ପୁଣି ଖୋଲିବ ଖାଓଗଳି: ଭଡ଼ା ଦେଇପାରିବେନି, ବିକି ପାରିବେନି

ଅପରାହ୍ଣ ସାଢ଼େ ୫ଟାରୁ ରାତି ୧୦ ଯାଏ ଖୋଲା, ସଫଳତା ମିଳିଲେ ସହରର ଅନ୍ୟ ସ୍ଥାନରେ ଖୋଲିବ

ଭୁବନେଶ୍ୱର: ପୁଣି ଖୋଲିବ ଖାଓଗଳି। ଚଳଚଞ୍ଚଳ ହେବ ରାମମନ୍ଦିର ନିକଟସ୍ଥ ୟୁନିଟ୍‌-୯ସ୍ଥିତ ଖାଓଗଳି ବଜାର। କିନ୍ତୁ କଟକଣା ମଧ୍ୟରେ ବ୍ୟବସାୟୀମାନେ ଏଠାରେ ବେପାର କରିବେ। କୌଣସି ପ୍ରକାର ତ୍ରୁଟି ପରିଲକ୍ଷିତ ହେଲେ, ବ୍ୟବସାୟୀଙ୍କ ଅନୁମୋଦନ ରଦ୍ଦ ହେବ। ଦଣ୍ଡବିଧାନ ବି କରାଯିବ। କୌଣସି ବ୍ୟବସାୟୀ ନିଜ ବ୍ୟବସାୟ ସ୍ଥାନକୁ ଭଡ଼ା, ବିକ୍ରି କିମ୍ବା ଅନ୍ୟ କୌଣସି ସୂତ୍ରରେ ଦେଇପାରିବେ ନାହିଁ। ବ୍ୟବସାୟୀଙ୍କ ଖାଦ୍ୟ ଗାଡ଼ିଗୁଡ଼ିକ ଅପରାହ୍‌ଣ ସାଢ଼େ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ। ଗାଡ଼ି ଭିତରେ ଖାଦ୍ୟ ପ୍ରସ୍ତୁତ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ରନ୍ଧାରନ୍ଧି କରିବେ ନାହିଁ। ସ୍ବଚ୍ଛତା ବଜାୟ ରଖିବା ଉପରେ ମଧ୍ୟ ଗୁରୁତ୍ବ ଦେବେ। ବ୍ୟବସ୍ଥିତ ଢଙ୍ଗରେ ଖାଓଗଳିରେ ବ୍ୟବସାୟ କରିବା ଲାଗି ଆଜି ବିଏମ୍‌ସି ପକ୍ଷରୁ ଡକାଯାଇଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏଥିସହ ୨୨ଟି ନିୟମ ଥିବା ଚୁକ୍ତିପତ୍ରରେ ବ୍ୟବସାୟୀଙ୍କୁ ସ୍ବାକ୍ଷର କରିବାକୁ କୁହାଯାଇଛି।

ଆସନ୍ତା ୧୦ ଦିନ ମଧ୍ୟରେ ବିଏମ୍‌ସି ଦ୍ୱାରା ଧାର୍ଯ୍ୟ ନିୟମ ଅନୁସାରେ, ବ୍ୟବସାୟ କରିବେ ବୋଲି ବ୍ୟବସାୟୀମାନେ ବିଏମ୍‌ସିକୁ ଜଣାଇଛନ୍ତି। ଚୁକ୍ତିପତ୍ର ନିୟମ ଅନୁସାରେ ପ୍ରତି ବ୍ୟବସାୟୀଙ୍କୁ ସିକ୍ୟୁରିଟି ଡିପୋଜିଟ୍ ବାବଦରେ ୨୫ ହଜାର ଟଙ୍କା ଏବଂ ସର୍ଭିସ୍ ଚାର୍ଜ ବାବଦରେ ମାସିକ ୬ ହଜାର ଟଙ୍କା ଦେବାକୁ ପଡ଼ିବ। ଏହି ଦେୟର ନିୟମ ମେ’ ପହିଲାରୁ ଲାଗୁ ହେବ। ସ୍ଥାନକୁ ଶୃଙ୍ଖଳିତ କରିବା ପାଇଁ କର୍ତୃପକ୍ଷଙ୍କ ପକ୍ଷରୁ ଏହି ସମୟରେ ପରିବର୍ତ୍ତନ ନ ହେବା ଯାଏ ସମୟ ଅନୁସାରେ ବ୍ୟବସାୟ ଚଳାଇବେ। ଏହି ଅସ୍ଥାୟୀ ଅନୁମୋଦନ ମୋବାଇଲ୍ ଭେଣ୍ଡରଙ୍କ ନିମନ୍ତେ ଉଦ୍ଦିଷ୍ଟ ଥିବାରୁ ସମ୍ପୃକ୍ତ ସ୍ଥାନର କୌଣସି ପ୍ରକାରର ପରିବର୍ତ୍ତନ ଆବଶ୍ୟକ ହେଲେ ବ୍ୟବସାୟୀଙ୍କର ଅନୁମୋଦନ ରଦ୍ଦ କରାଯିବ। ଏହା ବଦଳରେ ଅନ୍ୟ କୌଣସି ସ୍ଥାନରେ ବ୍ୟବସାୟ କରିବାକୁ ଅନୁମୋଦନ ଦିଆଯିବ ନାହିଁ। ପ୍ରତି ମାସର ୫ ତାରିଖରେ ଆଗାମୀ ମାସ ପାଇଁ ମାସିକ ସର୍ଭିସ୍ ଚାର୍ଜ ଦେବାକୁ ପଡ଼ିବ। ପ୍ରତି ବ୍ୟବସାୟୀ ଏଫ୍‌ଏସ୍ଏସ୍ଏଆଇ ପ୍ରମାଣପତ୍ର ଓ ଟ୍ରେଡ୍‌ ଲାଇସେନ୍ସ ରଖିବାକୁ ବାଧ୍ୟ। ପ୍ରତି ଦୋକାନ ଆଗରେ ଓଦା ଓ ଶୁଖିଲା ଡଷ୍ଟବିନ୍ ରଖିବେ। ସରକାରଙ୍କ ଦ୍ୱାରା ନିଷିଦ୍ଧ କରାଯାଇଥିବା ପ୍ଲାଷ୍ଟିକ୍ ଦ୍ରବ୍ୟ, ପଲିଥିନ୍ ଇତ୍ୟାଦି ବ୍ୟବହାର କରିବେ ନାହିଁ। ଅନୁମୋଦନ ପାଇଥିବା ବ୍ୟବସାୟୀମାନେ ଖାଓଗଳିରେ କରାଯାଇଥିବା କଂକ୍ରିଟ୍ ଫର୍ଣ୍ଣିଚର୍‌ର ରକ୍ଷଣାବେକ୍ଷଣ କରିବେ ଏବଂ ସାମାନ୍ୟ ମରାମତି କରିବେ। ଦୋକାନଗୁଡ଼ିକର ଅପରପାର୍ଶ୍ବରେ କେବଳ ଗ୍ରାହକଙ୍କ ଯାନ ରହିବା ନିମନ୍ତେ ଉଦ୍ଦିଷ୍ଟ ରହିବ।

ଗ୍ରାହକଙ୍କ ବସିବା ସ୍ଥାନଗୁଡ଼ିକୁ ସୁରୁଖୁରୁରେ ପରିଚାଳନା ହେବା ପାଇଁ ଖାଓଗଳି ବ୍ୟବସାୟୀ ସଂଘ ନିଜ ତରଫରୁ ସ୍ୱେଚ୍ଛାକୃତ ବ୍ୟବସ୍ଥା କରିବେ। ଫଳରେ ଯାତାୟାତ ଓ ଚଳପ୍ରଚଳ ସୁଗମ ହୋଇପାରିବ।
ସମ୍ପୃକ୍ତ ବ୍ୟବସାୟୀମାନେ ସେଠାରେ କୌଣସି ନିର୍ମାଣ କରିପାରିବେ ନାହିଁ କିମ୍ବା ନିଜ ସ୍ଥାନକୁ ବଢ଼ାଇ ପାରିବେ ନାହିଁ। ବ୍ୟବସାୟୀମାନେ ନିଜ ବ୍ୟବସାୟର ବୀମା କରିବା ସହ ନିଜର ଓ ନିଜ ସହାୟକଙ୍କର ସ୍ୱାସ୍ଥ୍ୟବୀମା କରିବେ। ବିଏମ୍‌ସି ପକ୍ଷରୁ ପ୍ରତିଦିନ ଜଳଯୋଗାଣ, ଶୌଚାଳୟ ବ୍ୟବସ୍ଥା ଏବଂ ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥା କରାଯିବ। ବିଏମ୍‌ସି ଅଧିକାରୀ, କର୍ମଚାରୀ ଓ ଏନ୍‌ଫୋର୍ସମେଣ୍ଟ ଟିମ୍ ନିୟମିତ ପରିଦର୍ଶନ କରିବେ। କୌଣସି ଅନୁମୋଦନପ୍ରାପ୍ତ ବ୍ୟବସାୟୀଙ୍କଠାରେ ତ୍ରୁଟି ଦେଖିଲେ ନିୟମ ଅନୁଯାୟୀ ପଦକ୍ଷେପ ନିଆଯିବ। ଦରକାର ପଡ଼ିଲେ, ତାଙ୍କର ଏହି ଅସ୍ଥାୟୀ ଅନୁମୋଦନ ରଦ୍ଦ ସହ ସିକ୍ୟୁରିଟି ଡିପୋଜିଟ୍ ମଧ୍ୟ ରଦ୍ଦ କରାଯିବ। ପ୍ରତିବର୍ଷ ସମ୍ପୃକ୍ତ ବ୍ୟବସାୟୀଙ୍କୁ ଚୁକ୍ତିପତ୍ର ସ୍ୱାକ୍ଷର କରିବାକୁ ପଡ଼ିବ।

ମେୟର ସୁଲୋଚନା ଦାସ କହିଛନ୍ତି ଯେ ବିଏମ୍‌ସି ଅଞ୍ଚଳରେ ଏକ ସୁନ୍ଦର, ସ୍ୱାସ୍ଥ୍ୟପ୍ରଦ ଓ ପାରମ୍ପାରିକ ତଥା ଆଧୁନିକ ଢଙ୍ଗର ଖାଦ୍ୟ ବଜାର ସଙ୍ଗଠିତ ଭାବେ ଚାଲିବା ଏବଂ ଏହାକୁ ନେଇ ସହରର ମାନ ବଢ଼ାଇବା ଖାଓଗଳି ଭଳି ସ୍ଥାନ ସୃଷ୍ଟି କରିବାର ମୁଖ୍ୟ ଆଭିମୁଖ୍ୟ। ଏହା ସଫଳ ହେଲେ ସହରର ଅନ୍ୟ ସ୍ଥାନରେ ଏଭଳି ପ୍ରକଳ୍ପ କରିବାକୁ ଲକ୍ଷ୍ୟ ରଖାଯାଇଛି। କେନ୍ଦ୍ର ସରକାରଙ୍କ ଫୁଡ୍ ସେଫ୍‌ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ(ଏଫ୍ଏସ୍ଏସ୍ଏଆଇ)ଙ୍କ କ୍ଲିନ୍‌ଷ୍ଟ୍ରିଟ୍ ଫୁଡ୍ ହବ୍ ନିର୍ଦେଶନାମାକୁ ଅନୁସରଣ କରି ଭୁବନେଶ୍ୱରରେ ଖାଓଗଳିର ଚିନ୍ତା କରାଯାଇଛି।

ଆଜିର ବୈଠକରେ ବିଏମ୍‌ସି ଅତିରିକ୍ତ କମିସନର ବିନୟ କୁମାର ଦାସ, ଉପଆୟୁକ୍ତ ମାର୍କେଟ୍ ପ୍ରମୋଦ କୁମାର ପୃଷ୍ଟି, ଜୋନାଲ୍ ଡ଼େପୁଟି କମିସନର ପୁରନ୍ଦର ନନ୍ଦ, ସ୍ଥାନୀୟ କର୍ପୋରେଟର୍‌ ରଞ୍ଜୁଲତା ରାୟ, ଲାଇସେନ୍ସ ଆଣ୍ଡ ଆପିଲ୍ସ କମିଟିର ଅଧ୍ୟକ୍ଷ ପ୍ରେମାନନ୍ଦ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଖାଓଗଳିରେ ସମୁଦାୟ ୩୧ଜଣଙ୍କୁ ଆଲଟ୍‌ ହୋଇଛି। ମାତ୍ର ଆଜିର ବୈଠକରେ ୨୫ ଜଣ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ ମେ’ ୧୧ ତାରିଖଠାରୁ ଖାଓଗଳି ବଜାର ବନ୍ଦ ରହିଛି। ସଂଲଗ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ଅନୁରୋଧକ୍ରମେ ବିଏମ୍‌ସି ମେୟର୍‌ ଏଠାକୁ ଅଚାନକ ଗସ୍ତ କରିବା‌ ସହ ବ୍ୟବସାୟୀମାନେ ନିୟମର ଉଲ୍ଲଙ୍ଘନ କରିଥିବା ଦୃଷ୍ଟିକୁ ଆସିଥିଲା। ତେଣୁ ଏହାକୁ ବ୍ୟବସ୍ଥିତ କରାଇ ଖାଓଗଳିର ଉଦ୍ଦେଶ୍ୟ ସାଧନ କରିବା ପାଇଁ ବିଏମ୍‌ସି କର୍ତୃପକ୍ଷ ଏଭଳି ପଦକ୍ଷେପ ନେଇଛନ୍ତି।

ସମ୍ବନ୍ଧିତ ଖବର