ଗୁଗୁଲ୍‌ ପ୍ଲେ ଷ୍ଟୋର୍‌ରୁ ‘ମୋ ବସ୍‌’ ଆପ୍‌ ଉଭାନ୍‌

ଭୁବନେଶ୍ବର: କରୋନା ପାଇଁ ବନ୍ଦ ଥିବା ‘ମୋ ବସ୍‌’ ସେବା ପୁଣି ଥରେ ଆରମ୍ଭ ହୋଇଛି। ଅତି କମ୍‌ ଦିନ ଭିତରେ ଲୋକପ୍ରିୟତା ଅର୍ଜନ କରିଥିବା ମୋ ବସ୍‌କୁ ପୁଣି ଲୋକେ ଫେରିଛନ୍ତି। ପ୍ରତ୍ୟେକ ବସ୍‌ରେ ଏବେ ୯୦ ପ୍ରତିଶତରୁ ଊର୍ଦ୍ଧ୍ବ ସିଟ୍‌ ପୂର୍ଣ୍ଣ ହେଉଛି। ତେବେ ମୋ ବସ୍‌ ସମ୍ବନ୍ଧରେ ସମସ୍ତ ତଥ୍ୟ ସହ ଅନ୍‌ଲଇନ୍‌ ଟିକେଟ୍‌ କରିବା ପାଇଁ ପ୍ରସ୍ତୁତ ହୋଇଥିବା ‘ମୋ ବସ୍‌ ଆପ୍‌’ ଗୁଗୁଲ୍‌ ପ୍ଲେ ଷ୍ଟୋର୍‌ରୁ ଉଭାନ୍‌ ହୋଇ ଯାଇଛି। ଫଳରେ ମୋ ବସ୍‌ ଯାତ୍ରୀମାନେ ହତାଶ ହୋଇଛନ୍ତି। ଅନ୍‌ଲାଇନ୍‌ରେ ଟିକେଟ୍‌ ସହ ଯାତ୍ରୀ ଅପେକ୍ଷା କରିଥିବା ବସ୍‌ର ସ୍ଥିତି ଜାଣିବା ପାଇଁ ଆଉ ଯାତ୍ରୀଙ୍କ ପାଖରେ ସୁଯୋଗ ନାହିଁ।

ଏହି ଯାତ୍ରାକୁ ସୁଗମ କରିବା ପାଇଁ କ୍ରୁଟ୍‌ ପକ୍ଷରୁ ମୋ ବସ୍‌ ଆପ୍‌ ପ୍ରସ୍ତୁତ ହୋଇଥିଲା। ଏଥିରେ ଟିକେଟ୍‌ ବୁକିଂ ସହ କେଉଁ ବସ୍‌ କେଉଁ ରୁଟ୍‌ରେ ଆସୁଛି? କେଉଁଠି ପହଞ୍ଚିଲାଣି? କେତେ ସମୟ ପରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବ ଭଳି ସୂଚନା ସହ ବସ୍‌ ବାତିଲ ସମ୍ବନ୍ଧରେ ମଧ୍ୟ ସୂଚନା ମିଳୁଥିଲା। ଫଳରେ ଯାତ୍ରୀମାନେ ସମସ୍ୟାରେ ପଡ଼ୁନଥିଲେ। ଏବେ ଏହି ଆପ୍‌ ନଥିବାରୁ ଅନେକ ନୂଆ ଯାତ୍ରୀ ସମସ୍ୟାରେ ପଡ଼ୁଛନ୍ତି। ରାଜମହଲରୁ ପଟିଆ ଯିବା ପାଇଁ ‘ମୋ ବସ୍‌’ କୁ ଅପେକ୍ଷା କରିଥିବା ଅଭିନବ କହିଛନ୍ତି, ମୋ ବସ୍‌ ଆପ୍‌ ଭଲ କାମରେ ଲାଗୁଥିଲା। କାହାକୁ ପଚାରିବା ଆବଶ୍ୟକ ନଥିଲା। ବସ୍‌ ଆସୁଛି କି ନାହିଁ ଜାଣିବା ପାଇଁ ପଚାରିବାକୁ ପଡ଼ୁଛି। ଏଭଳି ଅନେକ ଯାତ୍ରୀ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଅନ୍ୟପଟେ ଜଣେ ବରି‌ଷ୍ଠ ଅଧିକାରୀ କହିଛନ୍ତି, ଗୁଗୁଲ୍‌ ପଲିସିରେ ପରିବର୍ତ୍ତନ ହୋଇଥିବାରୁ ଏହା ପ୍ଲେ’ ଷ୍ଟୋର୍‌ରେ ଉପଲବ୍ଧ ହୋଇ ପାରୁନାହିଁ। ତେବେ ଯେଉଁମାନେ ଆଗରୁ ଡାଉନ୍‌ଲୋଡ୍‌ କରିଥିଲେ ସେମାନଙ୍କର ଏହା କାମ କରୁଛି। ଯେଉଁମାନେ ନୂଆ ଡାଉନ୍‌ଲୋଡ୍‌ କରିବାକୁ ଚାହୁଛନ୍ତି ସେମାନେ କ୍ରୁଟ୍‌ର ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମରେ ଯୋଗାଯୋଗ କଲେ ସେମାନଙ୍କୁ ଏପିକେ ଫାଇଲ୍‌ ପଠାଇ ଦିଆଯାଉଛି। ସେଥିରୁ ଏହି ଆପ୍‌ ଡାଉନ୍‌ଲୋଡ୍‌ କରିପାରୁଛନ୍ତି। ତେବେ କ୍ରୁଟ୍‌ର ଆଇଟି ଟିମ୍‌ ଉଦ୍ୟମ ଜାରି ରଖିଛି। ଖୁବ୍‌ଶୀଘ୍ର ଏହି ସୁବିଧାଉପଲବ୍ଧ ହେବ ବୋଲି ଜଣାପଡ଼ିଛି।
ଉଲ୍ଲେଖନୀୟ, କରୋନା କଟକଣା ଯୋଗୁ ବହୁ ଦିନ ହେବ ବନ୍ଦ ରହିଥିବା ମୋ ବସ୍‌ ସେବା ଗତ ୧୯ ତାରିଖରୁ ପୁଣି ଆରମ୍ଭ ହୋଇଛି। ଆଜି ସୁଦ୍ଧା ୧୬ଟି ରୁଟ୍‌ରେ ୭୮ଟି ବସ୍‌ ଚାଲିଛି। କାହାରିକୁ ଛିଡ଼ା ହେବାକୁ ସୁଯୋଗ ଦିଆଯାଉ ନାହିଁ। କେବଳ ଉପଲବ୍ଧ ସିଟ୍‌ରେ ବସି ଯାତ୍ରୀ ଯାତାୟାତ କରୁଛନ୍ତି।

ସମ୍ବନ୍ଧିତ ଖବର