ଭୁବନେଶ୍ବର: କ୍ୟାପିଟାଲ୍ ଥାନା ଅଧୀନ କେଶରୀନଗର ମୌଜା ୟୁନିଟ୍-୪ ରାଜୀବଭବନ ଅଞ୍ଚଳରେ ଆଜି ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପକ୍ଷରୁ ପୁରୁଣା କ୍ବାର୍ଟର୍ସ ଭଙ୍ଗାଯିବା ସହ ଜବରଦଖଲ ଉଚ୍ଛେଦ କରାଯାଇଛି। ପ୍ରାୟ ୧୦ହଜାର ବର୍ଗଫୁଟ ଜାଗାକୁ ଜବରଦଖଲମୁକ୍ତ କରାଯାଇଛି। ରହୁଥିବା ବସ୍ତିବାସିନ୍ଦାଙ୍କୁ ସପ୍ତାହେ ଭିତରେ ଜାଗା ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସ୍ଥାନରେ ଏସ୍ଆର୍ସି କାର୍ଯ୍ୟାଳୟ ନିର୍ମାଣ ହେବ ବୋଲି ଜଣାପଡ଼ିଛି।
ବିଡିଏ ଅଧିକାରୀଙ୍କ ସୂଚନା ମୁତାବକ, ଖାତା ନମ୍ବର- ୬ ଓ ୪ର ପ୍ଲଟ୍ ନମ୍ବର-୧୨୨, ୧୨୩ ଓ ୧୩୯ରେ ଥିବା ସରକାରୀ ଜମିକୁ ବସ୍ତିବାସିନ୍ଦା ଜବରଦଖଲ କରି ରଖିଛନ୍ତି। ୩୧ ପରିବାର ଏଠି ଘର କରି ରହୁଛନ୍ତି। ଏହି ଜାଗାକୁ ଜବରଦଖଲମୁକ୍ତ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ନିର୍ଦ୍ଦେଶକ୍ରମେ ଆଜି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ଦିନରେ ୪ଟି ସରକାରୀ କ୍ବାର୍ଟର୍ସକୁ ଭଙ୍ଗାଯାଇଛି। ୨ଶହ ବର୍ଗଫୁଟ ପାଚେରି ଭଙ୍ଗାଯାଇଛି। କିଛି ଘର ବି ଉଚ୍ଛେଦ କରାଯାଇଛି। ବାକି ଯେଉଁ ବସ୍ତିବାସିନ୍ଦାମାନେ ଅଛନ୍ତି, ସେମାନେ ସପ୍ତାହେ ଭିତରେ ଖାଲି ନକଲେ, ସବୁ ଘର ଉଚ୍ଛେଦ କରାଯିବ। ଏହି ଉଚ୍ଛେଦରେ ବିଡିଏ ଏନ୍ଫୋର୍ସମେଣ୍ଟ ଅଧିକାରୀ ଦେବରାଜ ସେଠୀ, ଲିଆସନ୍ ଅଧିକାରୀ ଶୁଭ୍ରାଂଶୁ ଶେଖର ମହାନ୍ତି, ଅମିୟ କୁମାର ଦାସଙ୍କ ସମେତ ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍ ସାମିଲ୍ ଥିଲେ।