ଏମାନେ କ’ଣ କୁହନ୍ତି…

ସନ୍ତୁଳିତ ଜୀବନ ପାଇଁ ଯୋଗ ଉତ୍କୃଷ୍ଟ ମାଧ୍ୟମ। ଆଜିର ଏହି ବ୍ୟସ୍ତବହୁଳ ଜୀବନରେ ମଣିଷ ଚାପରେ ରହୁଥିବା ବେଳେ ସନ୍ତୁଳିତ ଜୀବନ ପାଇଁ ଯୋଗ ଉତ୍କୃଷ୍ଟ ମାଧ୍ୟମ। ଆ‌ମ ଶରୀର ହୁଏତ ଶୋଇଯାଉଛି, କିନ୍ତୁ ମସ୍ତିଷ୍କ କେବେ ଶୋଉନାହିଁ। ତେଣୁ ତାକୁ ସକ୍ରିୟ ରଖିବା ପାଇଁ ଯୋଗକୁ ଆପଣେଇବା ଆବଶ୍ୟକ। ଯୋଗର ଉପକାରିତାକୁ ଲୋକେ ଭୁଲି ‌ଯାଉଥିବା ବେଳେ ଏ ବାବଦରେ ମନେ ପକେଇଦେବା ପାଇଁ ‘ସମ୍ବାଦ’ର ଏହି ଆୟୋଜନ ପ୍ରଶଂସନୀୟ।
ମିନତି ନାୟକ (ଡିଏନ୍‌ ରେଗାଲିଆ ମଲ୍‌)

ସାମିଲ୍‌ ହେବା ବହୁତ ବଡ଼ ଉପଲବ୍ଧି। ଜୀବନ ବଞ୍ଚିବାର ଢଙ୍ଗ ବଦଳିଛି। ଏଭଳି ସମୟରେ ଯୋଗର ମହତ୍ତ୍ବକୁ ଉପଲବ୍ଧି କରିବା ଏବଂ ତାକୁ ଜୀବନରେ ଲଗାଇବା ପାଇଁ ‘ଯୋଗାଥନ୍‌’ ଭଳି କାର୍ଯ୍ୟକ୍ରମର ବଡ଼ ଭୂମିକା ରହିଛି। ଲୋକେ ଯୋଗ କରିବା ସହ ନିଜର ସ୍ମାର୍ଟପଣକୁ ବଜାୟ ରଖିପାରିବେ। ଏହା ଉଭୟ ଶରୀର ଓ ମନକୁ ସୁସ୍ଥ ରଖୁଥିବାରୁ ଦୈନନ୍ଦିନ ଜୀବନରେ ଏହାକୁ ଆପଣାଇବା ଆବଶ୍ୟକ। ଏଠାରେ ଆଜି କାର୍ଯ୍ୟକ୍ରମରେ ସାମିଲ୍‌ ହେବା ପରେ ‌ବହୁତ ବଡ଼ ଉପଲବ୍ଧି ହୋଇଛି। ଏହିଭଳି କାର୍ଯ୍ୟକ୍ରମ ଆଗକୁ ହେବା ଆବଶ୍ୟକ।
ସିଦ୍ଧାର୍ଥ ନାୟକ (ଭିପି (ଅପରେସନ୍‌), ଡିଏନ୍‌ ରେଗାଲିଆ ମଲ୍‌)

ଆଗକୁ ଏହା ଜାରି ରହିବ। ପ୍ରଥମଥର ପାଇଁ ଏହିଭଳି ଏକ କାର୍ଯ୍ୟକ୍ରମ ହାତକୁ ନେଇଥିଲୁ। ଏଥିପାଇଁ ବହୁ ଆଗରୁ ପ୍ରସ୍ତୁତି ଆରମ୍ଭ କରିଥିଲୁ। ଆଜିର କାର୍ଯ୍ୟକ୍ରମ ସଫଳ ହୋଇଥିବାରୁ ଆଗାମୀ ଦିନରେ ମଧ୍ୟ ଏହି କାର୍ଯ୍ୟକ୍ରମକୁ ଚାଲୁ ରଖିବୁ। ଯୋଗ ସମସ୍ତ ଅଙ୍ଗ, ଟିସୁକୁ ଶକ୍ତ ରଖିବା ସହ ପ୍ରତିଦିନ ସକ୍ରିୟ ରଖେ। ତେଣୁ ଏହାର ମହତ୍ତ୍ବକୁ ସମସ୍ତେ ଉପଲବ୍ଧି କରିବା ଉଚିତ୍‌।
ନବକିଶୋର ମହାନ୍ତି (ସଭାପତି, ଓଡ଼ିଶା ଯୋଗ ସଂଘ)

ଯୋଗ ଜୀବନର ଅଂଶବିଶେଷ‌ ହେଉ। ଯୋଗର ଗୁରୁତ୍ବ ଓ ମହତ୍ତ୍ବକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଏହି ଯୋଗାଥନ୍‌ର ପରିକଳ୍ପନା। ଯୋଗର ଗୁରୁତ୍ବକୁ ଉପଲବ୍ଧି ପୂର୍ବକ ଏବେ ପାଠ୍ୟକ୍ରମ ସହ ସ୍ବାସ୍ଥ୍ୟ ସେବା ‌କ୍ଷେତ୍ରରେ ମଧ୍ୟ ଯୋଗକୁ ସାମିଲ୍‌ କରାଗଲାଣି। ନିଜର ମନ ଓ ଶରୀରକୁ ସତେଜ ରଖିବା ପାଇଁ ‌ଭାରତୀୟ ପରମ୍ପରାର ଏହି ଅତି ଉପାଦେୟ ଯୋଗ ପରମ୍ପରାକୁ ପ୍ରତ୍ୟେକ ଜୀବନର ଅଂଶବିଶେଷ କରିବା ଉଚିତ୍‌।
ଆଦିତ୍ୟ କୁମାର ଜେନା (ସାଧାରଣ ସମ୍ପାଦକ, ଓଡ଼ିଶା ଯୋଗ ସଂଘ)

ସୁଦୂରପ୍ରସାରୀ କରିବା ପାଇଁ ଅନ୍ୟମାନେ ବି ଆଗେଇ ଆସନ୍ତୁ। ସୂର୍ଯ୍ୟ ନମସ୍କାରରେ ସମସ୍ତ ବ୍ୟାୟାମ ନିହିତ ଅଛି। ଏହାକୁ ସମସ୍ତେ ବୁଝିବା ଦରକାର। ସମସ୍ତଙ୍କ ଜୀବନରେ ଏହା ନିତାନ୍ତ ଜରୁରି। ସମ୍ବାଦ ‌ପକ୍ଷରୁ ଯୋଗକୁ ନେଇ ଏଭଳି ଆୟୋଜନ ପ୍ରଶଂସନୀୟ। ଏହିପରି କାର୍ଯ୍ୟକ୍ରମ ନିୟମିତ ହେବା ଆବଶ୍ୟକ। ଅନ୍ୟମାନେ ମଧ୍ୟ ଏଭଳି କାର୍ଯ୍ୟକ୍ରମକୁ ସୁଦୂରପ୍ରସାରୀ କରାଇ ସଚେତନତା ସୃଷ୍ଟି କରିବା ଆବଶ୍ୟକ।
ବିଜୟ କୁମାର ଅଗ୍ରୱାଲ୍‌ (ନିର୍ଦେଶକ, ୱିଫେ ଇଣ୍ଟରନେଟ୍‌)

ସରକାର ମଧ୍ୟ ପ୍ରୋତ୍ସାହନର ହାତ ବଢ଼ାନ୍ତୁ। ଏହି କାର୍ଯ୍ୟକ୍ରମ ଆମକୁ ବହୁତ ଭଲ ଅନୁଭବ ଦେଇଛି। ଏତେ ପରିମାଣରେ ଲୋକେ ସାମିଲ୍‌ ହେବା ଏୟା ସୂଚେଇ ଦେଉଛି ଯେ ଆମେ ସ୍ବାସ୍ଥ୍ୟକୁ ନେଇ ସଚେତନ ଅଛୁ। ସରକାର ମଧ୍ୟ ଏ କ୍ଷେତ୍ରରେ ପ୍ରୋତ୍ସାହନର ହାତ ବଢ଼ାଇବା ଉଚିତ୍‌। ଓଡ଼ିଶା ଯୋଗ ସଂଘ ପକ୍ଷରୁ ଏହିଭଳି ଏକ କାର୍ଯ୍ୟକ୍ରମ ପାଇଁ ୫ ମାସ ଆଗରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ମାତ୍ର ୩ ଦିନ ମଧ୍ୟରେ ୮୦୦ରୁ ଅଧିକ ଲୋକ ଏହି ଯୋଗାଥନ କାର୍ଯ୍ୟକ୍ରମ ପାଇଁ ଉତ୍ସାହ ଦେଖାଇଥିଲେ। ତେଣୁ ଆଗାମୀ ଦିନରେ ମଧ୍ୟ ଏହି କାର୍ଯ୍ୟକ୍ରମ ଚାଲୁ ରଖିବା ଆବଶ୍ୟକ।
ମଧୁସ୍ମିତା ପାତ୍ର (ଉପସଭାପତି, ଓଡ଼ିଶା ଯୋଗ ସଂଘ)

ମଣିଷ ଶରୀର ପାଇଁ ସମୟ ଦେବା ଜରୁରି। ସ୍ବାସ୍ଥ୍ୟ ସବୁଠୁ ବଡ଼ ସମ୍ପଦ। ତେଣୁ ସ୍ବାସ୍ଥ୍ୟକୁ ପ୍ରାଧାନ୍ୟପୂର୍ବକ ଶରୀର ଓ ମନକୁ ସକ୍ରିୟ ରଖିବା ପାଇଁ ଆମ ପାଖରେ ‘ଯୋଗ’ ରୂପକ ସାଧନ ଅଛି। ତେଣୁ ଯୋଗର ମହତ୍ତ୍ବକୁ ମନେ ‌ପକେଇଦେବା ପାଇଁ ଯୋଗାଥନ୍‌ ନିଶ୍ଚିତ ସହାୟକ ହେବ ବୋଲି ମୋର ଆଶା। ଏଭଳି କାର୍ଯ୍ୟକ୍ରମ ବ୍ୟାପକ ହେବା ଆବଶ୍ୟକ। ମଣିଷ ବ୍ୟସ୍ତତାର ଦ୍ବାହି ଦେଇ ନିଜ ଶରୀରକୁ ଭୁଲି ନଯାଇ ନିଜ ଶରୀର ପାଇଁ ସମୟ ଦେବା ଆବଶ୍ୟକ।
ଉତ୍ପଳ ପ୍ରଧାନ (ନିର୍ଦେଶକ, ଅଡିଜୋନ୍‌ ସ୍ପିଚ୍‌ ଆଣ୍ଡ୍‌ ହିୟରିଂ କ୍ଲିନିକ୍‌)

ଯୋଗାଥନ୍‌ ଭଳି ଆହୁରି କାର୍ଯ୍ୟକ୍ରମ ହେବା ଦରକାର। ମୁଁ ୨-୩ ବର୍ଷ ହେଲା ଯୋଗ କରିଆସୁଛି। ତେଣୁ ଯୋଗର ପ୍ରଭାବ ସମ୍ପର୍କରେ ମୁଁ ବି ଉପଲବ୍ଧି କରିଛି। ଧ୍ୟାନ ଯୋଗୁଁ ମୋ ଜୀବନରେ ପରିବର୍ତନକୁ ମୁଁ ଅନୁଭବ କରିଛି। ଏକାଗ୍ରତା ବଢ଼ିଛି। ଆଜି କାର୍ଯ୍ୟକ୍ରମରେ ଏତେ ସଂଖ୍ୟାରେ ଲୋକଙ୍କୁ ଯୋଗରେ ସାମିଲ୍ ହୋଇଥିବା ଦେଖିବା ପରେ ଯୋଗ ପ୍ରତି ଆହୁରି ଆତ୍ମୀୟତା ବଢ଼ିଯାଇଛି। ଯୋଗାଥନ୍‌ ଭଳି କାର୍ଯ୍ୟକ୍ରମ ଆହୁରି ହେବା ଆବଶ୍ୟକ।
ଐଶ୍ୟୁକ୍ତା ସାହୁ (ଛାତ୍ରୀ)

ଡେରିରେ ଉଠୁଥିବା ଲୋକଙ୍କୁ ଯୋଗର ଶକ୍ତି ବୁଝା ପଡ଼ିଯାଇଥିବ। ସାଧାରଣତଃ ଆମେ କେବେ ସକାଳ ନପାହିଲେ ଶେଜ ଛାଡ଼ୁନାହୁଁ। ‌ମାତ୍ର ଏହିଭଳି କାର୍ଯ୍ୟକ୍ରମରେ ସାମିଲ୍‌ ହେବା ପରେ ଜଣେ ନିଶ୍ଚିତ ଯୋଗର ଶକ୍ତିକୁ ଉପଲବ୍ଧି କରିଥିବ। କେବଳ ସେତିକି ନୁହେଁ, ଏକୁଟିଆ ଜୀବନରେ ପରସ୍ପରକୁ ଏକାଠି ଗୋଟିଏ ଜାଗାରେ ସାମିଲ୍‌ କରି ନୂଆ ଅନୁଭବ ସାଉଁଟିବାର ଅବକାଶ ଦେଇଛି। ତେଣୁ ଏଭଳି କାର୍ଯ୍ୟକ୍ରମ ଯେତେ ଆୟୋଜନ ହେବ ସମାଜ ସେତେ ଉପକୃତ ହେବ।
ଭାରତ ବାରିକ (ଯୋଗ ପ୍ରଶିକ୍ଷାର୍ଥୀ)

ଆଗକୁ ବି ମୁଁ ସାମିଲ୍‌ ହେବି। ମୁଁ ଆଜି ଯୋଗାଥନ୍‌ରେ ସମସ୍ତ ଯୋଗ କରିଛି। ଆଗରୁ ମଧ୍ୟ ଯୋଗ କରିଆସୁଛି। ଏଠି ସମସ୍ତଙ୍କ ସହ ମିଶି ଯୋଗ କରିବା ବହୁତ ଭଲ ଲାଗିଛି। ଆଗକୁ ଏମିତି କାର୍ଯ୍ୟକ୍ରମ ହେଲେ ସେଥିରେ ବି ମୁଁ ସାମିଲ୍ ହେବି।
ସି.ଏଚ୍‌ ନନ୍ଦିନୀ ପାତ୍ର (କୁନି ଛାତ୍ରୀ)

ସମ୍ବନ୍ଧିତ ଖବର