୨୩ରୁ ରାଜଧାନୀରେ ଖୋଲିବ ଧର୍ମାନୁଷ୍ଠାନ, ବିଏମ୍‌ସି ଜାରି କଲା ଏସ୍‌ଓପି

ଶ୍ରୀଲିଙ୍ଗରାଜ ମନ୍ଦିରରେ ସାହାଣମେଲା ଦର୍ଶନ ବନ୍ଦ ରହିବ‌
କେବଳ ଦର୍ଶନକୁ ଅନୁମତି, ଭୋଗ ଲାଗି କରିପାରିବେନି ଭକ୍ତ

ଭୁବନେଶ୍ବର : ଆସନ୍ତା ୨୩ ତାରିଖରୁ ରାଜଧାନୀର ସମସ୍ତ ମନ୍ଦିର ସମେତ ବିଭିନ୍ନ ଧର୍ମାନୁଷ୍ଠାନ ଖୋଲିବ। ଏ ନେଇ ଆଜି ବିଏମ୍‌ସି ପକ୍ଷରୁ କରେନା କଟକଣାକୁ ଆଧାର କରି ଏସ୍‌ଓପି ଜାରି ହୋଇଛି। ଏହି ଏସ୍‌ଓପି ଅନୁସରଣ କରି ସମସ୍ତ ମନ୍ଦିର ସର୍ବସାଧାରଣଙ୍କୁ ପ୍ରବେଶ ଅନୁମତି ଦେବେ। କଟକଣା ଉଲ୍ଲଂଘନ ହେଲେ ମନ୍ଦିର ବନ୍ଦ କରି ଦିଆଯିବ। ତେବେ ଶ୍ରୀ ଲିଙ୍ଗରାଜ ମନ୍ଦିର ଖୋଲିବା ନେଇ ସମ୍ପୃକ୍ତ ଟ୍ରଷ୍ଟ ବୋର୍ଡ ନିଷ୍ପତ୍ତି ନେବ। ଚର୍ଚ୍ଚ, ମସିଜିଦ୍‌ ଓ ଗୁରୁଦ୍ବାର ମଧ୍ୟ ୨୩ ତାରିଖରୁ ଖୋଲିବ। ଏ ନେଇ ଗତ ୭ ତାରିଖରେ ବିଭିନ୍ନ ଧର୍ମାନୁଷ୍ଠାନ କର୍ମକର୍ତ୍ତାଙ୍କ ସହ ଆଲୋଚନା ହୋଇଥିଲା। ଆଲୋଚନାରେ ଆସିଥିବା ବିଭିନ୍ନ ପ୍ରସ୍ତାବ ଉପରେ ବିଚାର କରିବା ପରେ କୋଭିଡ୍‌ କଟକଣା ପାଳନ ପୂର୍ବକ ମନ୍ଦିର ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ସୂଚନ‌ା ଦେଇଛନ୍ତି ବିଏମ୍‌ସି କମିସନର ସଞ୍ଜୟ ସିଂହ।

ଜାରି ହୋଇଥିବା ଏସ୍‌ଓପି ମୁତାବକ, ୨୩ ତାରିଖରୁ ବିଭିନ୍ନ ମନ୍ଦିର ସହ ଧର୍ମାନୁଷ୍ଠାନକୁ ପ୍ରବେଶ ପାଇଁ ସର୍ବସାଧାରଣଙ୍କୁ ଅନୁମତି ମିଳିବ। କୌଣସି ମନ୍ଦିରର ଗର୍ଭଗୃହ ପର୍ଯ୍ୟନ୍ତ ପ୍ରବେଶ କରିବା ପାଇଁ ସାଧାରଣ ଭକ୍ତଙ୍କୁ ସୁଯୋଗ ମିଳିବ ନାହିଁ। ଏକ ନିର୍ଦ୍ଧାରିତ ସ୍ଥାନରେ ଛିଡ଼ା ହୋଇ ଭକ୍ତମାନେ ଦର୍ଶନ କରିବାକୁ ସୁଯୋଗ ପାଇବେ। କୌଣସି ଭକ୍ତ ଠାକୁରଙ୍କ ପାଖରେ ଭୋଗ ଲାଗି କରିପାରିବେ ନାହିଁ, କେବଳ ଦର୍ଶନ କରିବେ।

ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ସ୍ବତନ୍ତ୍ର କଟକଣା ରହିଛି। ଏକ ସମୟରେ ସିଂହଦ୍ବାରରୁ ଆଡ଼କାଠ ପର୍ଯ୍ୟନ୍ତ ସର୍ବାଧିକ ଶହେ ଜଣ ଯାତ୍ରୀଙ୍କୁ ରହିବାକୁ ଅନୁମତି ମିଳିବ। ଶ୍ରୀଲିଙ୍ଗରାଜ ମନ୍ଦିରରେ ସାହାଣମେଲା ଓ ଗର୍ଭଗୃହ ଦର୍ଶନ ହୋଇ ପାରିବ ନାହିଁ। ଶୃଙ୍ଖଳିତ ଦର୍ଶନ ପାଇଁ ବିମ୍‌ସି ପକ୍ଷରୁ ସ୍ବତନ୍ତ୍ର ବ୍ୟାରିକେଡ୍‌ କରାଯିବ। ଭକ୍ତମାନଙ୍କ ମଧ୍ୟରେ ଯେଭଳି ଅତି କମ୍‌ରେ ୬ଫୁଟ୍‌ ସାମାଜିକ ଦୂରତା ବଜାୟ ରହିବ ତାହା ମନ୍ଦିର କର୍ତ୍ତୃପକ୍ଷ ନିଶ୍ଚିତ କରିବେ। ଅନ୍ୟ ମନ୍ଦିର କିମ୍ବା ମସଜିଦ୍‌ରେ ସର୍ବାଧିକ ୨୫ ଜଣଙ୍କୁ ପ୍ରବେଶ ଅନୁମତି ମିଳିବ।

ଅନ୍ୟପକ୍ଷରେ ଧର୍ମାନୁଷ୍ଠାନ ତଥା ମନ୍ଦିରର ସେବାୟତ ଓ ଅନ୍ୟ ସମସ୍ତ କର୍ମଚାରୀ କୋଭିଡ୍‌ ଟେଷ୍ଟ (ଆର୍‌ଟିପିସିଆର) କରିବା ସହ ନେଗେଟିଭ୍‌ ରିପୋର୍ଟ ହାସଲ କରିବେ। ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖି ମନ୍ଦିର ପ୍ରବେଶ କରିବେ। ଏହା ନଥିଲେ ମନ୍ଦିର ପ୍ରବେଶ ଅନୁମତି ମିଳିବ ନାହିଁ। ମନ୍ଦିର କର୍ତ୍ତୃପକ୍ଷ ପ୍ରବେଶ ପଥରେ ହାତ ଧୋଇବା ପାଇଁ ସାନିଟାଇଜର ବ୍ୟବସ୍ଥା କରିବେ। କୌଣସି ସେବାୟତ କିମ୍ବା ଭକ୍ତ ପାନ ଗୁଟ୍‌ଖା ଖାଇବେ ନାହିଁ କିମ୍ବା ଏଣେତେଣେ ଛେପ ପକାଇବେ ନାହିଁ। ଏସ୍‌ଏଆର୍‌ଆଇ/ଆଇଏଲ୍‌ଆଇ ଲକ୍ଷଣ ଥିବାଙ୍କୁ ମନ୍ଦିର ପ୍ରବେଶ ଅନୁମତି ଦିଆଯିବ ନାହିଁ। ଗର୍ଭବତୀ, ବୟସ୍କ, ଛୋଟ ପିଲା, ଏକାଧିକ ରୋଗରେ ପୀଡ଼ିତ ବ୍ୟକ୍ତି ମନ୍ଦିର ପ୍ରବେଶ ନ କରିବାକୁ ବିଏମ୍‌ସି ପରାମର୍ଶ ଦେଇଛି। ଉଲ୍ଲେଖଯୋଗ୍ୟ, କରୋନା କଟକଣା ଯୋଗୁଁ ଗତ ତିନିମାସ ହେଲା ରାଜଧାନୀର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିଥିଲା

ସମ୍ବନ୍ଧିତ ଖବର