ବିନା ସ୍ବୀକୃତିରେ ଭଡ଼ାରେ ଲାଗୁଛି ବାଇକ୍‌, ବେପାର କରୁଛନ୍ତି ୫ଶହରୁ ଊର୍ଦ୍ଧ୍ବ

ବାଣିଜ୍ୟିକ ଅନୁମତି ନେଇଛନ୍ତି ୧୧, ଅଧିକାରୀ କହୁଛନ୍ତି ଧରିବା କଷ୍ଟ

ଭୁବନେଶ୍ୱର : ଭଡ଼ାରେ ଲାଗୁଛି ବାଇକ୍‌। ପରିବହନ ବିଭାଗର ବିନା ସ୍ବୀକୃତିରେ ଏଭଳି ଶହଶହ ବାଇକ୍‌ ଭୁବନେଶ୍ବରରେ ଗଡ଼ୁଛି। ଗଳିକନ୍ଦିରୁ ବସ୍‌‌ଷ୍ଟାଣ୍ଡ ପର୍ଯ୍ୟନ୍ତ କିମ୍ବା ଗନ୍ତବ୍ୟସ୍ଥଳ ପର୍ଯ୍ୟନ୍ତ ଯିବା ପାଇଁ ଏଥିରେ ଖର୍ଚ୍ଚ କମ୍‌ ହେଉଥିବାରୁ ଏହାର ବ୍ୟବହାର ବଢ଼ିଛି। କିନ୍ତୁ ବାଇକ୍‌ଗୁଡ଼ିକ ବାଣିଜ୍ୟିକ ବ୍ୟବହାର ପାଇଁ ପଞ୍ଜୀକରଣ ହେଉନାହିଁ କିମ୍ବା ବାଣିଜ୍ୟିକ ବୀମାକରଣ ହେଉନାହିଁ। ଯେଉଁଥିପାଇଁ ଏହାକୁ ବ୍ୟବହାର କରୁଥିବା ସାଧାରଣ ଯାତ୍ରୀଙ୍କ ଜୀବନ ବାଜିରେ ଲାଗୁଛି। ଏଣେ ବିଭାଗୀୟ ଅଧିକାରୀ କହୁଛନ୍ତି ସାଧାରଣ ବାଇକ୍‌କୁ ଭଡ଼ାରେ ବ୍ୟବହାର କ‌ରିବା ବେଆଇନ। କାର୍ଯ୍ୟାନୁଷ୍ଠାନ ପାଇଁ ବ୍ୟବସ୍ଥା ଅଛି, ହେଲେ ଏମାନଙ୍କୁ ଧରିବା କଷ୍ଟ ହେଉଛି।

ରାଜଧାନୀରେ ତିନିଟି ସଂସ୍ଥା ‘ଟାକ୍ସି ବାଇକ୍‌’ ଜରିଆରେ ପରିବହନ ସେବା ଯୋଗାଉଛନ୍ତି। ଏଥିପାଇଁ ସାଧାରଣ ଲୋକ ବ୍ୟବହାର କରୁଥିବା ବାଇକ୍‌କୁ ନିଜ ସଂସ୍ଥା ଅଧୀନରେ ପଞ୍ଜୀକରଣ କରି ବେପାର କରୁଛନ୍ତି। ଯେ କେହି ଚାହିଲେ, ଏହି ସଂସ୍ଥାମାନଙ୍କ ଅଧୀନରେ ପଞ୍ଜୀକରଣ କରି ଯାତ୍ରୀ ପରିବହନ କରୁଛି। ସ୍ବତନ୍ତ୍ର ଆପ୍‌ ଜରିଆରେ ବାଇକ୍‌ ବୁକିଂ ହେଉଛି। ନିୟମ କହୁଛି, ଟାକ୍ସି ଭାବରେ ବ୍ୟବହାର ହେବାକୁ ଥିବା ବାଇକ୍‌ଗୁଡ଼ିକ ‘ବାଇକ୍‌ ଅନ୍‌ ରେଣ୍ଟ’ ବ୍ୟବସ୍ଥାରେ ବିଭିନ୍ନ ଆରଟିଓଙ୍କ ଜରିଆରେ ପଞ୍ଜୀକରଣ ହେବ। ପଞ୍ଜୀକରଣ ହେବା ପରେ ନମ୍ବର ପ୍ଲେଟ୍‌ର ରଙ୍ଗ (ହଳଦିଆ ରଙ୍ଗର ପ୍ଲେଟ୍‌ ଉପରେ କଳା ଅକ୍ଷରରେ ଲେଖାଯିବ)ପରିବର୍ତ୍ତନ ହେବ। ତା ଛଡ଼ା ଏହି ବାଇକ୍‌ଗୁଡ଼ିକ ସ୍ବତନ୍ତ୍ର ପରମିଟ୍‌ ନେବେ। କେଉଁଠୁ କେଉଁଠିକୁ ପରିବହନ ସେବା ପ୍ରଦାନ କରିବେ, ସେଥିପାଇଁ ଆବେଦନ କରିବେ। ଆରଟିଓମାନେ ଆବେଦନ ଆଧାରରେ ସେମାନଙ୍କୁ ସେହି ନିର୍ଦ୍ଦିଷ୍ଟ ରାସ୍ତାରେ ବେପାର କରିବାକୁ ପରମିଟ୍‌ ପ୍ରଦାନ କରିବେ। ସେହିଭଳି ଏହି କମର୍ସିଆଲ୍‌ ବାଇକ୍‌ ପାଇଁ ସ୍ବତନ୍ତ୍ର ବୀମା କରିବାକୁ ପଡ଼ିବ। ଫଳରେ କୌଣସି ଦୁର୍ଘଟଣାରେ କ୍ଷୟକ୍ଷତି ହେଲେ ଯାତ୍ରୀଙ୍କୁ ଉପଯୁକ୍ତ କ୍ଷତିପୂରଣ ମିଳିପାରିବ।

Guwahati Plus

ସରକାରୀ ତଥ୍ୟ ଅନୁସାରେ, ଭୁୁବନେଶ୍ବରରେ ଦେଢ଼ ବର୍ଷ ହେଲା ଏହି ଟାକ୍ସି ବାଇକ୍‌ ବେପାର ଚାଲିଛି। ଏଯାବତ୍‌ ମାତ୍ର ୧୧ଟି ବାଇକ୍‌ ବାଣିଜ୍ୟିକ ପଞ୍ଜୀକରଣ କରିଛନ୍ତି। କିନ୍ତୁ ୫ ଶହରୁ ଊର୍ଦ୍ଧ୍ବ ବାଇକ୍‌ ଏହି ବେପାରରେ ଲାଗିଛନ୍ତି। ସାଧାରଣ ବାଇକ୍‌ରେ ବର୍ଷବର୍ଷ ଧରି ବେପାର କରୁଛନ୍ତି। ବିନା ପରମିଟ୍‌ରେ ସହର ସାରା ଘୂରି ବୁଲୁଛନ୍ତି। ୧୧ ବାଇକ୍‌ ବାଣିଜ୍ୟିକ ସ୍ବୀକୃତି ନେଇଥିଲେ ମଧ୍ୟ ସେମାନେ ନମ୍ବର ପ୍ଲେଟ୍‌ ବଦଳାଇ ନାହାନ୍ତି। ଏଣୁ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର ହେଉଥିବା ବାଇକ୍‌ଗୁଡ଼ିକର ପରମିଟ୍‌, ଇନ୍‌ସ୍ୟୁରାନ୍ସ, ଡିଏଲ୍‌, ପଞ୍ଜୀକରଣ, ପଲ୍ୟୁସନ୍‌ ସାର୍ଟିଫିକେଟ୍‌ ଯାଞ୍ଚ କରିବା ବିଭାଗ ପକ୍ଷରୁ ସମ୍ଭବ ହେଉନାହିଁ। ଅନ୍ୟପଟେ ଏହି ବାଇକ୍‌ଗୁଡ଼ିକର ତଥ୍ୟ ପୁଲିସ ପାଖରେ ରହୁନାହିଁ। କେହି ମହିଳା ଅସଦାଚରଣର ଶିକାର ହେଲେ ପୁଲିସ ଅଭିଯୁକ୍ତକୁ ପାଇବା ସମ୍ଭବ ହେଉନାହିଁ। ବରଂ ଘରୋଇ ସଂସ୍ଥା ମାମଲାଗୁଡ଼ିକୁ ଆପୋଷ ସମାଧାନ କରୁଥିବା ଅଭିଯୋଗ ହେଉଛି।

ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏ ସଂପର୍କରେ ଉଭୟ ଆରଟିଓଙ୍କୁ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ସଂସ୍ଥାଙ୍କୁ ଡାକି ଏ ବାବଦରେ ନିର୍ଦ୍ଦେଶ ଦେବା ସହ କାର୍ଯ୍ୟାନୁଷ୍ଠାନ କରିବାକୁ କୁହାଯାଇଛି। କିନ୍ତୁ ଏମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଷ୍ଟକର ବ୍ୟାପାର ହେଇଛି। ନିକଟ ଅତୀତରେ ଏ ନେଇ ଉଦ୍ୟମ ହୋଇଥିଲା। ବାଇକ୍‌ ପଛରେ ଯାତ୍ରୀ ବସିଛି କି ସମ୍ପର୍କୀୟ ବସିଛି ତାହା ଧରିବା କଷ୍ଟକର ହେଲା। ଏମାନଙ୍କୁ ଧରିବା ପାଇଁ ନୂଆ ରଣକୌଶଳ କରାଯାଉଛି। ଖୁବ୍‌ଶୀଘ୍ର କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର