ଏବେ ଖୋଲିବନି ରାଜଧାନୀର ଧର୍ମାନୁଷ୍ଠାନ!

ଭୁବନେଶ୍ୱର : ରାଜ୍ୟରେ ଧର୍ମାନୁଷ୍ଠାନ ଖୋଲିବାକୁ ରାଜ୍ୟ ସରକାର ସବୁଜ ସଂକେତ ଦେଇଛନ୍ତି। କିନ୍ତୁ ସର୍ତ୍ତ ରଖିଛନ୍ତି ଯେ, କେଉଁ ସହରାଞ୍ଚଳରେ କେଉଁ ମନ୍ଦିର ଖୋଲିବ କି ନଖୋଲିବ ସେ ନିଷ୍ପତ୍ତି ସ୍ଥାନୀୟ ପୌରସଂସ୍ଥା ନେବ। ତେଣୁ ଭୁବନେଶ୍ବରରେ କେଉଁ ମନ୍ଦିର, ମସଜିଦ୍‌, ଚର୍ଚ୍ଚ, ଗୁରୁଦ୍ବାରା କେବେ ଖୋଲିବ, କେତେ ଲୋକ ଆସିପାରିବେ, କିପରି ଦର୍ଶନ ବ୍ୟବସ୍ଥା ରହିବ ସେନେଇ ବିଏମ୍‌ସିକୁ ନିଷ୍ପତ୍ତି ନେବାକୁ କୁହାଯାଇଛି। ହେଲେ ରାଜଧାନୀରେ ଏବେ ଯେଉଁ ସ୍ଥିତି ଅଛି ସେଥିରେ ବିଏମ୍‌ସି କୌଣସି ଧର୍ମାନୁଷ୍ଠାନ ଖୋଲିବାକୁ ଅନୁମତି ଦେବା ମୁଡ୍‌ରେ ଥିବା ଭଳି ଲାଗୁନି। ଏପରିକି ଭୁବନେଶ୍ବରରେ ଦୈନିକ ଚିହ୍ନଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏକ ଅଙ୍କକୁ ଖସିବା ପୂର୍ବରୁ ବିଏମ୍‌ସି କୌଣସି ରିସ୍କ ନେବାକୁ ଚାହୁଁନି।

ବହୁ ପରିଶ୍ରମ ପରେ ରାଜଧାନୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏବେ ଶହେ ତଳକୁ ଖସିଛି। ଗତ ୬ଦିନ ଭିତରେ ଦିନେ ଶହେରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ବାକି ୫ଦିନ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ପାଖାପାଖି ରହିଛି। ରାଜଧାନୀ‌େର ଏବେ ଥଣ୍ଡା ପଡ଼ିବା ଆରମ୍ଭ ହୋଇଗଲାଣି, ପାଗ ବଦଳୁଥିବାରୁ ଏହି ସମୟରେ ବହୁ ଲୋକଙ୍କୁ ଥଣ୍ଡା ଜ୍ବର ହୋଇଥାଏ। ଏପଟେ କାର୍ତ୍ତିକ ମାସ ଆରମ୍ଭ ହୋଇଯାଇଥିବାରୁ ମନ୍ଦିରଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବ। ତେଣୁ ସ୍ଥିତି ଅଣାୟତ୍ତ ହେବା ପୂର୍ବରୁ ବିଏମ୍‌ସି ସ୍ଥିତି ନିୟନ୍ତ୍ରଣରେ ରଖିବାକୁ ଚାହୁଁଛି ବୋଲି ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି ଯେ, ଦୀର୍ଘ ୬ମାସ ପରେ ରାଜଧାନୀରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା କମୁଛି। କିନ୍ତୁ ଦିନକୁ ପ୍ରାୟ ୧୦୦ ଜଣ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏହା ଏକ କମ୍‌ ସଂଖ୍ୟା ନୁହେଁ। ଯଦି ଆମେ ସବୁ କଟକଣା ଉଠାଇଦେବୁ ତେବେ କେତେବେଳେ ସ୍ଥିତି ଅଣାୟତ୍ତ ହୋଇଯିବ। ୬ମାସ କାଳ ଯେଉଁ ପରିଶ୍ରମ କରି ସ୍ଥିତି ସ୍ବାଭାବିକ କରାଯାଇଛି ତାହା ବେକାର ହୋଇଯିବ।

ହେଲେ ଲୋକଙ୍କ ଭାବାବେଗ ଓ ଧର୍ମାନୁଷ୍ଠାନଗୁଡ଼ିକର ସ୍ଥିତିକୁ ଦେଖି କିଛି ନିଷ୍ପତ୍ତି ଖୁବ୍‌ ଶୀଘ୍ର ନେବୁ। ଏଥିପାଇଁ ଆମେ ଗଣମାଧ୍ୟମର ମତାମତ, ଧର୍ମାନୁଷ୍ଠାନଗୁଡ଼ିକର ପୂଜକ, ସେବାୟତ, କର୍ମକର୍ତ୍ତାମାନଙ୍କ ସହ ଆଲୋଚନା କରିବୁ। ତା’ପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବୁ। ସେହିପରି ସ୍କୁଲ, କଲେଜ ଖୋଲିବା ନେଇ କମିସନର କହିଛନ୍ତି ଯେ, ଶିକ୍ଷାନୁଷ୍ଠାନ ଖୋଲିବା ନେଇ ଖୁବ୍‌ ଶୀଘ୍ର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏସ୍‌ଓପି ଜାରି କରିବ। ଏହାପରେ ଆମେ କ’ଣ ପଦକ୍ଷେପ ନେବୁ, କିପରି ସ୍କୁଲ, କଲେଜ ଖୋଲି ହେବ ସେନେଇ ପଦକ୍ଷେପ ନେବୁ। ଏବେ ଯେଉଁ ଶିକ୍ଷାନୁଷ୍ଠାନ ବା ଅନୁଷ୍ଠାନ ଚାହିଁବେ ସେମାନଙ୍କ କର୍ମଚାରୀଙ୍କର କରୋନା ପରୀକ୍ଷା କରାଇପାରିବେ। ଏଥିପାଇଁ ବିଏମ୍‌ସି ପକ୍ଷରୁ ସବୁ ପ୍ରକାରର ସହଯୋଗ ଯୋଗାଇ ଦିଆଯିବ।

ସମ୍ବନ୍ଧିତ ଖବର