ଚନ୍ଦ୍ରଶେଖରପୁର: ଅଳିଆଗଦା ହଟାଇବା ଓ ସୈନିକ ସ୍କୁଲ ବଞ୍ଚାଇବା ଦାବିରେ ଚାଲିଥିବା ଅଭିଯାନରେ ଆଜି ବିଏମ୍ସି ଓ ଅଭିଯାନର ସଦସ୍ୟମାନେ ଗ୍ରାଉଣ୍ଡ ଜିରୋରେ ସ୍ଥିତି ଅନୁଧ୍ୟାନ କରିଛନ୍ତି। ବିଏମ୍ସି ଅତିରିକ୍ତ କମିସନର ଶୁଭେନ୍ଦୁ ସାହୁଙ୍କ ସମେତ ଶ୍ରୀନିବାସ ପଣ୍ଡା, ରାମଚନ୍ଦ୍ର ମିଶ୍ର ଏବଂ ଅଭିଯାନର ୧୨ ଜଣିଆ ପ୍ରତିନିଧି ଦଳ ଗାଡ଼କଣ ଅଳିଅଗଦା ଓ ପ୍ରସ୍ତାବିତ ପଳାଶୁଣୀ ଶୁଖିଲା ଅଳିଆ ଟ୍ରିଟମେଣ୍ଟ ପ୍ଲାଣ୍ଟ, ମେହେରପଲ୍ଲୀ ଓଦା ଅଳିଆ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟର ସର୍ବେକ୍ଷଣ କରିଛନ୍ତି। ଏଥିସହ ସୈନିକ ସ୍କୁଲ ଡମ୍ପିଂୟାର୍ଡରେ ବିଭିନ୍ନ କିସମର ଅଳିଆ କିଭଳି ପ୍ରକ୍ରିୟାକରଣ ହେଉଛି ସେନେଇ ପ୍ରତିନିଧି ଦଳକୁ ବିଏମସି ଅଧିକାରୀମାନେ ଅବଗତ କରାଇଥିଲେ।
ଜୁନ ୧୨ ସୁଦ୍ଧା ଶୁଖିଲା ଅଳିଆ ଗାଡ଼କଣ ନଯାଇ ପଳାଶୁଣୀ ଟ୍ରିଟମେଣ୍ଟ ପ୍ଲାଣ୍ଟରେ ପ୍ରୋସେସିଂ କରାଯିବ ବୋଲି ବିଏମ୍ସି ଅତିରିକ୍ତ କମିସନର କହିଥିଲେ। ପଳାଶୁଣୀର ଶୁଖିଲା ଅଳିଆ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଅଭିଯାନର ସଦସ୍ୟମାନେ କହିବା ସହ ସମ୍ପୂର୍ଣ୍ଣ ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଥିଲା। ଆସନ୍ତା ୧୮ ମାସ ମଧ୍ୟରେ ମେହେରପଲ୍ଲୀ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟରେ ଓଦା ଅଳିଆ ସବୁ ପ୍ରୋସେସିଂ କରାଯିବ ବୋଲି ଆଲୋଚନା ହୋଇଥିଲା। ମାତ୍ର ବିଏମ୍ସି ତ୍ୱରିତ ପଦକ୍ଷେପ ନେଇ ୬ରୁ ୭ ମାସ ମଧ୍ୟରେ ଏହାକୁ କାର୍ଯ୍ୟକ୍ଷମ କରିବାକୁ ଅଭିଯାନର ସଦସ୍ୟମାନେ ଦାବି କରିଥିଲେ।
ପୂର୍ବ ପ୍ରସ୍ତାବ ଅନୁସାରେ ସମସ୍ତ ୬୭ ୱାର୍ଡରେ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ ବ୍ୟବସ୍ଥା ଆସନ୍ତା ଦୁଇ ମାସ ମଧ୍ୟରେ କରାଯାଉ। ପଳାଶୁଣୀଠାରେ ସ୍ଥାପିତ ଶୁଖିଲା ଅଳିଆ ପ୍ରକ୍ରିୟାକରଣ ପ୍ଲାଣ୍ଟ ଦୁଇ ଦିନ ଭିତରେ କାର୍ଯ୍ୟକାରୀ, ଗାଡ଼କଣ ଅଳିଆଗଦା ସାତ ଦିନ ଭିତରେ ଖାଲି, ସୈନିକ ସ୍କୁଲ ପାଖ ଅଳିଆ ଗଦା ପାଖାପାଖି ଅଞ୍ଚଳରେ ମାଟି ପକେଇ ବନୀକରଣ, ଧୀରିକୁଟି ବସ୍ତି ନିକଟରେ ଥିବା ଜାଗାକୁ ମାଟି ପକେଇ ସମାନ କରିବା ସହ ଗଛ ଲଗାଯିବାକୁ ଅଭିଯାନ ପକ୍ଷରୁ ଦାବି କରାଯାଇଛି। ଗସ୍ତ ସମୟରେ ଅଭିଯାନର ଆବାହକ ବାସୁଦେବ ଭଟ୍ଟ, ପ୍ରଦୀପ ପରିଡ଼ା, ଭିକ୍ଷାକାରୀ ତ୍ରିପାଠୀ, ପ୍ରୀତିଶ ବାସା, ଅଶୋକ ପାଇକରାୟ, ସିଦ୍ଧେଶ୍ବର ନାୟକ, ପ୍ରସନ୍ନ ବିଷୋୟୀ, ଦିଲୀପ ଦାଶଶର୍ମା, ଚିନ୍ତାମଣି ବାରିକ, ଆଶୁତୋଷ ମିଶ୍ର, ପ୍ରତାପ ସାହୁ ଓ ରଶ୍ମିରଂଜନ ପରିଡ଼ା ପ୍ରମୁଖ ସାମିଲ ହୋଇଥିଲେ।