ମନେ ପଡ଼ୁଛନ୍ତି ମିତ୍ର : ସଲିଲଙ୍କୁ ମନେପକାଇଲେ ସହ-କଳାକାର

ଭୁବନେଶ୍ବର: ଯେବେ ଆଲ୍‌ବମର ଯୁଗ ଚାଲିଥିଲା ସେତେବେଳେ ବି ଥିଲା ସଲିଲଙ୍କ ରାଜ୍‌। ବଡ଼ ପରଦା ଉପରେ ଯେବେ କମେଡି ଛୁଙ୍କ ଦେବାକୁ ଜଣେ ଦକ୍ଷ ଅଭିନେତା ଲୋଡ଼ା ପଡ଼ିଲା ସେ ଆବଶ୍ୟକତାକୁ ବି ପୂରଣ କରିଥିଲେ ସଲିଲ୍‌। ଅନ୍‌ସ୍କ୍ରିନ୍‌ରେ ସେ ଖାଲି ହସେଇ ହସେଇ ବେଦମ କରୁ ନଥିଲେ ସୁଟିଂ ସେଟ୍‌ରେ ସଲିଲ୍‌ ଦା ଥିଲେ ରାତି ପାହି ଯାଉଥିଲେ ବି ଜଣା ପଡ଼ୁନଥିଲା ବୋଲି କହିଛନ୍ତି ତାଙ୍କ ସହ ନିକଟରେ ‘ଗୋଲ୍‌ମାଲ୍‌ ଲଭ୍‌’ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅଭିନେତା ଶ୍ରୀତମ୍‌। ମାତ୍ର ଶେଷ ‌ସମୟରେ ସେ ବହୁତ ସ୍ବାସ୍ଥ୍ୟ ସେଚେତନ ହୋଇଯାଇଥିଲେ। ସୁଟିଂ ସେଟ୍‌ରେ ହସାଇବା ଅପେକ୍ଷା ସ୍ବାସ୍ଥ୍ୟ ସମ୍ପର୍କରେ ବିଭିନ୍ନ କଥା ଆଲୋଚନା କରୁଥିଲେ। ହୃଦରୋଗ ଏବଂ କିଡ୍‌ନି ଭଲ ନଥିବାରୁ ବହୁତ ଚିନ୍ତିତ ହୋଇପଡ଼ିଥିଲେ।

ଆଲବମ୍‌ର ସମୟ ଚାଲିଥିବା ବେଳେ ଯେବେ କୌଣସି ପ୍ରଯୋଜକ ଭଜନ କରିବାକୁ ଚାହୁଁଥ‌ିଲେ ତାଙ୍କ ତାଲିକାର ଶୀର୍ଷରେ ଥିଲେ ସଲିଲ ମିତ୍ର। ଖଟା ହେଉ ପଛେ ହାଣ୍ଡିକ ଦହି.. ରେ ତାଙ୍କ ଚମତ୍କାର ଅଭିନୟ ଆଜି ବି ଦର୍ଶକ ପାସୋରି ପାରିନାହାନ୍ତି। କଟକରେ ରହିବା ବେଳେ ଅନେକ ମଂଚ ନାଟକରେ ଅଭିନୟ କରି ପ୍ରଶଂସାଭାଜନ ହୋଇପାରିଥିଲେ। ଅଭିନେତା ତଥା ନିର୍ଦେଶକ ଦେବୁ ପଟ୍ଟନାୟକଙ୍କର ସେ ଥି‌ଲେ ଅତି ଅନ୍ତରଙ୍ଗ। ଚଳଚ୍ଚିତ୍ରରେ ଅଭିନୟ କରିବା ପାଇଁ ସେ ଦେବୁଙ୍କୁ କହିବା ପରେ ଦେବୁ ବି ହର ପଟ୍ଟନାୟକଙ୍କୁ ଏ ବାବଦରେ ଜଣାଇଥିଲେ। ହର ପଟ୍ଟନାୟକ ଏହା ଶୁଣିବା ପରେ କହିଥିଲେ, ମୁଁ ସଲିଲ୍‌ଙ୍କ ଅଭିନୟ ଦେଖିଛି, ତାକୁ ଡାକ୍‌ ସେ ସିନେମାରେ ବି ଭଲ ଅଭିନୟ କରିପାରିବ। ଦେବୁ କୁହନ୍ତି, ଯେବେ ମୁଁ ନିର୍ଦେଶକ ହେଲି ଏବଂ କୌଣସି ଚଳଚ୍ଚିତ୍ର କରୁଥିଲି ଏହା ଜାଣିବା କ୍ଷଣି ସଲିଲ୍‌ ମୋ ନିକଟକୁ ଫୋନ୍‌ କରି ପଚାରୁଥିଲେ, ‌ମୁଁ ତୋ ସିନେମାରେ ଅଛି ତ? ଏବେ ସଲିଲ୍‌ ନଥିବାରୁ ମୁଁ ଫିଲ୍ମ କଲାବେଳେ ଏଇ ଫୋନ୍‌ କଲ୍‌ ମତେ ନିଶ୍ଚେ ମନେ ପଡ଼ିବ ବୋଲି ଦେବୁ କହିଛନ୍ତି।

Youtube

ଖାଲି ଯେ ସେ ଜଣେ ଦକ୍ଷ କଳାକାର ଥିଲେ ସେ କଥା ନୁହେଁ, ନୂଆ ମୁହଁଙ୍କୁ ଦେଖି କିଭଳି ପ୍ରେରଣା ଦେଉଥିଲେ ତା’ର ଉଦାହରଣ ହେଉଛନ୍ତି ବବି ମିଶ୍ର ଓ ହରିହର। ବବି କୁହନ୍ତି, ଯେବେ ଆଲବମ କରିବା ପରେ ମୁଁ ଫିଲ୍ମରେ ଅଭିନୟ କରିପାରିବି ନା ନାହିଁ ଭାବି ଚିନ୍ତିତ ଥିଲେ ସେ ହିଁ କହିଥିଲେ ତୁ ଚିନ୍ତା କରନି। ଦେଖିବୁ ତୁ ଦିନେ ଭଲ କଳାକାର ହେବୁ। ଅଭିନେତା ହରିହର ସଲିଲ୍‌ଙ୍କ ସହ ପ୍ରଥମ ଭେଟାଭେଟିର ମୁହୂର୍ତକୁ ମନେ ପକାଇ କହିଥିଲେ, ଦିନେ ମୁଁ ଦୂରଦର୍ଶନରେ ଏକ କମେଡି ସ୍ପଟ୍‌ (ଫିଲର)ରେ ଅଭିନୟ କରୁଥାଏ। ସଲିଲ୍‌ ଦା ବି ସେଥିରେ ଅଭିନୟ କରୁଥିଲେ। କଳାକାରଟିଏ ଅନ୍ୟ ଜଣେ କଳାକାରକୁ ସହିପାରେନି ବୋଲି କଥା ଥିଲେ ହେଁ ସେ ମୋ ଅଭିନୟ ଦେଖି ପଛପଟକୁ ଆସି ମୋ ପିଠି ଥାପୁଡ଼େଇ କହିଲେ, ତୁ ବଢ଼ିଆ ଅଭିନୟ କରୁଛୁ। ପ୍ରଥମ ସାକ୍ଷାତରେ ତାଙ୍କର ଏହି ପ୍ରେରଣା କେବେ ଭୁଲିପାରିବି ନାହିଁ ବୋଲି କହିଛନ୍ତି ହରିହର।

‘ସୁନ୍ଦରଗଡ଼ର ସଲମନ ଖାନ୍‌’ ଚଳଚ୍ଚିତ୍ରରେ ତାଙ୍କ ସହ ଶେଷ ଅଭିନୟର ସ୍ମୃତି ବଖାଣି ବବି ମିଶ୍ରଙ୍କ କହିବା ମୁତାବକ, ବର୍ଷେ ତଳେ ସେ ନିଜର ସ୍ବାସ୍ଥ୍ୟକୁ ନେଇ ବହୁତ ଚିନ୍ତିତ ଥିଲେ। କହୁଥିଲେ ମୋ’ର ହୃଦରୋଗ ସମସ୍ୟା ହୋଇଛି। ରାତିରେ ଶୋଇ ପାରୁନି। ଶୋଇଲେ ଲାଗୁଛି ମୁଁ ରାତିରେ ଚାଲିଯିବ। ଏହା ଶୁଣି ମୁଁ କହିଥିଲି, ମାନସିକ ସ୍ତରରେ ଆପଣଙ୍କୁ ପ୍ୟାନିକ୍‌ ଆଟାକ୍‌ ହୋଇଛି। ଏହା ପରେ ମୁଁ ତାଙ୍କୁ ଗୋଟେ ‌ଭିଡିଓ ଦେଖାଇଥିଲି। ଏହା ଦେଖିବା ପରେ ସେ ମତେ ଫୋନ୍‌ କରି କହିଲେ, ମୁଁ ସେ ଭିଡିଓ ଦେଖିବା ‌ପରେ ରାତିରେ ଭଲକରି ଶୋଇପାରିଛି। ଏଣିକି ଦିନରେ ବି ଶୋଉଛି। ମାତ୍ର ଏ ଖୁସି ପରେ ଯେ‌ ସେ ସବୁଦିନ ପାଇଁ ଶୋଇଗଲେ।

ସମ୍ବନ୍ଧିତ ଖବର