ଜୀବନ୍ୟାସ ପାଉଛି ଖଣ୍ଡିଗିରି ବ୍ୟାଖ୍ୟାନ କେନ୍ଦ୍ର

ଗାନ୍ଧୀ ଶାନ୍ତି କେନ୍ଦ୍ର ପାଇଁ କାମ ଆରମ୍ଭ, ୫ ବର୍ଷ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିଲା ବ୍ୟାଖ୍ୟାନ କେନ୍ଦ୍ର

ଭୁବନେଶ୍ୱର: ପାଞ୍ଚ ବର୍ଷ ପରିତ୍ୟକ୍ତ ଅବସ୍ଥାରେ ପଡ଼ିବା ପରେ ଖଣ୍ଡଗିରି ନିକଟସ୍ଥ ‘ବ୍ୟାଖ୍ୟାନ କେନ୍ଦ୍ର’ର ଭାଗ୍ୟ ଫିଟିବାକୁ ଯାଉଛି। ୨୦୧୩ ମସିହାରେ ନିର୍ମାଣ ହୋଇଥିବା ଏହି ବ୍ୟାଖ୍ୟାନ କେନ୍ଦ୍ର ଆଉ ମାସ କେଇଟା ପରେ ଚଳଚଞ୍ଚଳ ହେବ। ଏଠାରେ ‘ଶାଶ୍ୱତ ଗାନ୍ଧୀ ଶାନ୍ତି କେନ୍ଦ୍ର’ (ଏଟର୍‌ନାଲ୍‌ ଗାନ୍ଧୀ ପିସ୍‌ ସେଣ୍ଟର)ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ପରିପ୍ରେକ୍ଷୀରେ ଏହା କେନ୍ଦ୍ର ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବାର ଆଶା ଦେଖାଦେଇଛି। ୨୦୧୩ରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଖଣ୍ଡଗିରି ନିକଟରେ ୫ଏକର ଜାଗା ଉପରେ ବ୍ୟାଖ୍ୟାନ କେନ୍ଦ୍ର ନିର୍ମାଣ କରାଯାଇଥିଲା। କୋଠା ନିର୍ମାଣ ସରିଗଲା, କିନ୍ତୁ ତାହାକୁ କିପରି ବ୍ୟବହାର କରାଯିବ, ସେ ନେଇ ବିଭାଗ ମୁଣ୍ଡ ଖେଳାଇଲା ନାହିଁ। ଚାରିବର୍ଷ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଲା ପରେ ୨୦୧୭ ମେ’ ମାସରେ ପର୍ଯ୍ୟଟନ ବିଭାଗ ଓ ଆଦିତ୍ୟ ବିର୍ଲା ଫାଉଣ୍ଡେସନ୍‌ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର ହେଲା। ବୁଝାମଣା ଅନୁସାରେ ସେହି ସ୍ଥାନରେ ବିର୍ଲା ଗ୍ରୁପ୍‌ ଗାନ୍ଧୀ ସଂଗ୍ରହାଳୟ ପ୍ରତିଷ୍ଠା କରିବ। ସେଠାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ ସହ ମଲ୍‌ଟିମିଡିଆ ପ୍ରଦର୍ଶନୀର ବ୍ୟବସ୍ଥା କରିବ। ମଲ୍‌ଟିମିଡିଆ ମାଧ୍ୟମରେ ମହାତ୍ମା ଗାନ୍ଧୀଙ୍କ ମୂଳନୀତି ସତ୍ୟ ଓ ଅହିଂସା ଏବଂ ଜୈନ ଧର୍ମର ନୀତି ଉପସ୍ଥାପିତ ହେବ। ଏହି କେନ୍ଦ୍ର ଓଡ଼ିଶା ସରକାର ଓ ବିର୍ଲା ମ୍ୟାନେଜ୍‌ମେଣ୍ଟ୍‌ କର୍ପୋରେସନ୍‌ର ମିଳିତ ଉଦ୍ୟମରେ ପରିଚାଳିତ ହେବ। ଆସନ୍ତା ୧୫ ବର୍ଷ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ।

 

ତେବେ ବୁଝାମଣାପତ୍ର ସ୍ୱାକ୍ଷର ପରେ ବି ବର୍ଷକ ପର୍ଯ୍ୟନ୍ତ କାମ ଆରମ୍ଭ ହେଲା ନାହିଁ। ଗତ ମାସଠାରୁ ଆଦିତ୍ୟ ବିର୍ଲା ଫାଉଣ୍ଡେସନ୍‌ ପକ୍ଷରୁ କାମ ଆରମ୍ଭ ହୋଇଛି। ଡିସେମ୍ବର ସୁଦ୍ଧା କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ପର୍ଯ୍ୟଟନ ନିର୍ଦ୍ଦେଶକ ନୀତିନ ଭାନୁଦାସ ଜାଓ୍ଵଲେ କହିଛନ୍ତି। ବିଭିନ୍ନ ଆନୁଷଙ୍ଗିକ ପ୍ରକ୍ରିୟା ପାଇଁ କାମ ବିଳମ୍ବ ହେଲା ବୋଲି ସେ କହିଛନ୍ତି। ଚଳିତ ବର୍ଷ ଅକ୍ଟୋବର ୨ରୁ ଏକ ବର୍ଷ ବ୍ୟାପୀ କେନ୍ଦ୍ର ଓ ରାଜ୍ୟ ସରକାର ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ କରୁଛନ୍ତି। ଏଥି ପାଇଁ ବହୁ କାର୍ଯ୍ୟକ୍ରମ ଓ ନୂଆ ନୂଆ ପ୍ରକଳ୍ପ ହାତକୁ ନିଆଯିବାର ଯୋଜନା ରହିଛି। ଏହି ପରିପ୍ରେକ୍ଷୀରେ ଶାଶ୍ୱତ ଗାନ୍ଧୀ ଶାନ୍ତି କେନ୍ଦ୍ର ବେଶ୍‌ ଗୁରୁତ୍ୱ ବହନ କରୁଛନ୍ତି। ଏହି କେନ୍ଦ୍ରଟି ଓଡ଼ିଶା ପାଇଁ ଏକ ନୂଆ ଅନୁଭବ ଦେବ। ତାହା ସହ ଖଣ୍ଡିଗିରି ଓ ଉଦୟଗିରିକୁ ବହୁ ପରିମାଣରେ ଘରୋଇ ଓ ବିଦେଶୀ ପର୍ଯ୍ୟଟକମାନେ ଆସି ଥାଆନ୍ତି। ଏଠାରେ ‘ଶାଶ୍ୱତ ଗାନ୍ଧୀ ଶାନ୍ତି କେନ୍ଦ୍ର’ ପ୍ରତିଷ୍ଠା ହେଲେ ପର୍ଯ୍ୟଟନସ୍ଥଳୀରେ ମଧ୍ୟ ଏହାର ନାମ ଯୋଡ଼ି ହୋଇ ରହିବ। ଏହା ଦ୍ୱାରା ବିଦେଶରେ ମଧ୍ୟ ଗାନ୍ଧୀ ନୀତି ପ୍ରଚାର ଓ ପ୍ରସାର ହୋଇପାରିବ ବୋଲି ପର୍ଯ୍ୟଟନ ବିଭାଗ ଆଶା ରଖିଛି।

ସମ୍ବନ୍ଧିତ ଖବର