ଭୁବନେଶ୍ବର: ଓଡ଼ିଶା ବିଶ୍ୱବିଦ୍ୟାଳୟ(ସଂଶୋଧିତ) ଅଧ୍ୟାଦେଶକୁ ନେଇ ଅଡ଼ୁଆ ବଢ଼ୁଛି। ଅଧ୍ୟାଦେଶ ସମ୍ପର୍କରେ ଆଜି ବି ବିଧାନସଭାରେ ଆଲୋଚନା ଚାଲିଥିବା ବେଳେ ବାହାରେ ବିଶ୍ବବିଦ୍ୟାଳୟର ପ୍ରଫେସର୍ଙ୍କ ସ୍ବର ଶୁଣିବାକୁ ମିଳିଛି। ଭୁବନେଶ୍ବରରୁ ସମ୍ବଲପୁର ହେଉ କି କଟକରୁ ବ୍ରହ୍ମପୁର; ସବୁଠି ପ୍ରଫେସରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। କୋଭିଡ୍-୧୯ ନିର୍ଦେଶାବଳୀ ପାଳନ କରି ଶାନ୍ତିପୂର୍ଣ୍ଣ ଭାବରେ ବିଶ୍ବବିଦ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ଏହି ଅଧ୍ୟାଦେଶକୁ ‘କଳା ଅଧ୍ୟାଦେଶ’ ବୋଲି ଅଭିହିତ କରିଛନ୍ତି। ଉତ୍କଳ ସମେତ ବ୍ରହ୍ମପୁର, ସମ୍ବଲପୁର, ଫକୀର ମୋହନ, ଉତ୍ତର ଓଡ଼ିଶା, ରେଭେନ୍ସା ବିଶ୍ବବିଦ୍ୟାଳୟର ପ୍ରଫେସର୍ମାନେ ଅପରାହ୍ଣ ୧ଟାରୁ ୩ଟା ପର୍ଯ୍ୟନ୍ତ ଧାରଣା ଦେଇଥିଲେ। କଳା ବ୍ୟାଜ୍ ପିନ୍ଧି ‘କଳା ଆଇନ ହଟାଅ, ବିଶ୍ବବିଦ୍ୟାଳୟ ବଞ୍ଚାଅ’ ସ୍ଲୋଗାନ ଥିବା ବ୍ୟାନର୍ ଧରି ଆନ୍ଦୋଳନ କରିଥିଲେ।
ସେମାନେ କହିଥିଲେ ଯେ ରାଜ୍ୟ ସରକାରଙ୍କ ଏହି ଅଧ୍ୟାଦେଶ ଶିକ୍ଷା ବିରୋଧୀ। ଏହାଦ୍ବାରା ବିଶ୍ୱବିଦ୍ୟାଳୟର ସ୍ୱାୟତ୍ତତା କ୍ଷୁଣ୍ଣ ହେବ। କୌଣସି ଶିକ୍ଷାବିତ୍ଙ୍କ ବିନା ପରାମର୍ଶରେ ରାଜ୍ୟ ସରକାର ଉଚ୍ଚଶିକ୍ଷାକୁ ବ୍ୟବସାୟୀକରଣ ଓ ଦଳୀୟ କର୍ମୀଙ୍କୁ ଥଇଥାନ ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହାଦ୍ବାରା ବିଶ୍ବବିଦ୍ୟାଳୟରେ ଦୁର୍ନୀତି ବଢ଼ିବ। ଅମଲାତାନ୍ତ୍ରିକ ଶାସନ ଚାଲିବ। ଓପିଏସ୍ସି(ଓଡ଼ିଶା ଲୋକସେବା ଆୟୋଗ) ଦ୍ବାରା ନିଯୁକ୍ତି ପ୍ରକ୍ରିୟା କରାଗଲେ ଉପଯୁକ୍ତ ଚୟନ ପ୍ରକ୍ରିୟା ହୋଇପାରିବ ନାହିଁ। ସିନେଟ୍ ବ୍ୟବସ୍ଥାକୁ ହଟାଇବା ଠିକ୍ ହୋଇ ନାହିଁ। ଯଦି ବୈଠକ ବସୁ ନ ଥିଲା ବୋଲି ସରକାର ଯୁକ୍ତି ବାଢ଼ୁଛନ୍ତି ତେବେ କେମିତି ବସିପାରିବ ସେ ଉପରେ ଧ୍ୟାନ ଦେବାର ଥିଲା। ତା’ ମାନେ ନୁହେଁ ଯେ ସିନେଟ୍କୁ ସମ୍ପୂର୍ଣ୍ଣ ଉଚ୍ଛେଦ କରିଦେବା। କେତେଜଣ ପୂର୍ବତନ କୁଳପତିଙ୍କୁ ହାତବାରିସି କରି ଉଚ୍ଚଶିକ୍ଷା ସଚିବ ଏକଚାଟିଆ ନିଷ୍ପତ୍ତି ନେଉଛନ୍ତି। ଏଭଳି ନିଷ୍ପତ୍ତି ନେବା ପୂର୍ବରୁ ଶିକ୍ଷାବିତ୍, ପ୍ରଫେସର, ଛାତ୍ରଛାତ୍ରୀ, ଅଭିଭାବକଙ୍କ ମତାମତ ନେବାର ଥିଲା। ରାଜ୍ୟ ସରକାର ତୁରନ୍ତ ଏହି ଅଧ୍ୟାଦେଶକୁ ପ୍ରତ୍ୟାହାର କରନ୍ତୁ। ନଚେତ୍ ଆଇନର ଆଶ୍ରୟ ନେବୁ ବୋଲି ସେମାନେ କହିଥିଲେ।
ଇତିମଧ୍ୟରେ ଜଏଣ୍ଟ ଆକ୍ସନ କମିଟି ପକ୍ଷରୁ ଏକ ସର୍ଭେ ରିପୋର୍ଟ ପ୍ରକାଶ କରାଯାଇଛି। ଏହି ସଂଶୋଧିତ ଅଧ୍ୟାଦେଶ ଦ୍ବାରା ଉଚ୍ଚଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିବ ବୋଲି ୯୧.୪% ପ୍ରଫେସର ମତପ୍ରକାଶ କରିଛନ୍ତି। ଓଡ଼ିଶା ଲୋକସେବା ଆୟୋଗ ଦ୍ବାରା ନିଯୁକ୍ତି ପ୍ରକ୍ରିୟା ନ କରିବା ଲାଗି ୯୧%ରୁ ଅଧିକ ପ୍ରଫେସର ମତ ଦେଇଥିବା ବେଳେ ୭୯.୭% ସିନେଟ୍ ବ୍ୟବସ୍ଥା ଉଚ୍ଛେଦକୁ ନାପସନ୍ଦ କରିଛନ୍ତି। ୭୨.୬% ପ୍ରଫେସର କହିଛନ୍ତି ଯେ ଏହି ବ୍ୟବସ୍ଥା ଦ୍ବାରା ବିଶ୍ବବିଦ୍ୟାଳୟରେ ଅମଲାତନ୍ତ୍ର ଶାସନ ଚାଲିବ। କୁଳପତି ଚୟନରେ ରାଜ୍ୟ ସରକାରଙ୍କ ପ୍ରତିନିଧି ରଖିବା ନିଷ୍ପତ୍ତିକୁ ୬୧.୯% ପ୍ରଫେସର ଗ୍ରହଣ କରି ନାହାନ୍ତି।