୧୨ରୁ ଖୋଲିବ ଧର୍ମାନୁଷ୍ଠାନ: ଗର୍ଭବତୀ, ଅସୁସ୍ଥ ଏବଂ ବରିଷ୍ଠ ନାଗରିକଙ୍କୁ ବାରଣ

ପ୍ରବେଶ ପାଇଁ ଟିକା ସାର୍ଟିଫିକେଟ୍‌ ଓ ପରିଚୟପତ୍ର ବାଧ୍ୟତାମୂଳକ, ଭୋଗରାଗ ହେବନି, ସାହାଣମେଲା ଦର୍ଶନ ବି ବନ୍ଦ

ଭୁବନେଶ୍ବର: ଆସନ୍ତା ୧୨ ତାରିଖରୁ ରାଜଧାନୀ ସମସ୍ତ ମଠ, ମନ୍ଦିର, ମସ୍‌ଜିଦ୍‌, ଚର୍ଚ୍ଚ ଆଦି ଧର୍ମାନୁଷ୍ଠାନ କୋଭିଡ୍‌ କଟକଣା ମଧ୍ୟରେ ଖୋଲିବ। କେବଳ ଦୁଇ ଡୋଜ୍‌ ଟିକା ନେଇଥିବା ପୁରୋହିତ, ସେବାୟତମାନେ ହିଁ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିବେ। ରାଜଧାନୀରେ କୋଭିଡ୍‌ ସଂକ୍ରମଣ ଦ୍ରୁତଗତିରେ ହ୍ରାସ ପାଉଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ବି ବଢ଼ୁଛି। ଖୁବ୍‌ କମ୍‌ ଆକ୍ରାନ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ୁଛି। କୋଭିଡ୍‌ ପରିସ୍ଥିତିରେ ସୁଧାର ଆସୁଥିବାରୁ ସମସ୍ତ ଦିଗକୁ ବିଚାର କରି ଆଜି ଏଭଳି ନିଷ୍ପତ୍ତି ନିଆଯାଇଛି। ଏନେଇ ଆଜି ବିଏମ୍‌ସି ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରାଯାଇଛି। ଧର୍ମାନୁଷ୍ଠାନ ଖୋଲିବାକୁ ସବୁଜ ସଂକେତ ମିଳିବା ପରେ ରାଜଧାନୀବାସୀ ତଥା ଶ୍ରଦ୍ଧାଳୁଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି।

ବିଏମ୍‌ସି ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଦ୍ବିତୀୟ ଡୋଜ୍‌ ଟିକା ନେଇଥିବା ବ୍ୟକ୍ତିମାନେ ହିଁ ଧାର୍ମିକ ଅନୁଷ୍ଠାନକୁ ଭିତରକୁ ଯାଇପାରି‌ବେ। ପ୍ରବେଶ ପୂର୍ବରୁ କର୍ତ୍ତୃପକ୍ଷଙ୍କୁ ଟିକାକରଣ ସାର୍ଟିଫିକେଟ୍‌ର ହାର୍ଡ-କପି କିମ୍ବା ମୋବାଇଲ୍‌ରେ ସଫ୍ଟ କପି ଦେଖାଇବେ। ପରିଚୟପତ୍ରକୁ ବି ବାଧ୍ୟତାମୂଳକ କରାଯାଇଛି। ଏଥିପାଇଁ ଆଧାରକାର୍ଡ, ଭୋଟ୍‌ ପରିଚୟପତ୍ର କିମ୍ବା ଫଟୋ ଥିବା କୌଣସି ପରିଚୟପତ୍ର ଦେଖାଇ ପାରିବେ। ସେହିପରି ୧୫ବର୍ଷରୁ କମ୍ ବୟସ ପିଲାଙ୍କୁ ଆଧାର କାର୍ଡ ଭଳି ପରିଚୟର ସଠିକ୍ ପ୍ରମାଣ ସହ ସେମାନଙ୍କ ଅବିଭାବକ କିମ୍ବା ସମ୍ପର୍କୀୟଙ୍କ ତତ୍ତ୍ବାବଧାନରେ ଅନୁମତି ଦିଆଯିବ। ମନ୍ଦିର ଗର୍ଭଗୃହ ଭିତ‌ରେ ପ୍ରବେଶକୁ ବାରଣ କରାଯାଇଛି, ସାହାଣମେଲା ଦର୍ଶନ ହୋଇପାରିବ ନାହିଁ। କେବଳ ସୁରକ୍ଷିତ ଦୂରତାରୁ ଦର୍ଶନ ଅନୁମତି ଦିଆଯିବ। ଭୋଗରାଗକୁ ବି ଅନୁମତି ନାହିଁ।

କୌଣସି ପରିସ୍ଥିତିରେ ବି ଯେପରି ଧର୍ମାନୁଷ୍ଠାନରେ କୋଭିଡ୍‌ ନିୟମ ଉଲ୍ଲଂଘନ ନ ହେବ, ତାହା କର୍ତ୍ତୃପକ୍ଷ ସୁନିଶ୍ଚିତ କରିବେ। ଶ୍ରଦ୍ଧାଳୁଙ୍କ ମଧ୍ୟରେ ୬ ଫୁଟ୍‌ ଦୂରତା ବଜାୟ ରହିବା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ପ୍ରବେଶ ଏବଂ ପ୍ରସ୍ଥାନ ଦ୍ବାରରେ ଭକ୍ତଙ୍କ ପାଇଁ ହାତ ଧୋଇବା, ସାନିଟାଇଜର୍‌ର ବ୍ୟବସ୍ଥା କରିବାକୁ କୁହାଯାଇଛି। ଧର୍ମାନୁଷ୍ଠାନ ଭିତରେ ଏବଂ ବାହାରେ ପାନ, ଗୁଟ୍‌ଖା ଚୋବାଇବା ଏବଂ ଛେପ ପକାଇବାକୁ ନିଷେଧ କରାଯାଇଛି। ଅସୁସ୍ଥ ବ୍ୟକ୍ତିଙ୍କୁ ଆଦୌ ଧର୍ମାନୁଷ୍ଠାନ ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ। ସେହିପରି କରୋନା ପ୍ରତି ସମ୍ବେଦନଶୀଳ ବର୍ଗର ବ୍ୟକ୍ତି ଯେପରିକି ଦୀର୍ଘ ଦିନ ଧରି ରୋଗାକ୍ରାନ୍ତ, ବୃଦ୍ଧବୃଦ୍ଧା ଏବଂ ଗର୍ଭବତୀ ମହିଳାଙ୍କୁ ଧାର୍ମିକ ଅନୁଷ୍ଠାନ ପରିଦର୍ଶନ ବାରଣ କରାଯାଇଛି। ବିଶେଷକରି ଶ୍ରୀଲିଙ୍ଗରାଜ ମନ୍ଦିରରେ ସର୍ବାଧିକ ୧୦୦ ଜଣ ଭକ୍ତଙ୍କୁ ପ୍ରବେଶ ନେଇ ଅନୁମତି ଦିଆଯାଇଛି। ସେମାନଙ୍କୁ ସଂଘଦ୍ବାରରୁ ଆଡ଼କାଠ ପର୍ଯ୍ୟନ୍ତ ଅନୁମତି ଦିଆଯାଇଛି। ହେଲେ ସାହାଣମେଲା ଦର୍ଶନ ଓ ଗର୍ଭଗୃହ ଦର୍ଶନକୁ ସମ୍ପୂର୍ଣ୍ଣ ଭାବେ ନିଷେଧ କରାଯାଇଛି।

ସମ୍ବନ୍ଧିତ ଖବର