ଭୁବନେଶ୍ବର: ଭୁବନେଶ୍ବର ରେଳ ଷ୍ଟେସନ୍ ଅଞ୍ଚଳରେ ଆଜି ପୁଣିଥରେ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପକ୍ଷରୁ ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି। ବିଡିଏର ଏହି ଜାଗାକୁ ମାଡ଼ି ବେପାର କରୁଥିବା ୪୩ରୁ ଅଧିକ ଦଖଲକାରୀଙ୍କୁ ହଟାଯାଇଛି। ବିଡିଏ ସବୁ ଦୋକାନକୁ ଜେସିବି ଲଗାଇ ଭାଙ୍ଗିଛି। ପ୍ରାୟ ୫ହଜାର ବର୍ଗଫୁଟ ଜାଗାକୁ ଜବରଦଖଲମୁକ୍ତ କରାଯାଇଛି। ବିଡିଏ କର୍ତ୍ତୃପକ୍ଷଙ୍କ ସୂଚନା ମୁତବାକ, ରେଳ ବିଭାଗ ଭୁବନେଶ୍ବର ରେଳଷ୍ଟେସନ୍ ସମ୍ମୁଖରେ ଥିବା ପାର୍କିଂର ନବୀକରଣ କରୁଛି। ଏଠାରେ ପିକ୍ଅପ୍, ଡ୍ରପ୍ଅପ୍ ଲେନ୍ ସହ ରେଳଯାତ୍ରୀମାନେ ଗାଡ଼ି ପାର୍କିଂ କରିବାର ବ୍ୟବସ୍ଥା ହେବ।
ପ୍ରସ୍ତାବିତ ଏହି ଜାଗାକୁ ଜବରଦଖଲକାରୀମାନେ ବହୁଦିନରୁ ମାଡ଼ି ବସିଥିଲେ। ଏହି ଜାଗାକୁ ଖାଲି କରିବାକୁ ବିଡିଏର ଚିଠି ପରେ ଆଜି ସକାଳୁ ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଥିଲା। ବାଉଁଶ, ପଲିଥିନ୍ ଘେରା ୫ଟି ମୋଟେଲ୍, ୨୧ଟି ଫାଷ୍ଟଫୁଡ୍ ଦୋକାନ, ୪ଟି ଫଳଦୋକାନକୁ ଉଚ୍ଛେଦ କରାଯାଇଛି। ସେହିଭଳି ୧୩ଟି କ୍ୟାବିନ୍ ଭଙ୍ଗାଯାଇଛି। ଏଥିପାଇଁ ଏକାଧିକ ଜେସିବି ନିୟୋଜିତ କରାଯାଇଥିଲା। ବିଡିଏ ପକ୍ଷରୁ ଏନ୍ଫୋର୍ସମେଣ୍ଟ ଓଏସ୍ଡି ଦେବରାଜ ସେଠୀ, ଲିଆସନ୍ ଅଧିକାରୀ ଶୁଭ୍ରାଂଶୁ ଶେଖର ମହାନ୍ତି, ସିଦ୍ଧାନ୍ତ ସାହୁ, ଖାରବେଳ ଥାନା ଏଏସଆଇ ନିରଞ୍ଜନ ନାଏକ ପ୍ରମୁଖ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ଆଇନଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ବିଡିଏ ଏନ୍ଫୋର୍ସମେଣ୍ଟ ସ୍କାଡ୍ ସହ ୧ ପ୍ଲାଟୁନ୍ ପୁରୁଷ ପୁଲିସ ଓ ୧ ସେକ୍ସନ୍ ମହିଳା ପୁଲିସ ମୁତୟନ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/29/untitled-8-2025-10-29-07-09-25.jpg)