବା ବେଳେ ଷ୍ଟୋର୍ କର୍ତ୍ତୃପକ୍ଷ ନୂଆପଲ୍ଲୀ ଥାନା ପୁଲିସ ସହଯୋଗରେ ସେମାନଙ୍କୁ କାବୁ କରିଛନ୍ତି। ପୁଲିସ ସେମାନଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଚଳାଇଛି। ଏହି ମାମଲାରେ ସେମାନଙ୍କୁ ସହଯୋଗ କରୁଥିବା ଅଟୋଚାଳକକୁ ପୁଲିସ ଖୋଜୁଥିବା ସୂଚନା ମିଳିଛି। ସେହିଭଳି ସେମାନଙ୍କଠାରୁ ଲୁଟ୍ ମାଲ୍ କିଣୁଥିବା ଦୋକାନୀ ବା ବ୍ୟବସାୟୀମାନଙ୍କ ବାବଦରେ ପୁଲିସ ଖୋଳତାଡ୍ କରୁଛି।
କେମିତି ଧରାପଡ଼ିଲେ: ଗତକାଲି ବିଳମ୍ବିତ ରାତିରେ ଉକ୍ତ ଷ୍ଟୋର୍ରେ କେହି ପଶିଥିବା ଖବର ମୁମ୍ବାଇ ମୁଖ୍ୟ କାର୍ଯ୍ୟାଳୟ କର୍ମଚାରୀମାନେ ଜାଣିବାକୁ ପାଇଥିଲେ। ମୁମ୍ବାଇ ମୁଖ୍ୟାଳୟ କର୍ମଚାରୀମାନେ ସିସିଟିଭି ଫୁଟେଜ୍ରୁ ଏହା ଜାଣିବା ପରେ ସେମାନେ ତୁରନ୍ତ ଭୁବନେଶ୍ବର ଷ୍ଟୋର୍ର ସୁପରଭାଇଜର୍ଙ୍କୁ ଫୋନ୍ କରିଥିଲେ। ତୁରନ୍ତ ଭୁବନେଶ୍ବର ସୁପରଭାଇଜର୍ ଷ୍ଟୋର ମ୍ୟାନେଜରଙ୍କୁ ଜଣାଇବା ସହ ନୂଆପଲ୍ଲୀ ଥାନାକୁ ଜଣାଇଥିଲେ। ଖବର ପାଇବା ମାତ୍ରେ ପୁଲିସ ଷ୍ଟୋର୍ ନିକଟରେ ପହଞ୍ଚି ଚାରିପଟୁ ଘେରି ଯାଇଥିଲା। କିଛି ସମୟ ଭିତରେ ଉକ୍ତ ଷ୍ଟୋର୍ର ଅନ୍ୟ କର୍ମଚାରୀମାନେ ବି ସେଠାରେ ପହଞ୍ଚି ଯାଇଥିଲେ। ସେମାନେ ପାୱାର କଣ୍ଟ୍ରୋଲ ରୁମ୍କୁ ଯାଇ ଲିଫ୍ଟକୁ ତଳ ଉପର କରିଥିଲେ। ହଠାତ୍ ଲିଫ୍ଟ ମନକୁ ମନ ତଳ ଉପର ହେବା ଦେଖି ଅଭିଯୁକ୍ତଦ୍ବୟ ଘଟଣା କ’ଣ ଜାଣିବା ପାଇଁ ଲିଫ୍ଟରେ ଚଢ଼ିଥିଲେ। ସେମାନେ ଲିଫ୍ଟ ଯୋଗେ ଗ୍ରାଉଣ୍ଡ ଫ୍ଲୋରକୁ ଆସିବା ମାତ୍ରେ ଛକି ରହିଥିବା ପୁଲିସ ସେମାନଙ୍କୁ କାବୁ କରିଥିଲା।
ଲୁଟ୍ ତରିକା: ଲିପନ ଇଲେକ୍ଟ୍ରିସିଆନ୍ ହୋଇଥିବାରୁ ଲିଫ୍ଟ ଅପରେସନ୍ ଜାଣିଥିଲା। ଏମିତିକି ଷ୍ଟୋର ବନ୍ଦ ଥିବା ବେଳେ ବି କିଭଳି ଲିଫ୍ଟ ଚାଲିବ, ସେବିଷୟରେ ତାକୁ ଭଲ ଭାବେ ଜଣାଥିଲା। ଆନନ୍ଦ ସୁପର୍ଭାଇଜର୍ ଥିବାରୁ ଭିତର ରାସ୍ତା ବାବଦରେ ସବୁ ଜାଣିଥିଲା। ତେଣୁ ଦୁଇଜଣଯାକ ମିଶି ଲୁଟ୍ର ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରିଥିଲେ। ଷ୍ଟୋର୍ ବନ୍ଦ ହେବା ପରେ ସେମାନେ ଲିଫ୍ଟ ଦେଇ ଭିତରକୁ ପଶନ୍ତି ଓ ବାଛି ବାଛି ଦାମୀ ଜିନିଷପତ୍ର ବାହାରକୁ ଆଣନ୍ତି। ପୂର୍ବରୁ ସେମାନେ ଏମିତି ବହୁ ଥର ଲୁଟ୍ କରିଥିଲେ। ପ୍ରତି ଥର ସେମାନେ ୩୦/୪୦ ହଜାର ଟଙ୍କାର ଜିନିଷ ବାହାରକୁ ଆଣିବା ପରେ ଏକ ଅଟୋ ଯୋଗେ ନେଇପଳାନ୍ତି। ବହୁଦିନ ହେଲା ସେମାନେ ଷ୍ଟୋର୍ରୁ ଲକ୍ଷ ଲକ୍ଷ ଟଙ୍କାର ତେଜରାତି ସାମଗ୍ରୀ ଲୁଟି ଚାଲିଥିଲେ। ସେମାନେ ଲୁଟ୍ ମାଲସବୁକୁ କିଛି ବ୍ୟବସାୟୀଙ୍କୁ ବିକି ଦେଉଥିଲେ। ତଥାପି କେହି ସେମାନଙ୍କ ଟେର୍ ପାଇନଥିଲେ। କିନ୍ତୁ ରବିବାର ରାତିରେ ଭାଗ୍ୟ ସେମାନଙ୍କୁ ସହଯୋଗ କଲା ନାହିଁ।