ଭୁବନେଶ୍ବର: ରାଜଧାନୀର ଅଧିକାଂଶ ଛାତ ଉପରେ ଲାଗିଛି ହୋର୍ଡିଂ। କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ଘର ମାଲିକ। ବର୍ଷ ବର୍ଷ ଧରି ବେପାର କରୁଛନ୍ତି ଘରୋଇ ଠିକା ସଂସ୍ଥା। ଜନସାଧାରଣଙ୍କ ଜୀବନ ବିପନ୍ନ ହେଉଛି, ସହର ବି ସୌନ୍ଦର୍ଯ୍ୟ ହରାଉଛି। ଏଣେ କିନ୍ତୁ ବିଏମ୍ସିକୁ ଟଙ୍କାଟିଏ ରାଜସ୍ବ ମିଳୁନି। କିଛି ନିର୍ଦ୍ଦିଷ୍ଟ ଅଫିସର ବା କର୍ମଚାରୀ ମୋଟା ଅଙ୍କର ହାତଗୁଞ୍ଜା ନେଇ ନିରବ ରହୁଥିବାରୁ ବିଏମ୍ସି କୋଟି କୋଟି ଟଙ୍କା ରାଜସ୍ବ ହାନି ହେଉଥିବା ଅଭିଯୋଗ ହୋଇ ଆସୁଛି। ଏ ନେଇ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପରେ ବିଏମ୍ସି ଏହି ସବୁ ହୋର୍ଡିଂକୁ ବେଆଇନ ଦର୍ଶାଇଥିଲା। ହୋର୍ଡିଂ ସହ ଲୁହା ଫ୍ରେମ୍ ସବୁକୁ ମାସେ ମଧ୍ୟରେ ହଟାଇବାକୁ ଉଭୟ ଘରୋଇ ସଂସ୍ଥା ଓ ଘର ମାଲିକଙ୍କୁ ଗତ ବର୍ଷ ସେପ୍ଟେମ୍ବର ମାସରେ ନୋଟିସ୍ କରିଥିଲା। କିନ୍ତୁ କ’ଣ ହେଲା କେଜାଣି ବିଏମ୍ସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା।
ତେବେ ଗତ ୬ ତାରିଖରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ବିଏମ୍ସିର ନିଦ ଭାଙ୍ଗିଛି। ୬ ମାସ ତଳେ ଦେଇଥିବା ନୋଟିସ୍ କଥା ମନେ ପଡ଼ିଛି। ପ୍ରତ୍ୟେକ ଛାତରୁ ବେଆଇନ ହୋର୍ଡିଂ ଓ ଲୁହା ଫ୍ରେମ୍ ହଟାଇବା ପାଇଁ ଏକ ଠିକା ସଂସ୍ଥା ନିଯୁକ୍ତ କରିଛି ବିଏମ୍ସି। ଯେଉଁଗୁଡ଼ିକ ବିପଦ ସଂକୁଳ ଅବସ୍ଥାରେ ଅଛି ସେଗୁଡ଼ିକୁ ଚିହ୍ନଟ କରାଯାଇ ପ୍ରାଥମିକତା ଭିତ୍ତିରେ ଉଚ୍ଛେଦ କରାଯିବ। ପରେ ଜରିମାନା ଧାର୍ଯ୍ୟ କରାଯିବ। ଆଡ୍ଭର୍ଟାଇଜିଂ ଏଜେନ୍ସିମାନେ ବିଏମ୍ସି ଅଧୀନରେ ପଞ୍ଜୀକୃତ ହେବେ। ଯେଉଁଠି ବିପଦ ନାହିଁ ବା ସହର ଅସୁନ୍ଦର ହେବ ନାହିଁ, ସେଠାରେ ବିଏମ୍ସି ସ୍ବୀକୃତି ଦେବା ପରେ ହୋର୍ଡିଂ ଲାଗିବ। ସମ୍ପୃକ୍ତ ଏଜେନ୍ସି ବିଏମ୍ସି ଦ୍ବାରା ଧାର୍ଯ୍ୟ ହୋଇଥିବା ଦେୟ ପ୍ରଦାନ କରିବ ବୋଲି ନିଷ୍ପତ୍ତି ହୋଇଛି।
୨୦୧୮ ମସିହାରେ ବି ବିଏମ୍ସି ଏଭଳି ଚିନ୍ତା କରିଥିଲା। କଟକ ରୋଡ୍, ଜନପଥ, ସଚିବାଳୟ ମାର୍ଗ ଏବଂ ବିଦ୍ୟୁତ ମାର୍ଗରେ ପ୍ରାୟ ୪୦ କିଲୋମିଟର ରାସ୍ତା କଡ଼ରେ ଥିବା କୌଣସି ଛାତ ଉପରେ ହୋର୍ଡିଂ ଲାଗିବନି ବୋଲି ବିଏମ୍ସି ଘୋଷଣା କରିଥିଲା। ବିଏମ୍ସିର ବିଜ୍ଞାପନ ନୀତି ଅନୁଯାୟୀ ଛାତ ଉପରେ ଲାଗିଥିବା ହୋର୍ଡିଂ ବେଆଇନ ହୋଇଥିବାରୁ ଏହାକୁ ଉଚ୍ଛେଦ କରିବା ଯୋଜନା ହୋଇଥିଲା। ସ୍ବତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍ ଗଠନ କରି ହୋର୍ଡିଂ ହଟାଇବା ସହ ଫ୍ରେମ୍କୁ ଗ୍ୟାସ୍ କଟର୍ରେ କାଟିବା ନିଷ୍ପତ୍ତି ହୋଇଥିଲା। ଏହା ପରେ ବି ଯେଉଁମାନେ ଛାତ ଉପରେ ହୋର୍ଡିଂ ଲଗାଇଥିବେ, ସେହି ସଂସ୍ଥାର ମୁଖ୍ୟାଳୟକୁ ନୋଟିସ୍ କରାଯିବ। ସଂସ୍ଥାଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯିବା ସହ ଯେଉଁ ଘର ମାଲିକମାନେ ଛାତ ଉପରେ ବେଆଇନ ଭାବେ ହୋର୍ଡିଂ ଲଗାଇଥିବେ, ସେମାନଙ୍କଠାରୁ ବ୍ୟାବସାୟିକ ମୂଲ୍ୟରେ ହୋଲଡିଂ ଟିକସ ଆଦାୟ ହେବ। ଘରର ବିଲ୍ଡିଂ ପ୍ଲାନ୍ ଆବାସିକ ଥିଲେ ଜରିମାନା ଆଦାୟ ସହ ଘର ଭାଙ୍ଗିବା ଭଳି ପଦକ୍ଷେପ ନିଆଯିବ ବୋଲି ନିଷ୍ପତ୍ତି ହୋଇଥିଲା। ହେଲେ କ’ଣ ହେଲା କେଜାଣି ବିଏମ୍ସି ଅଧିକାରୀମାନେ ଚୁପ୍ ହୋଇ ଯାଇଥିଲେ। ଦୀର୍ଘ ୪ ବର୍ଷର ନିରବତା ପରେ ଗତ ସେପ୍ଟେମ୍ବର ମାସରେ ବିଏମ୍ସି ପୁଣି ତତ୍ପର ହେବା ସହ ନୋଟିସ୍ରେ ସେହି ପୁରୁଣା କଥାକୁ ଦୋହରାଇଥିଲା।
ବିଭିନ୍ନ ସଂସ୍ଥାଙ୍କୁ ନୋଟିସ୍ କରିବା ସହ ଯେଉଁ ସବୁ ହୋର୍ଡିଂକୁ ସ୍ବୀକୃତି ଦିଆଯିବ ବା ଯେଉଁଥିରୁ ବିଏମ୍ସି ରାଜସ୍ବ ପାଇବ, ସେହି ସବୁ ହୋର୍ଡିଂରେ ଜିପିଏସ୍ ଲଗାଇବାକୁ ଯୋଜନା କରିଥିଲା। ଫଳରେ ଆଉ ନା ଆଡ୍ଭର୍ଟାଇଜିଂ ଏଜେନ୍ସି ନା ବିଏମ୍ସି କର୍ମଚାରୀ କେହି ଠକେଇ କରିପାରିବେ ନାହିଁ। ଟେଣ୍ଡର ଜରିଆରେ ଏକ ସଂସ୍ଥା ଚୟନ କରାଯାଇ ଏହି ଜିପିଏସ୍ ଲଗାଇବା ଯୋଜନାକୁ ପୂର୍ଣ୍ଣରୂପ ଦିଆଯାଇଥା’ନ୍ତା। ତାହା ମଧ୍ୟ ହୋଇ ପାରିଲା ନାହିଁ। ଧର୍ମକୁ ଆଖିଠାର ଭଳି ଗତ ବର୍ଷ ଡିସେମ୍ବର ମାସରେ ବିଏମ୍ସି କେତେକ ବେଆଇନ ହୋର୍ଡିଂ ହଟାଇଥିଲା। କିନ୍ତୁ ସେହି ସବୁ ଜାଗାରେ ହକି ବିଶ୍ବକପ୍ର ହୋର୍ଡିଂ ଲଗାଇ ଦେଇଥିଲା। ଏହା ପରେ କାର୍ଯ୍ୟାନୁଷ୍ଠାନ ବନ୍ଦ ହୋଇଥିଲା।
ଏ ନେଇ ବିଏମ୍ସି କମିସନର ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି, ଛାତ ଉପରେ ବିପଜ୍ଜନକ ଭାବରେ ହୋର୍ଡିଂ ଲଗାଯାଇଛି। ଭୁବନେଶ୍ବର ଏକ ବାତ୍ୟାପ୍ରବଣ ଅଞ୍ଚଳ। ଏଣୁ ଯେକୌଣସି ମୁହୂର୍ତ୍ତରେ ଏହା ଭୁଶୁଡ଼ି ପଡ଼ି ଜୀବନ ପ୍ରତି ବିପଦ ହେବା ଆଶଙ୍କା ରହିଛି। ସେ ସବୁକୁ ହଟାଇବା ପାଇଁ ଆମେ ନୋଟିସ୍ କରିଥିଲୁ। ଏବେ କାର୍ଯ୍ୟାନୁଷ୍ଠାନ ହେବ। ଉଭୟ ହୋର୍ଡିଂ ଓ ଲୁହା ଫ୍ରେମ୍ ହଟାଇବା ପାଇଁ ଏକ ସଂସ୍ଥା ଚୟନ କରାଯାଇଛି। ସମସ୍ତ ହୋର୍ଡିଂ ହଟାଇବା ପରେ ବିଏମ୍ସିରୁ ଏଜେନ୍ସିମାନେ ସ୍ବୀକୃତି ନେବେ। ତେବେ ତା’ ପୂର୍ବରୁ କେଉଁ ଘରର ଛାତ ହୋର୍ଡିଂ ସମ୍ଭାଳିବାକୁ କ୍ଷମତା ରଖିଛି ତାହା ମଧ୍ୟ ଯାଞ୍ଚ ହେବ। ଯେଭଳି ସହର ଅସୁନ୍ଦର ହେବ ନାହିଁ ତାହା ବିଚାର କରିବା ପରେ ବିଏମ୍ସି ଏହି ଘରୋଇ ଛାତ ଉପରେ ହୋର୍ଡିଂ ଲଗାଇବାକୁ ସ୍ବୀକୃତି ଦେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/55-4.jpg)