ମନେ ପଡ଼ିଲା ବାହାଘର କଥା : ଜେଲ୍‌ ଅନ୍ଧାରରେ ଆକାଶ ରାତି ଅନିଦ୍ରା

ଭୁବନେଶ୍ୱର : ଡିସେମ୍ବର ୧୧ ତାରିଖ। ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅର ହାତ ଧରିଥାନ୍ତେ ଆକାଶ ପାଠକ। ଧୁମ୍‌ଧାମ୍‌ରେ ହୋଇଥା’ନ୍ତା ବାହାଘର। କାର୍ଡ ଛପା ସରିଥିଲା। ହାତଗଣତି ବଛା ବଛା ଦାମୀ ଅତିଥିମାନଙ୍କ ଗହଣରେ ଆକାଶ ବରବେଶରେ ସଜେଇ ହୋଇଥାଆନ୍ତେ। ରାଜସ୍ଥାନ ଉଦୟପୁରର ତାଜ୍ ଲେକ୍ ପ୍ୟାଲେସ୍‌ ବୁକ୍‌ ହୋଇସାରିଥିଲା। କୋଟି କୋଟି ଟଙ୍କାର ବଜେଟ୍‌ ପ୍ରସ୍ତୁତ ହୋଇ ସାରିଥିଲା। ଝଲମଲ ରଙ୍ଗିନ୍‌ ଆଲୁଅରେ ବରକନ୍ୟା ଝଲସୁଥାନ୍ତେ। କିନ୍ତୁ ବିଧିର ବିଧାନ ଥିଲା ଓଲଟା। ଜେଲ୍‌ର ଅନ୍ଧାର ଭିତରେ ଗୁମୁରି ଗୁମୁରି କାନ୍ଦୁଛନ୍ତି ଆକାଶ। ଭୁଲ୍ ହୋଇଗଲା ପାଠକଙ୍କ ସବୁ ଅଙ୍କ। ହାତଗଣ୍ଠି ପଡ଼ିବା ପୂର୍ବରୁ ହାତକଡ଼ି ପଡିଗଲା।

ସୂଚନାଯୋଗ୍ୟ, ନିଲମ୍ବିତ ଆଇଏଫ୍‌ଏସ୍ ଅଫିସର ଅଭୟକାନ୍ତ ପାଠକ କୋଟି କୋଟି ଟଙ୍କାର କଳାଧନ ଠୁଳ କରିଥିବା ମାମଲା ସହ ପୁଅ ଆକାଶର ଜାଲିଆତି ଘଟଣା ପଦାକୁ ଆସିଥିଲା। ଟାଟା ମୋଟର୍ସରେ ଚାକିରି କରାଇବା ନାଁରେ କୋଟି କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ପଦାକୁ ଆସିଲା। ତେଣୁ ଭିଜିଲାନ୍‌ସ ଦ୍ବାରା ଉଭୟ ବାପାପୁଅ ଗିରଫ ହେଲେ। ଏଥିସହ ବିଧାୟକ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ଦଳରୁ ବହିଷ୍କୃତ ହେବା ସହ ଠକାମିରେ ସହଯୋଗ କରିଥିବା ଅଭିଯୋଗରେ ଗିରଫ ହେଲେ। ଫଳରେ ଡିସେମ୍ବର ୧୧ ତାରିଖ ଶୁକ୍ରବାର ଦିନ ଧାର୍ଯ୍ୟ ହୋଇଥିବା ବାହାଘର ବନ୍ଦ ହୋଇଗଲା। କିନ୍ତୁ ଏହି ବାହାଘର ଏକ ଚକମପ୍ରଦ ଉତ୍ସବ ହେବାକୁ ଯାଉଥିଲା। ୫କୋଟି ଟଙ୍କା ବ୍ୟୟ ହୋଇଥା’ନ୍ତା କେବଳ ରାଜସ୍ଥାନର ଉଦୟପୁର ତାଜ୍ ଲେକ୍‌ ପ୍ୟାଲେସ ବୁକିଂ ବାବଦରେ। ଅଗ୍ରୀମ ବାବଦରେ ୨୦ ଲକ୍ଷ ଟଙ୍କା ଦିଆ ସରିଥିଲା। ୱେଡିଂ ପ୍ଲାନରଙ୍କୁ ୫ଲକ୍ଷ ୯୦ ହଜାର ଟଙ୍କା ମଧ୍ୟ ଦିଆ ଯାଇଥିଲା। ଅତିଥିମାନଙ୍କ ଯା’ଆସ ପାଇଁ ଚାର୍ଟର ବିମାନ ବୁକିଂ ହୋଇଥିଲା। ରାଜପୁତ ଢାଞ୍ଚାରେ ରାଜକୀୟ ଷ୍ଟାଇଲ୍‌ରେ ଘୋଡ଼ାରେ ବସି ଆକାଶ ଯାଇଥା‌ନ୍ତେ। ଭୋଜିରେ ଖର୍ଚ୍ଚ ହୋଇଥାଆନ୍ତା ୨ କୋଟି ଟଙ୍କା। ଆଜି ସେଇ ଦିନ ଆସିଛି। ମାତ୍ର ଆକାଶ ଜେଲ୍‌ ଅନ୍ଧାରରେ ବସି ବସି ରାତି କଟେଇ ଦେଇଛନ୍ତି। ବାହାଘର କଥା ଭାବୁ ଭାବୁ ରିମାଣ୍ଡ ଚିନ୍ତା ତାଙ୍କ ନିଦ ହଜେଇ ଦେଇଥିଲା।

ସମ୍ବନ୍ଧିତ ଖବର