ଭୁବନେଶ୍ବର: ଦୀର୍ଘ ୨୩ ବର୍ଷ ଧରି ବନ୍ଦ ପଡ଼ିଥିବା ୟୁନିଟ୍-୪ସ୍ଥିତ ପଞ୍ଚଦୀପ ମାର୍କେଟ୍ ଖୋଲିବା ରାସ୍ତା ଫିଟିଛି। ଏଥିରେ ଥିବା ୯୧ ଦୋକାନ ଘର ଓ ୧୮ଟି ଅଫିସ୍ ଘରକୁ ଇ-ନିଲାମ୍ କରିବା ପାଇଁ ବିଏମ୍ସି ଯୋଜନା କରିଛି। ଏଥିପାଇଁ ଅତିରିକ୍ତ କମିସନର-୩ଙ୍କ ଅଧୀନରେ ଏକ ଟିମ୍ ଗଠନ କରାଯାଇଛି।
କମିଟିର ସୁପାରିସ ମୁତାବକ, ଦୋକାନ ଘର ପାଇଁ ମହଲାୱାରି ଭଡ଼ା ଧାର୍ଯ୍ୟ ହୋଇଛି। ଗ୍ରାଉଣ୍ଡ ଫ୍ଲୋର୍ରେ ବର୍ଗଫୁଟ୍ ପିଛା ସର୍ବାଧିକ ୫୫ ଟଙ୍କା ରହିଥିବା ବେଳେ ପ୍ରଥମ ମହଲାରେ ୫୦ ଟଙ୍କା ଓ ଅନ୍ୟ ତିନିଟି ମହଲାରେ ବର୍ଗଫୁଟ୍ ପିଛା ୪୫ ଟଙ୍କା ଧାର୍ଯ୍ୟ କରାଯାଇଛି। ନିଲାମଧାରୀଙ୍କୁ ୬ ମାସର ଭଡ଼ା ଅଗ୍ରୀମ ଦେବାକୁ ପଡ଼ିବ। ପ୍ରତିବର୍ଷ ଭଡ଼ା ୫ ପ୍ରତିଶତ ହିସାବରେ ବୃଦ୍ଧି ପାଇବ। ପ୍ରତି ମାସ ୭ ତାରିଖରେ ଦୋକାନୀ ଭଡ଼ା ଦେବେ। ବ୍ୟତିକ୍ରମ ହେଲେ ବାର୍ଷିକ ୧୨ ପ୍ରତିଶତ ହାରରେ ସୁଧ ଦେବେ। ଦୋକାନ ପିଛା ୧୦ ହଜାର ଓ ଅଫିସ୍ ପିଛା ୫୦ ହଜାର ଫେରସ୍ତଯୋଗ୍ୟ ଜମା ରଖାଯିବ। ନିର୍ଦ୍ଧାରିତ ସମୟରେ ଆବଣ୍ଟନ ବାତିଲ କରି ଟଙ୍କା ଫେରସ୍ତ ନେଇ ହେବ। କିନ୍ତୁ ୬ ମାସ ମଧ୍ୟରେ ଫେରସ୍ତ ନେଲେ ଶତପ୍ରତିଶତ ଅର୍ଥ ଫେରସ୍ତ ହେବ। ଏହା ପରେ ବାତିଲ୍ କଲେ ଫେରସ୍ତ ଅର୍ଥ ପରିମାଣ କମି କମି ଯିବ। ଏହି ଦୋକାନ ଘରକୁ ବିକ୍ରି କିମ୍ବା ଅନ୍ୟକୁ ହସ୍ତାନ୍ତର କରିହେବ ନାହିଁ। ୩ ବର୍ଷ ପରେ ଚୁକ୍ତି ନବୀକରଣ କରାଯିବ।
ଉଲ୍ଲେଖଯୋଗ୍ୟ, ୧୯୯୯ ମସିହାରେ ସରକାରୀ-ଘରୋଇ ସହଭାଗୀତାରେ ପଞ୍ଚଦୀପ ମାର୍କେଟ ନିର୍ମାଣ ଯୋଜନା ହୋଇଥିଲା। ନିର୍ମାଣକାରୀ ସଂସ୍ଥା ପଞ୍ଚଦୀପ କନ୍ଷ୍ଟ୍ରକସନ୍ ପ୍ରାଇଭେଟ୍ ଲିମିଟେଡ୍ ଉଦ୍ଦେଶ୍ୟମୂଳକ ଭାବେ ବିଳମ୍ବ କରିବା ଅଭିଯୋଗ ହୋଇଥିଲା। ଏମିତିକି ନିର୍ମାଣ ପରେ ବିଏମ୍ସି ଭାଗରେ ଥିବା ଦୋକାନ ଘର ସବୁକୁ କନ୍ଷ୍ଟ୍ରକ୍ସନ ସଂସ୍ଥା ହସ୍ତାନ୍ତର କରୁନଥିଲା। ଏଣୁ ବିବାଦ ଉପୁଜିଥିଲା ଓ ଏହି ମାର୍କେଟ କମ୍ପ୍ଲେକ୍ସକୁ ସିଲ୍ କରାଯାଇଥିଲା। ଏବେ ବିବାଦର ଅନ୍ତ ଘଟିଛି ଓ ଦୋକାନ ଆବଣ୍ଟନ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ତେବେ ଏବେ ଭଡ଼ା ବାବଦରେ ଯେଉଁ ଦର ଓ ସର୍ତ୍ତ ରଖାଯାଇଛି, ତାହାକୁ ନେଇ ବିରୋଧ ଦେଖାଦେଇଛି। ବହୁ ବ୍ୟବସାୟୀ ଏହାକୁ ନାପସନ୍ଦ କରିଛନ୍ତି। ତେଣୁ ଏଠି ବି ୟୁନିଟ୍-୨ ଫଳ ବଜାର ଭଳି ସ୍ଥିତି ଉପୁଜିବା ଆଶଙ୍କା ପ୍ରକାଶ ପାଇଛି। ୟୁନିଟ୍-୨ ଫଳ ବଜାର ଖୋଲିପାରୁନଥିବା ଭଳି ପଞ୍ଚଦୀପ ମାର୍କେଟ୍ ମଧ୍ୟ ଖୋଲିପାରିବ କି ନା, ସନ୍ଦେହ ସୃଷ୍ଟି ହୋଇଛି। ଉଲ୍ଲେଖଯୋଗ୍ୟ ଯେ ୮୮୩ ଡେସିମିଲି ଜମିରେ ଏହି ମାର୍କେଟ୍ ତିଆରି ହୋଇଛି। ୬ମହଲା ବିଶିଷ୍ଟ ଏହି ମାର୍କେଟ୍ କମ୍ପ୍ଲେକ୍ସ ପାଇଁ ବିଏମ୍ସି ସାଧାରଣ ପ୍ରଶାସନ ବିଭାଗରେ ୩୦ ଲକ୍ଷ ଟଙ୍କା ଜମା କରି ଜମି ମାଲିକାନା ପାଇଥିଲା।