ରେଣ୍ଟାଲ କଲୋନି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାନାନ୍ତରକୁ ବିରୋଧ

ଖଣ୍ଡଗିରି: ରେଣ୍ଟାଲ କଲୋନିସ୍ଥିତ ସରକାରୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଥିବାରୁ ସ୍ଥାନୀୟ ଲୋକଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସ୍ଥାନାନ୍ତରକୁ ବିରୋଧ କରି କଲୋନିର ବାସିନ୍ଦାମାନେ ଆଜି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଏକ ପ୍ରତିବାଦ କରିଥିଲେ। ଭୁବନେଶ୍ୱର ମହାନଗର ନିଗମ କର୍ତୃପକ୍ଷ ତୁରନ୍ତ ଏହି ନିଷ୍ପତ୍ତି ପ୍ରତ୍ୟାହାର ନ କଲେ ଆଗାମୀ ଦିନରେ ଲୋକେ ବଡ଼ ଧରଣରୁ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଲୋକଙ୍କ ଅଭିଯୋଗ ଅନୁସାରେ ୧୯୮୯ ମସିହାରୁ ଏହି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଟି ସ୍ଥାନୀୟ ବସ୍ତିବାସିନ୍ଦା ତଥା ଅନ୍ୟମାନଙ୍କ ପାଇଁ ବହୁ ଉପାଦେୟ ହୋଇଆସିଛି। ହଜାର ହଜାର ଗରିବ ଲୋକ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଯୋଗୁଁ ଉପକୃତ ହେଉଛନ୍ତି। କିନ୍ତୁ ଏହାକୁ ଏବେ ବରମୁଣ୍ଡାକୁ ଉଠାଇ ନେବାକୁ ସ୍ଥିର କରାଯାଇଛି। ଫଳରେ ରେଣ୍ଟାଲ କଲୋନି ଅଞ୍ଚଳର ଲୋକମାନେ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହେବେ। ସରକାରଙ୍କ ଏଭଳି ନିଷ୍ପତ୍ତି ଜନସ୍ୱାର୍ଥ ବିରୋଧୀ ବୋଲି ସେମାନେ କହିଛନ୍ତି। ବରମୁଣ୍ଡାରେ ନୂଆ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ, କିନ୍ତୁ ରେଣ୍ଟାଲ କଲୋନି ବାସିନ୍ଦାଙ୍କୁ ବଞ୍ଚିତ କରିବା କେଉଁ ନ୍ୟାୟ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଏ ନେଇ ବିଭାଗୀୟ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନାନୁସାରେ ରେଣ୍ଟାଲ କଲୋନି ସ୍ୱାସ୍ଥ୍ୟକେନ୍ଦ୍ର ଭଡ଼ା ଘରେ ଚାଲିଛି। ଜାତୀୟ ସ୍ୱାସ୍ଥ୍ୟ ମିସନ୍‌ ଯୋଜନାରେ ନୂତନ ଗୃହ ନିର୍ମାଣ ସହ ଉନ୍ନୀତ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ଅନୁଦାନ ମିଳିବା ପରେ ସେହି ଅଞ୍ଚଳରେ ସ୍ଥାୟୀ ଗୃହ ପାଇଁ ଜମି ମିଳିଲା ନାହିଁ। ଏଥିସହିତ ବରମୁଣ୍ଡା, ଧର୍ମ ବିହାର, ଜଗମୋହନନଗର, ମଲ୍ଲିକ କମ୍ପ୍ଲେକ୍ସ ଓ ସୌଭାଗ୍ୟନଗର ଆଦି ଅଞ୍ଚଳରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ନାହିଁ। ତେଣୁ ଏହି ସ୍ୱାସ୍ଥ୍ୟକେନ୍ଦ୍ରକୁ ବରମୁଣ୍ଡାରେ ପ୍ରତିଷ୍ଠା କରାଗଲେ ସବୁ ଅଞ୍ଚଳକୁ ସ୍ୱାସ୍ଥ୍ୟସେବା ଯୋଗାଇବା ସମ୍ଭବ ହେବ ବୋଲି ଏଭଳି ନିଷ୍ପତ୍ତି ନିଆଯାଇଛି। ରେଣ୍ଟାଲ କଲୋନି ବାସିନ୍ଦାଙ୍କ ପାଇଁ ନୂତନ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ ଦୂର ନୁହେଁ ବୋଲି ଯୁକ୍ତି ଦର୍ଶାଯାଇଛି।

ସମ୍ବନ୍ଧିତ ଖବର